ଜେଲରେ ବିଶୃଙ୍ଖଳା, କଏଦୀଙ୍କୁ ମାଡ଼

ଜେଲ ପରିମଳ ବ୍ୟବସ୍ଥା ଠିକ୍ ନ ଥିବା କହିବାରୁ ମାଡ଼ ଅଭିଯୋଗ, ଥାନାରେ ଏତଲା, ତଦନ୍ତ ଆରମ୍ଭ

ଭୁବନେଶ୍ବର: ଝାରପଡ଼ା ଜେଲ୍‌ର ଚରମ ଅବହେଳା ପଦାରେ ପଡ଼ିଛି। ଜଣେ କଏଦୀଙ୍କୁ ଅନ୍ୟ ଜଣେ କଏଦୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଝାରପଡ଼ା ଜେଲ୍ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। କଡ଼ା ସୁରକ୍ଷା ବଳୟରେ ରହୁଥିବା ଝାରପଡ଼ା ଜେଲରେ ଜଣେ କଏଦୀଙ୍କୁ କିଭଳି ଆକ୍ରମଣ କରାଗଲା ତାକୁ ନେଇ ପ୍ରଶ୍ନ ଉଠିଛି। ଆକ୍ରମଣର ଶିକାର କଏଦୀଙ୍କ ପକ୍ଷରୁ ଏ ନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ହୋଇଛି। ଏହି ଘଟଣାରେ ଏକ ପାଲଟା ଅଭିଯୋଗ ମଧ୍ୟ ହୋଇଛି। ଆକ୍ରମଣର ଶିକାର କଏଦୀଙ୍କୁ ଜେଲ ପରିସରରେ ଥିବା ମେଡିକାଲରେ ଚିକିତ୍ସା କରାଯାଇଛି। ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଆକ୍ରମଣର ଶିକାର କଏଦୀ ହେଲେ ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଏକ ଚିଟଫଣ୍ଡ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଅରୁଣ ଚତୁର୍ବେଦୀ।

ମିଳିଥିବା ସୂଚନା ଅନୁସାରେ, ଶହ ଶହ କୋଟି ଟଙ୍କା ଠକେଇ ମାମଲାରେ ଗିରଫ ହୋଇଥିବା ଅରୁଣ ଚତୁର୍ବେଦୀ ଓ ବରୁଣ ଚତୁର୍ବେଦୀ ପ୍ରାୟ ବର୍ଷେ ହେଲା ଝାରପଡ଼ା ଜେଲରେ ବନ୍ଦୀ ଭାବେ ରହିଛନ୍ତି। କରୋନା ସମୟରେ ଜେଲର ପରିମଳ ବ୍ୟବସ୍ଥା ଠିକ୍ ନ ଥିବା ଅଭିଯୋଗ ଆଣିଥିଲେ ଅରୁଣ ଚତୁର୍ବେଦୀ। ଏପରିକି ସାନିଟାଇଜର୍ ଠିକ୍ ଭାବେ ମିଳୁ ନ ଥିବା ବେଳେ ଜେଲର ସ୍ବଚ୍ଛତା ସମ୍ପର୍କରେ ଭିଡ଼ିଓ କନଫରେନ୍ସିଂରେ ହାଜର ସମୟରେ ବିଚାରପତିଙ୍କ ନିକଟରେ ଅଭିଯୋଗ କରିଥିଲେ। ଦୁଇ କଏଦୀ ଅଣଓଡ଼ିଆ ହୋଇଥିବାରୁ ସେମାନଙ୍କୁ ବିଭିନ୍ନ ସମୟରେ ହଇରାଣ ହରକତ କରାଯିବା ନେଇ ତାଙ୍କ ଭଉଣୀ ସ୍ପିଡ୍ ପୋଷ୍ଟ ଯୋଗେ ପୁଲିସ ଡିଜିଙ୍କୁ ଅଭିଯୋଗ କରିଥିଲେ। ଅଭିଯୋଗ ମିଳିବା ପରେ ଜେଲ କର୍ତ୍ତୃପକ୍ଷଙ୍କ ଅନୁରୋଧକ୍ରମେ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାର ଅନୁସନ୍ଧାନ କରିଥିଲା। ପରିମଳ ବ୍ୟବସ୍ଥା ନେଇ ଅଭିଯୋଗ ଆଣିବା ସହ ଜେଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥିବାରୁ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଜେଲ୍ କର୍ତ୍ତୃପକ୍ଷଙ୍କୁ ଆକ୍ଷେପ କରି କିଛି କହିବାରୁ ରାଜେଶ ବାରିକ ନାମକ ଅନ୍ୟ ଜଣେ କଏଦୀ ମାଡ଼ ମାରିଥିବା ନେଇ ଅଭିଯୋଗ କରିଛନ୍ତି ଅରୁଣ। ରାଜେଶ ମଧ୍ୟ ପାଲଟା ଅଭିଯୋଗ ଆଣିଛନ୍ତି। ଅରୁଣ ଗାଳିଗୁଲଜ କରିବା ସହ ପ୍ରଥମେ ହାତ ଉଠାଇବାରୁ ‌ସେ ମାଡ଼ ମାରିଥିବା ନେଇ ଅଭିଯୋଗ କରି କହିଛନ୍ତି। ଦୁଇଟି ଅଭିଯୋଗ ଆସିବା ପରେ ଲକ୍ଷ୍ମୀସାଗର ଥାନା ପୁଲିସ ପ୍ରାଥମିକ ଅନୁସନ୍ଧାନ ଆରମ୍ଭ କରିଛି। ଆସନ୍ତାକାଲି ଥାନାର ଗୋଟିଏ ଟିମ୍ ଝାରପଡ଼ା ଜେଲକୁ ଯାଇ ତଦନ୍ତ କରିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ଅରୁଣଙ୍କୁ ଆକ୍ରମଣ କରିଥିବା କଏଦୀ ସେହି ସେଲର ନୁହନ୍ତି ବୋଲି ଜଣାପଡ଼ିଛି। ଏଠାରେ ପ୍ରଶ୍ନ ଉଠୁଛି, ଅନ୍ୟ ଗୋଟିଏ ସେଲରୁ କଏଦୀ ଯାଇ ଆଉ ଗୋଟିଏ ସେଲ ଭିତରେ କଏଦୀଙ୍କୁ କିପରି ଆକ୍ରମଣ କଲା ? ସେଠାରେ ଉପସ୍ଥିତ ଥିବା ଵାର୍ଡର ସେହି ସମୟରେ କ’ଣ କରୁଥିଲେ? ଜେଲ୍ ଭିତରେ ସୁରକ୍ଷା ବ୍ୟବସ୍ଥା ଢିଲା ରହିଛି କି? ନା ଅଭିଯୋଗ କରିବାରୁ ଅନ୍ୟ କଏଦୀଙ୍କୁ ଲଗାଇ ମାଡ଼ ମରାଯାଇଛି? ଗତ କିଛି ଦିନ ହେଲା ଝାରପଡ଼ା ଜେଲରେ କଏଦୀଙ୍କ ଭିତରେ ଚାପା ଅସନ୍ତୋଷ ଜାରି ରହିଛି। ପରିମଳ ବ୍ୟବସ୍ଥା ନେଇ କିଛି କଏଦୀ ଅଭିଯୋଗ ଆଣିଥିବା ବେଳେ ଏହାକୁ କିଛି କଏଦୀ ବିରୋଧ କରିଛନ୍ତି। ଯାହାକୁ ନେଇ ସେମାନଙ୍କ ଭିତରେ ଏକପ୍ରକାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଯାହା ଆଜି ଘଟଣାରୁ ଜଣାପଡ଼ିଛି। ଗତ କିଛି ଦିନ ଭିତରେ ଜେଲ ପରିମଳ ବ୍ୟବସ୍ଥାକୁ ନେଇ ଏକାଧିକ କଏଦୀ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଅଭିଯୋଗ ଆଣିଥିଲେ। ଘଟଣା ସମ୍ପର୍କରେ ଜେଲ ଅଧୀକ୍ଷକଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ ହୋଇଥି‌ଲେ ମଧ୍ୟ ସମ୍ଭବ ହୋଇନଥିଲା।

ସମ୍ବନ୍ଧିତ ଖବର