‘ଅଭିନେତା’ରୁ ‘ଅଭି’ କଟିଗଲେ ଜନି ମରିଯିବ

ରାସ୍ତାରେ ବୁଲି ବୁଲି କଲମ ବିକୁଥିଲେ। ଆଜି ସେହି କଲମରେ ଲକ୍ଷ ଲକ୍ଷ ଲୋକଙ୍କୁ ଅଟୋଗ୍ରାଫ୍ ଦେଉଛନ୍ତି। ଦେଖିବାକୁ ଅତି ସାଧାରଣ କିନ୍ତୁ, ତାଙ୍କ ସହ ଏକ ଫଟୋ ଉଠାଇବାକୁ ବହୁ ଯୁବକ/ଯୁବତୀ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପ୍ରସ୍ତୁତ ଅଛନ୍ତି। କଠିନ ପରିଶ୍ରମ ଓ କଠୋର ଅଧ୍ୟବ୍ୟସାୟ ବଳରେ ନିଜ ଭାଗ୍ୟ ନିଜ ଲେଖିଛନ୍ତି। ୪ ଦଶନ୍ଧି ଧରି ଦର୍ଶକଙ୍କୁ ହସାଇ ହସାଇ ବେଦମ୍‌ କରିଛନ୍ତି ଓ ଦର୍ଶକଙ୍କ ସେହି ହସରେ ନିଜର ସବୁ ଦୁଃଖ ଭୁଲିଛନ୍ତି। ଗୋଟିଏ ନୁହେଁ କି ଦୁଇଟି ନୁହେଁ ୩୦୦ରୁ ଊର୍ଧ୍ବ ଚଳଚ୍ଚିତ୍ର କରି ସେ ବଲିଉଡ୍‌ରେ ନିଜ ନାମ ସ୍ବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ କରିଛନ୍ତି। କୌଣସି ଗଡ୍‌ ଫାଦରଙ୍କ ମାର୍ଗଦର୍ଶିକା‌ରେ ନୁହେଁ, ନିଜ ପ୍ରତିଭାର ଉଜ୍ବଳ ଆଲୋକରେ ନିଜ ରାସ୍ତା ନିଜେ ଖୋଜିଥିବା ବଲିଉଡ୍‌ର କମେଡି ସୁପର୍‌ଷ୍ଟାର ଜନି ଲିବର ଭୁବନେଶ୍ବର ଆସିଥିବା ଅବସରରେ ତାଙ୍କ ସହ କିଛି ବାର୍ତ୍ତାଳାପ… (ସାକ୍ଷାତକାର: ସସ୍ମିତା ସାହୁ)

ଜନ୍‌ ରାଓ ଜାନୁମାଲା ଦର୍ଶକଙ୍କ ସମ୍ମୁଖରେ ଜନି ଲିବର ନାମରେ ପ୍ରସିଦ୍ଧ ହେଲେ। ନିଜ ଅସଲ ନାମକୁ ହରାଇ ଏ ନାମରେ କେତେ ଖୁସି ଆପଣ?
ପ୍ରତିଟି ସନ୍ତାନର ନାମ ତାଙ୍କ ବାପା ମା’ ରଖନ୍ତି। ମୋର ବି ରଖାଯାଇଥିଲା ଜନ୍‌ ରାଓ ଜାନୁମାଲା। କିନ୍ତୁ ମୋ କାମ ଓ ପ୍ରତିଭା ମତେ ଜନି ଲିବର ନାମ ଦେଲା ଓ ସେଥିରେ ହିଁ ମୁଁ ପ୍ରସିଦ୍ଧ ହେଲି। ମୋ ବାପା ହିନ୍ଦୁସ୍ତାନ ଲିବର୍‌ ଲିମିଟେଡ୍‌ କମ୍ପାନିରେ କାମ କରୁଥିଲେ। କମ୍ପାନିର ଏକ କାର୍ଯ୍ୟକ୍ରମରେ ମୁଁ ଯୋଗଦେଇ ସେଠାରେ କମ୍ପାନିର କିଛି ବରିଷ୍ଠ ଅଧିକାରୀଙ୍କ ନକଲ କରି ସମସ୍ତଙ୍କୁ ହସାଇଥିଲି। ମୋର ହାସ୍ୟାରସାତ୍ମକ ଅନ୍ଦାଜ୍‌ ଦେଖି ବରିଷ୍ଠ ଅଧିକାରୀମାନେ ମତେ ଡାକିଥିଲେ ଓ ଖୁସିରେ ମୋ ନାମ ଜନି ଲିବର ରଖିଥିଲେ। ପରେ ବଲିଉଡ୍‌ରେ ଯେତେବେଳେ କାମ ପାଇଲି ମୁଁ ଏହି ନାମ ସହ ଆଗକୁ ବଢ଼ିବାକୁ ପସନ୍ଦ କଲି। ଏହି ନାମ ଭଗବାନଙ୍କ ଦାନ ଭଳି ମତେ ଲାଗେ।

ମୁମ୍ବାଇ ରାସ୍ତାରେ କଲମ ବିକୁଥିବା ପୁଅଟି ଆଜି କମେଡି ସୁପରଷ୍ଟାର। କେମିତି କାଟିଛନ୍ତି ଏସବୁ କଷ୍ଟ ସମୟ?
କଷ୍ଟ କ’ଣ? କିଛି ବି କଷ୍ଟ ନଥାଏ ଜୀବନରେ। କାରଣ କଷ୍ଟ କଲେ ହିଁ ସବୁ ସହଜ ହୋଇଯାଏ। ଯେମିତି ପରିବାରର ଆର୍ଥିକ ସମସ୍ୟା ଦୂର କରିବାକୁ ମୁମ୍ବାଇ ସଡ଼କରେ ବୁଲି ବୁଲି ଲୋକଙ୍କୁ କଲମ ବିକୁଥି‌ଲି। ଆଜି ସେହି କଲମରେ ଲୋକଙ୍କୁ ଅଟୋଗ୍ରାଫ୍‌ ଦେଉଛି।

ସମସ୍ତଙ୍କୁ ହସାଉଥିବା ଜନି ଲିବର, ଏକୁଟିଆରେ କେବେ କାନ୍ଦନ୍ତି?
ହଁ। ମଣିଷମାନେ ତ’ ସୁଖଦୁଃଖ ଲାଗି ରହିଛି। କିନ୍ତୁ ଦୁଃଖ ଆସେ, କିଛି କ୍ଷଣ ପାଇଁ। ମନ ଉଦାସ ହୋଇଯାଏ। କିଛି ସମୟ ପରେ ସବୁ ଠିକ୍‌ ହୋଇଯାଏ। ବୋଧ ହୁଏ ଲୋକଙ୍କୁ ହସାଉଛି, ସେଥିପାଇଁ ଭଗବାନ୍‌ ବି ମତେ ହସାଉଛନ୍ତି।

ଜନି ଲିବର୍‌ କିଛି ଦୁଃଖକୁ ଲୁଚାଇ ହସୁଛନ୍ତି କି?
ନା ସେମିତି କିଛି ନାହିଁ। ଭଗବା‌ନ ହାସ୍ୟ କଳାକାରକୁ ଏଥିପାଇଁ ତିଆରି କରିଛନ୍ତି କି ସେ ସମସ୍ତଙ୍କୁ ଯେମିତି ହସାଇ ପାରିବ। ନିଜକୁ ନିଜେ ବି। ତେଣୁ ହାସ୍ୟ କଳାକାର ଜୀବନରେ ଦୁଃଖର କିଛି ଅସ୍ତିତ୍ବ ବା ମୂଲ୍ୟ ନଥାଏ।

ଆପଣ ଏତେ ଲୋକଙ୍କର ନକଲ କରନ୍ତି, ‌କେବେ କେହି ରାଗିକି ଗାଳି ଦେଇଛନ୍ତି?
ନା ଗାଳି ତ’ ଦିଅନ୍ତିନି। କିନ୍ତୁ ନକଲ କରି ମୁଁ ଷ୍ଟାର ହୋଇଯାଇଛି। କାରଣ ଆଜି ପର୍ଯ୍ୟନ୍ତ ଯେଉଁ ଯେଉଁ ବଡ଼ ବଡ଼ ବ୍ୟକ୍ତିତ୍ବଙ୍କର ମୁଁ ନକଲ କରିଛି, ସେମାନେ ମତେ ‌ଦେଖା କରିବାକୁ ଆସନ୍ତି। ମୁଁ ନୂଆ ନୂଆ ଇଣ୍ଡଷ୍ଟ୍ରିକୁ ଆସିଥିବା ବେଳେ ଶତ୍ରୁଘ୍ନ ସିହ୍ନା ସାର୍‌ ଆସି ମତେ ଦେଖା କରି ଯାଇଥିଲେ।

ଆପଣ ୪ ଦଶନ୍ଧି ଧରି ବଲିଉଡ୍‌ରେ କାମ କରୁଛନ୍ତି। ସବୁବେଳେ ବହୁତ ତତ୍ପର, ଏତେ ଶକ୍ତି କେଉଁଠୁ ଆସେ?
ଦର୍ଶକଙ୍କୁ କିଛି ପରଷିବାକୁ ହେଲେ ଭଲ କାମ କରିବାକୁ ପଡ଼ିବ। ନିଜ ଭିତରର ସବୁ ଶକ୍ତିକୁ ଏକାଠି କରି ଏହାର ବିକିରଣ କରିବାକୁ ପଡ଼ିବ। ତେବେ ଯାଇ ଅନ୍ୟମାନେ ଆପଣଙ୍କ କାମକୁ ଗ୍ରହଣ କରିବେ ଓ ଆପଣଙ୍କୁ ଆତ୍ମସନ୍ତୋଷ ମିଳିବ। ଏହା ହିଁ ଭାବି ମୁଁ କାମ କରିଚାଲିଛି। ଆଉ ଲୋକଙ୍କ ଆଦରଣୀୟତା ମତେ ଆହୁରି ଶକ୍ତି ଯୋଗାଇ ଚାଲେ।

ଅଭିନେତା ଏବେ ନେତା ହେବାର ଟ୍ରେଣ୍ଡ ଚାଲିଛି। ଆପଣ କେବେ ରାଜନୀତିକୁ ଆସୁଛନ୍ତି?
କେବେ ବି ନାହିଁ। ମୁଁ ଜଣେ ଅଭିନେତା। ଏହା ମୋ ଅସ୍ତିତ୍ବ ଓ ପରିଚୟ। ଯେବେ ଅଭିନେତାର ଏହି ୪ଟି ଅକ୍ଷରରୁ ‘ଅଭି’ ଦୁଇଟି ଅକ୍ଷର କଟି ଯାଇ ‘ନେତା’ ହୋଇଯିବ, ସେ ଦିନ ଏ ଜନି ଲିବର୍‌ ମରିଯିବ।

ଆଗକୁ କ’ଣ ସବୁ ଯୋଜନା ରହିଛି?
ମୁଁ ଅଧିକାଂଶ ସମୟରେ ଏବେ ଲାଇଭ୍‌ ବା ଷ୍ଟେଜ୍‌ ସୋ’ ହିଁ କରୁଛି। ବହୁତ ଜଲ୍‌ଦି ପୁଣି ଥ‌ରେ ଭୁବନେଶ୍ବର ଆସୁଛି। ଆଉ ଏକ ଲାଇଭ୍‌ ସୋ’ ପାଇଁ। ଏବେ ଅଗଷ୍ଟରେ ମୋ ଚଳଚ୍ଚିତ୍ର ‘କ୍ୟା ମସ୍ତି କ୍ୟା ଧୁମ୍’ ଆସୁଛି। ପୁଣି ‘ହାଉସ୍‌ଫୁଲ୍‌-୨’ ବି ଆସୁଛି।

ସମ୍ବନ୍ଧିତ ଖବର