ଯୁବାୟନ : ସଂଗୀତର କକ୍‌ଟେଲ୍‌

ଭୁବନେଶ୍ୱର : ପ୍ରକାଶନ ସଂସ୍ଥା ‘ଟାଇମ୍‌ପାସ୍‌’ ପକ୍ଷରୁ ଭଂଜ କଳାମଣ୍ଡପରେ କଳା ଓ ସାହିତ୍ୟର ଉତ୍ସବ ‘ଯୁବାୟନ’ ଶେଷ ହୋଇଛି। ଦ୍ୱିତୀୟ ଦିବସ ମାନସ ମିଶ୍ରଙ୍କ ନିର୍ଦେଶିତ କ୍ଷୁଦ୍ର ଚଳଚ୍ଚିତ୍ର ‘ଟ୍ରାନ୍ସଲେଟିଂ ବ୍ଲୁଜ୍‌’ ପ୍ରଦର୍ଶନରୁ ଆରମ୍ଭ ହୋଇଥିଲା। ପରେ ବାଦଲ ମହାନ୍ତିଙ୍କ ସଂଯୋଜନାରେ ଶର୍ମିଷ୍ଠା ସାହୁ, ଈପ୍‌ସିତା ଷଡ଼ଙ୍ଗୀ, ମନୋଜ ମେହେର, ବିଭୂତି ଭୂଷଣ ଖୁଣ୍ଟିଆ କବିତା ପାଠ କରିଥିଲେ। ଫଟୋଗ୍ରାଫି ପଛର କଥା ବଖାଣିଥିଲେ ଜିତେନ୍ଦ୍ର ପତି, ତାପସ ରାଉତ, ସିଦ୍ଧାର୍ଥ ମହାନ୍ତି ଓ ସତ୍ୟବ୍ରତ ମହାପାତ୍ର। ସିନେମା ହାଲ୍‌ଚାଲ୍‌ ସମ୍ପର୍କରେ ଦେବପ୍ରସାଦ ଦାଶ, ନିର୍ଦେଶକ ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ, ସଂଳାପକାର ବାପୁ ଗୋସ୍ୱାମୀ, ଅଭିନେତ୍ରୀ ଏଲିନା ଦାଶ, ଅଭିନେତା ହର ରଥ ପ୍ରମୁଖ ମତ ରଖିଥିଲେ। ବିଜୟ ମଲ୍ଲଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା ‘ଗୀତ ଓ ସଂଗୀତର କକ୍‌ଟେଲ୍‌’ କାର୍ଯ୍ୟକ୍ରମ। ବିକାଶ ଦାଶ, ଓମ୍‌ପ୍ରକାଶ ମହାନ୍ତି, ମୋହିତ ଚକ୍ରବର୍ତୀ, ଶରତ ନାୟକ, ସୁସ୍ମିତା ଦାସ, ପଞ୍ଚାନନ ନାୟକ, ଅନ୍ତରା ଚକ୍ରବର୍ତୀ ପ୍ରମୁଖ ଆଲୋଚନା ଓ ସ୍ୱରରେ ଗୀତର ମିଠା ଅନୁଭବ ଦେଇଥିଲେ। କବିତା ପଛର କଥା ଓ ବ୍ୟଥାକୁ ନେଇ ବନୋଜ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା ଆଲୋଚନାଚକ୍ର। ଅଖିଳ ମିଶ୍ର, ଶୁଭଶ୍ରୀ ଲେଙ୍କା, ଗାୟତ୍ରୀବାଳା ପଣ୍ଡା, ଅୟସକାନ୍ତ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ମଧୁସ୍ମିତା ଜେନାଙ୍କ ନିର୍ଦେଶିତ ‘କଟକ ସିନେମାହଲ୍‌’ ଶୀର୍ଷକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। ଶେଷରେ ହରିଣ୍ମୟୀ ମିଶ୍ରଙ୍କ ଗଳ୍ପ ‘ପାପପୁଣ୍ୟ’ ନାଟକ ମଞ୍ଚସ୍ଥ ହୋଇଥିଲା। ପ୍ରଶାନ୍ତ ମହାପାତ୍ର ଏହାର ନାଟ୍ୟ ରୂପାନ୍ତର କରିଥିଲେ। ପ୍ରଜ୍ଞା ପାରମିତା ରଥ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ସମ୍ବନ୍ଧିତ ଖବର