‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସମ‌ାରୋହ, ନାରୀ ଭଗବାନଙ୍କ ସର୍ବଶ୍ରେଷ୍ଠ ସୃଷ୍ଟି: ରାଜ୍ୟପାଳ

ଭୁବନେଶ୍ବର: ନାରୀ ଭଗବାନଙ୍କ ସର୍ବଶ୍ରେଷ୍ଠ ସୃଷ୍ଟି। ନାରୀର ମହତ୍ବ ଅବର୍ଣ୍ଣନୀୟ। ନାରୀଟିଏ କେବେ ଜନ୍ମ ନିଏ ନାହିଁ ସେ ଅବତରି ଥାଏ। ଆଜି ଜୟଦେବ ଭବନଠାରେ ‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ବତ ଓ ସମ୍ବର୍ଦ୍ଧନା ସମ‌ାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହା କହିଛନ୍ତି। ବିଭିନ୍ନ ସମୟରେ ଏ ଦେଶର ନାରୀମାନେ ସମାଜ ପାଇଁ ଶ୍ରେଷ୍ଠ ସନ୍ତାନ ସୃଷ୍ଟି କରିଛନ୍ତି। ବହୁ ବଳିଦାନ ଦେଇଛନ୍ତି। ଜୀବନ ଓ ମୃତ୍ୟୁ ଭିତରେ ସେତିକି ଫରକ ଯେତିକି ମା’ କୋଳରୁ ଶ୍ମଶାନ ଯାଏ ଦୂରତା ବୋଲି ଶ୍ରୀ ଲାଲ୍‌ କହିଥିଲେ। କାର୍ଯ୍ୟକ୍ରମରେ ପ୍ରଫେସର କୈଳାସ ପଟ୍ଟନାୟକ, କବୟିତ୍ରୀ ମନୋରମା ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସାହିତ୍ୟିକ ମନୋଜ ଦାସଙ୍କୁ ‘ଯୁଗଶ୍ରୀ ଯୁଗନାରୀ ଶ୍ରେଷ୍ଠ ସାରସ୍ବତ ସମ୍ମାନ’, ଇନ୍ଦିରା ଦାଶଙ୍କୁ ‘ଯୁଗଶ୍ରୀ ଯୁଗନାରୀ ସାରସ୍ବତ ସମ୍ମାନ’, ଶ୍ରୁତି ମହାପାତ୍ରଙ୍କୁ ‘ଯୁଗଶ୍ରୀ ଯୁଗନାରୀ ସମାଜସେବା ସମ୍ମାନ’, ଅନସୂୟା ନନ୍ଦଙ୍କୁ ‘ଯୁଗଶ୍ରୀ ଯୁଗନାରୀ ଶ୍ରେଷ୍ଠ ସଂପାଦିକା ସମ୍ମାନ’ ଓ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍‌କୁ ଯୁଗଶ୍ରୀ ଯୁଗନାରୀର ‘ଶ୍ରେଷ୍ଠ ସି.ଏସ୍‌.ଆର୍‌ ସମ୍ମାନ’ରେ ସମ୍ମାନିତ କରାଯାଇଛି। ଏହି ଅବସରରେ ‘ଯୁଗଶ୍ରୀ ଯୁଗନାରୀ’ର ସମ୍ପାଦିକା ମମତା ମହାପାତ୍ରଙ୍କ ପ୍ରବନ୍ଧ ପୁସ୍ତକ ‘ସମୟର ସତ୍ୟପାଠ’, କୁମୁଦିନୀ ବରାଇଙ୍କ ଅନୁବାଦ ପୁସ୍ତକ ‘ପରଦା’, ସ୍ମୃତି ଦାସଙ୍କ ଗଳ୍ପ ପୁସ୍ତକ ‘ମାନସ ମନ୍ଥନ’ ଓ କମଳାକାନ୍ତ ଦାଶଙ୍କ ଗଳ୍ପ ପୁସ୍ତକ ‘ପୂଜାରିଣୀ’ ଲୋକାର୍ପିତ ହୋଇଛି। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସହ-ସମ୍ପାଦିକା ପ୍ରଭାବତୀ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂପାଦିକା ଶ୍ରୀମତୀ ମହାପାତ୍ର ସମ୍ପାଦକୀୟ ବକ୍ତବ୍ୟ ଦେଇଥିଲେ। ଦୀପ୍ତି ଦାସ ମଞ୍ଚ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର