ଲେଖାରେ ଓଡ଼ିଆପଣକୁ ଉଚ୍ଚକୁ ନେଇଛନ୍ତି କବି ପ୍ରସନ୍ନ ମିଶ୍ର

ଭୁବନେଶ୍ବର: ସବୁଠୁ ପଛ ଧାଡ଼ିରେ ଥିବା ମଣିଷକୁ ବି ‘ମିଥ୍‌’ କରି ଦେଇପାରୁଥିଲେ କବି ପ୍ରସନ୍ନ ମିଶ୍ର। ମାଟି ମନସ୍କତା, ପ୍ରଗତିବାଦୀ ଦୃଷ୍ଟିଭଙ୍ଗୀ ଏବଂ ମଣିଷକୁ ଭଲ ପାଇବାର ଅଭିବ୍ୟକ୍ତି ସହ ଲେଖା‌ରେ ଓଡ଼ିଆପଣକୁ ସେ ଆହୁରି ଉଚ୍ଚକୁ ନେବାକୁ ଚେଷ୍ଟା କରିଛନ୍ତି। ଲୋକ ସାହିତ୍ୟରେ ଉଚ୍ଚ ଗବେଷଣା ସହ ଗାଁ ଗହଳର ଲୋକଙ୍କ ଅବ୍ୟକ୍ତ କଥାକୁ କବିତାରେ ବ୍ୟକ୍ତ କରିଛନ୍ତି। ଜୀବନବାଦୀ କବି ଡ. ପ୍ରସନ୍ନ ମିଶ୍ରଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ‘ଫାଲଗୁନ ଆସର’ରେ କବିଙ୍କ ସାହିତ୍ୟ କୃତି ସମ୍ପର୍କରେ ଏପରି ମତ ରଖିଛନ୍ତି ଆଲୋଚକବୃନ୍ଦ। କେଦାର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ‘କବିତାରେ ପ୍ରସନ୍ନ’ ଶୀର୍ଷକ ଆଲୋଚନାରେ ସାରସ୍ବତ ବ୍ୟକ୍ତିତ୍ବ ଆଶୁତୋଷ ପରିଡ଼ା, ଅସିତ ମହାନ୍ତି, ମନୋରମା ମହାପାତ୍ର ବିଶ୍ବାଳ ପ୍ରମୁଖ ଆଲୋଚକ ଭାବେ ଯୋଗଦେଇ କବି ପ୍ରସନ୍ନ ମିଶ୍ରଙ୍କ ସାହିତ୍ୟର ଅନ୍ତଃସ୍ବର ବାବଦରେ ଆଲୋଚନା କରିଥିଲେ। ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଛୋଟ ପିଲାଙ୍କ ଜନ୍ମ ଦିନ ପାଳନ ହୁଏ, ତାକୁ କେତେ ଲୋକ ଭଲ ପାଉଛନ୍ତି ତାହା ଚେତେଇ ଦେବା ପାଇଁ। ମାତ୍ର ଗୁରୁଜନଙ୍କ ଜନ୍ମଦିନ ପାଳନ ହୁଏ କୃତଜ୍ଞତା ଜଣାଇବା ପାଇଁ। ସେମାନଙ୍କ ଆଦର୍ଶ ବ୍ୟକ୍ତିତ୍ବ ଆମ ପିଲାମାନଙ୍କ ନିକଟରେ ଉପସ୍ଥାପିତ କରିବା ଉଚିତ୍‌। କବି ପ୍ରସନ୍ନ ଇଂଜିନିୟର ଥିଲେ ହେଁ ସାହିତ୍ୟର କୌଣସି ବିଭାଗକୁ ଅଛୁଆଁ ରଖିନଥିଲେ। ତେଣୁ ଏହି କବିଙ୍କ ସଫଳତାକୁ ଉପଲବ୍ଧି କରି ଆଜିକାଲିର ପିଲାମାନଙ୍କୁ ତାଙ୍କର ପ୍ରବୃତ୍ତି ଅନୁଯାୟୀ ବୃତ୍ତି ଚୟନରେ ସ୍ବାଧୀନତା ଦେବା ଉଚିତ୍‌ ବୋଲି ସେ କହିଥିଲେ। ସାହିତ୍ୟିକ ପ୍ରଫେସର ରାଜକିଶୋର ମିଶ୍ର କବି ପ୍ରସନ୍ନଙ୍କ ମାନବୀୟ ଚେତନା କିପରି ଉଦ୍‌ବୁଦ୍ଧ କରୁଥିଲା ସେ ସମ୍ପର୍କରେ ମତ ରଖିଥିଲେ। ଏହି ଅବସରରେ କବିଙ୍କ ଜୀବନୀ ଓ ସାହିତ୍ୟ କୃତି ଆଧାରିତ ଏକ ବୃତ୍ତଚିତ୍ର ‘ରହୁ କି ନରହୁ…ପ୍ରସନ୍ନ ମିଶ୍ର’ ପ୍ରଦର୍ଶିତ ହୋଇଥିଲା। କବିଙ୍କ କନ୍ୟା ପ୍ରାଚୀତାରା କାର୍ଯ୍ୟକ୍ରମକୁ ପରିଚାଳନା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର