କବିରାଜରୁ ବିଜୟ ହତ୍ୟାକାଣ୍ଡ; ଏବେ ବି ଅନ୍ଧାରରେ

ବଦଳି ଗଲେ ପୁଲିସ କମିସନର, କିନ୍ତୁ ଉନ୍ମୋଚନ ହୋଇ ପାରିଲାନି ରହସ୍ୟ

ଭୁବନେଶ୍ୱର: ବଦଳି ଗଲେ ପୂର୍ବତନ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ। ଅଢ଼େଇ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ବହୁ ଚର୍ଚିତ ହତ୍ୟାକାଣ୍ଡ, ଡକାୟତି ଓ ଲୁଟପାଟ ଘଟଣାର ପର୍ଦାଫାସ କରିଛନ୍ତି। କମିସନରେଟ ପୁଲିସର ଅନେକ ଯୋଜନାକୁ ସଫଳ ରୂପାୟନ ମଧ୍ୟ ଦେଇଛନ୍ତି। କିନ୍ତୁ ଏହି ସମୟରେ ମଧ୍ୟରେ ଘଟି ଯାଇଥିବା କେତେକ ହତ୍ୟାକାଣ୍ଡ ଏବେ ରହସ୍ୟମୟ ହୋଇ ରହିଛି। କେବଳ ତାଙ୍କ ସମୟ କାହିଁକି କମିସନରେଟ ପୁଲିସ ଅଧୀନରେ ଘଟିଥିବା କେତେକ ପ୍ରମୁଖ ହତ୍ୟାକାଣ୍ଡର ପର୍ଦାଫାସ ହୋଇ ପାରି ନାହିଁ।

କବିରାଜ ହତ୍ୟାକାଣ୍ଡ
ଲକ୍ଷ୍ମୀସାଗର ଥାନା ଅଧୀନ ସତ୍ୟନଗର ଓଭରବ୍ରିଜ ତଳେ ଜଣେ ଯୁବକଙ୍କୁ ପିସ୍‌ ପିସ୍‌ କରି ହତ୍ୟା କରି ଅଖା ବ୍ୟାଗରେ ଭର୍ତି କରି ଫିଙ୍ଗି ଦେଇଥିଲେ। ଏ ନେଇ ଲକ୍ଷ୍ମୀସାଗର ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା। ପୁଲିସ ଏହି ଘଟଣାରେ କଦଳୀଗୋଦାମଠାରୁ ଆରମ୍ଭ ବ୍ରହ୍ମପୁର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଏପରିକି ପୁଲିସ କବି ରାଜଙ୍କ ଦାଦା, ଖୁଡ଼ିଙ୍କୁ ଥାନାରେ ଅଟକ ରଖି ଲାଏ ଡିଟେକସନ୍‌ ଟେଷ୍ଟ ମଧ୍ୟ କରାଇଥିଲା। କିନ୍ତୁ ସେହି ହତ୍ୟାକାଣ୍ଡ ଏବେ ବି ରହସ୍ୟ ଘେରରେ। କିଏ ଏବଂ କାହିଁକି କବି ରାଜଙ୍କୁ ହତ୍ୟା କଲା ତାହା ଏବେ ବି ରହସ୍ୟ ଘେରରେ।
ଇଂଜିନିୟରିଂ ଛାତ୍ରଙ୍କ ଗୁଳିବିଦ୍ଧ ଶବ ଜବତ
୨୦୧୪ ନଭେମ୍ବର ମାସର ଶୀତୁଆ ସକାଳ। ଜଟଣୀ ଥାନା ଅଧୀନ ଇଂଜିନିୟର କଲେଜ ନିକଟରୁ ଜଣେ ଯୁବକଙ୍କ ଗୁଳିବିଦ୍ଧ ମୃତଦେହ ଜବତ ହୋଇଥିଲା। ପୁଲିସ ମୃତଦେହକୁ ଜବତ କରି ଏକ ହତ୍ୟା ମାମଲା ରୁଜୁ କରିଥିଲା। କିନ୍ତୁ ପୁଲିସ ମୃତ ଛାତ୍ରଙ୍କର ନା ପରିଚୟ ପାଇ ଥିଲା ନା ତାଙ୍କୁ କେହି ହତ୍ୟା କରିଛି ବୋଲି ଜାଣି ପାରିଥିଲା। ଏହି ହତ୍ୟାକାଣ୍ଡ ଫାଇଲ ସେମିତି ନାଲିଫିତା ତଳେ ଏବେ ରହି ଯାଇଛି।

କୁଆଖାଇ ନଦୀପଠାରେ ଦୁଷ୍କର୍ମ ପରେ ହତ୍ୟା
୨୦୧୭ ମସିହା ଫେବ୍ରୁଆରି ମାସ ୧ ତାରିଖ। ମଞ୍ଚେଶ୍ୱର ଥାନା ଅଧୀନ କୁଆଖାଇ ନଦୀପଠାରୁ ଜବତ ହୋଇଥିଲା ଜଣେ ଯୁବତୀଙ୍କ ମୃତଦେହ। ଯୁବତୀଙ୍କ ଶରୀରର ବିଭିନ୍ନ ସ୍ଥାନରେ ଥିଲା କ୍ଷତ ଚିହ୍ନ। ଗୁପ୍ତାଙ୍ଗରୁ ରକ୍ତ ଝରୁ ଥିଲା। କାମୁଡ଼ା ଦାଗ ବି ଥିଲା। ତଣ୍ଟିରେ କଳା ଚିହ୍ନ ଥିଲା। ମୃତଦେହକୁ ଏକ ଜରି ଅଖାରେ ଭର୍ତି କରାଯାଇ, କଫିନ ଭିତରେ ଭର୍ତି କରାଯାଇ ଫିଙ୍ଗା ଯାଇଥିଲା। ପୁଲିସ ମୃତଦେହ ଜବତ କରିଥିଲା। କିନ୍ତୁ ଯୁବତୀଙ୍କ ପରିଚୟ ପାଇ ନ ଥିଲା। ଏପରିକି ମୃତଦେହର ପରିଚୟ ପାଇବା ପାଇଁ ପୁଲିସ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ଛାପିବା ସହିତ ସୂଚନା ଦେଇ ପୁରସ୍କାର ଘୋଷଣା କରିଥିଲା। ଏହି ହତ୍ୟାକାଣ୍ଡର ଏବେ ବି ପର୍ଦାଫାସ ହୋଇ ପାରିନାହିଁ।

ମେଘେଶ୍ୱର ମନ୍ଦିରରେ ବୃଦ୍ଧଙ୍କୁ ପଥର ଛେଚି ହତ୍ୟା ଘଟଣା
୨୦୧୭ ଫେବ୍ରୁଆରି ୯ ତାରିଖ। ବଡ଼ଗଡ଼ ଥାନା ଅଧୀନ ମେଘେଶ୍ୱର ମନ୍ଦିର ପରିସରରେ ଜଣେ ବୃଦ୍ଧଙ୍କୁ କେହି ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିଥିଲା। ଏ ନେଇ ବଡ଼ଗଡ଼ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା। ପୁଲିସ ଏଯାଏଁ ହତ୍ୟାକାରୀକୁ ଗିରଫ କରିବାକୁ ସକ୍ଷମ ହୋଇନାହିଁ। କେବଳ ହତ୍ୟାକାରୀ କାହିଁକି ପୁଲିସ ମୃତ ବୃଦ୍ଧ ଜଣକ କିଏ ? ତାହା ମଧ୍ୟ ଜାଣି ପାରିନି।

କୁଆଖାଇପଠାରେ ଦ୍ୱିତୀୟ ହତ୍ୟାକାଣ୍ଡ
୨୦୧୭ ମସିହା ସେପ୍ଟେମ୍ବର ମାସ ୯ ତାରିଖରେ ମଞ୍ଚେଶ୍ୱର ଥାନା ଅଧୀନ ହଁସପାଳ ବ୍ରିଜ୍‌ ତଳେ ଜଣେ ମାଛ ଧରାଳି ବିଜୟ ବେହେରାଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିଲା। କୁଆଖାଇ ପଠା ରକ୍ତରଂଜିତ ହୋଇଥିଲା। ଏନେଇ ମଞ୍ଚେଶ୍ୱର ଥାନା ପୁଲିସ ହତ୍ୟା ମାମଲା ରୁଜୁ କରିଥିଲେ ମଧ୍ୟ ଏହି ଘଟଣାର ଅଭିଯୁକ୍ତ ଏବେ ବି ପୁଲିସ ପାଇଁ ଅପହଞ୍ଚ।

ସମ୍ବନ୍ଧିତ ଖବର