କିଏ ତାଙ୍କୁ କୁହେ ଆଧୁନିକ ଓଡ଼ିଆ କବିତାର ଗୈରିକ ଗ୍ରିକ୍ ଦେବତା ତ ପୁଣି କିଏ କୁହେ, ଅଦ୍ୱିତୀୟ ସାଧକ। ସେଇଥିପାଇଁ ସେ ହିଁ କେବଳ କହିପାରନ୍ତି, ଭଲ ପାଇବାରେ ଆକର୍ଷଣ ଯେତିକି, ଆତଙ୍କ ସେତିକି। କେବେ ଦିବ୍ୟ ଚେତନା ତ କେବେ ଶାଶ୍ୱତ ପ୍ରେମ କାହାଣୀକୁ ନେଇ ତାଙ୍କ ରଚିତ ରାଶିରାଶି କବିତା ପାଠକକୁ ନିମଗ୍ନ କରିଛି। କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କର ଏହା ହିଁ ବିଶେଷତ୍ୱ। କେବେ ପ୍ଲେନ୍ରେ ଥିବା ବେଳେ ସିଗାରେଟ୍ ଖୋଳରେ କବିତା ଲେଖିପକାଇଛନ୍ତି ତ କେବେ ପ୍ରାକୃତିକ ବନରାଜିକୁ ଦେଖି ଟୁକୁଡ଼ା କାଗଜ ଖଣ୍ଡେ ଖୋଜି ଲେଖି ପକାଇଛନ୍ତି। ସାହିତ୍ୟକୁ ଜୀବନବ୍ୟାପୀ ଅବଦାନ ପାଇଁ ତାଙ୍କୁ ଅତିବଡ଼ୀ ପୁରସ୍କାର ମିଳିବା ନେଇ ଘୋଷଣା ହେବା ପରେ ତାଙ୍କ ସହ ଗପସପରୁ କିଛି…
Sambad is now on WhatsApp
Join and get latest news updates delivered to you via WhatsApp
କବିତା ପ୍ରତି ଆକର୍ଷଣ କେବେଠୁ ?
ମୁଁ କେବେ କବିତା ଲେଖିବି ବୋଲି ଭାବି ନଥିଲି। ସ୍କୁଲ୍ରେ ପଢ଼ିବା ବେଳେ ମାଟ୍ରିକ୍ ଶେଷ ବର୍ଷ ବର୍ଷା ଋତୁ ଉପରେ ପ୍ରବନ୍ଧ ଲେଖିବାକୁ କୁହାଗଲା। ମୁଁ ଲେଖିବା ପରେ ସେ ପ୍ରବନ୍ଧ ପଢ଼ି ମୋ ଗୁରୁ ଗୋବିନ୍ଦ ଚନ୍ଦ୍ର ଉଦ୍ଗାତା ପ୍ରଶଂସା କଲେ। ସେବେଠୁ ଲେଖାଲେଖି ପାଇଁ ଉତ୍ସାହ ବଢ଼ିଲା। କିନ୍ତୁ ପୁରୀ କଲେଜ୍ରେ ପଢ଼ିବା ବେଳେ ସମୁଦ୍ରକୂଳରେ ବୁଲୁବୁଲୁ କିଛି ଲେଖିବାକୁ ଆଗ୍ରହ ଜନ୍ମିଲା। ପରେ ମୋ ଲେଖାଗୁଡ଼ିକ ଖବରକାଗଜରେ ବାହାରିଲା। ତେବେ କଟକରେ ରେଭେନ୍ସା କଲେଜ୍ରେ ଅଧ୍ୟୟନ ବେଳେ କବିତା ପ୍ରତି ବେଶି ସମର୍ପିତ ହେଲି। ଅଧ୍ୟାପକମାନେ ବି ଉତ୍ସାହିତ କରିଥିଲେ।
ଚାକିରି କାଳରେ ପରିବେଶ ଓ ପରିସ୍ଥିତି ଲେଖିବାରେ ସହଯୋଗ କରିଛି କି ?
କଳାହାଣ୍ଡି, ଫୁଲବାଣୀ ଭଳି ଜାଗାରେ ମୋ’ର ପୋଷ୍ଟିଂ ହୋଇଥିଲା। ଜଙ୍ଗଲ ଓ ପାହାଡ଼ ଅଞ୍ଚଳରେ ରହିଲା ପରେ କବିତା ଲେଖିବା ପାଇଁ ଅନୁକୂଳ ପରିସ୍ଥିତି ଅଛି ବୋଲି ଅନୁଭବ ହେଲା। ମୁଁ ଥରେ ଭଂଜ ନଗରରୁ ଫୁଲବାଣୀ ଆସୁଥାଏ। ବାଟରେ ପଡ଼ୁଥିବା କଳିଙ୍ଗା ଘାଟି ଉପରେ ରାତିରେ ଏକ ଜହ୍ନ ଉଇଁଥିଲା। ସେ ଦୃଶ୍ୟ ଦେଖି ‘ଜହ୍ନରାତି’ ଶୀର୍ଷକ କବିତା ଲେଖିଲି। ବାସ୍ତବରେ ପରିବେଶ ଅନେକ ସମୟରେ ପ୍ରେରଣା ଦେଇଛି।
୪ ବର୍ଷ ହେଲା ଏହି ନିର୍ଦିଷ୍ଟ ପୁରସ୍କାର ପାଇଁ ଆପଣଙ୍କ ନାଁ ଚର୍ଚାକୁ ଆସୁଛି, ଏ ସମ୍ପର୍କରେ କ’ଣ କହିବେ ?
ପୁରସ୍କାର ସହ ଲେଖିବାର କିଛି ସମ୍ପର୍କ ନାହିଁ। ଭୀମ ଭୋଇଙ୍କୁ କିଏ ପୁରସ୍କାର ଦେଇଛି କିନ୍ତୁ ସବୁ ପୁରସ୍କାରଠୁ ତାଙ୍କ ଲେଖା ଊର୍ଧ୍ୱରେ।
ଆପଣଙ୍କର ‘ଶ୍ରୀରାଧା’ ସବୁଠୁ ବେଶି ସ୍ୱୀକୃତି ପାଇବା ପଛର ରହସ୍ୟ କ’ଣ ?
ସେସବୁ ବହିର ଭାଗ୍ୟ ଉପରେ ନିର୍ଭର କରେ। ଶ୍ରୀରାଧା ଫୁଲବାଣୀରେ ଜିଲ୍ଲାପାଳ ଥିବା ବେଳେ ଆରମ୍ଭ କଲି ଦିଲ୍ଲୀରେ ସାରିଥିଲି। ଶ୍ରୀରାଧା ଲେଖିବାକୁ ମତେ ୬ ବର୍ଷ ଲାଗିଥିଲା। କିନ୍ତୁ ଶ୍ରୀପଳାତକ ଲେଖିବାକୁ ୧୧ ବର୍ଷ ଲାଗିଗଲା। ତେବେ ‘ଶ୍ରୀରାଧା’ ଲେଖିବା ବେଳେ ଲାଗୁଥିଲା ଯେମିତି ମତେ କିଏ ଡାକି ଦେଉଛି ଏବଂ ମୁଁ ଲେଖୁଛି।
ଯୁବପିଢ଼ିର କବିତାକୁ ନେଇ ଆପଣଙ୍କ ମତ କ’ଣ ?
ଯୁବପିଢ଼ିଙ୍କ ମଧ୍ୟରୁ ଅନେକ ସାର୍ଥକ କବିତା ସୃଷ୍ଟି କରୁଛନ୍ତି କିନ୍ତୁ ଅନେକଙ୍କ କବିତା ବୋଧଗମ୍ୟ ହେଉନି। ମୋ ମତରେ କବିତାଟି ବୋଧଗମ୍ୟ ହେବା ଜରୁରି। ନଚେତ ଲେଖାର ଆବେଦନ ପାଠକ ପାଖରେ ପହଞ୍ଚେ ନାହିଁ।