କିସ୍‌ ଓ କିଟ୍‌ ପରିଦର୍ଶନ କଲେ କୈଳାସ ସତ୍ୟାର୍ଥୀ

ଭୁବନେଶ୍ୱର : ଆଜି ରାଜଧାନୀରେ ଏକ ଆଲୋଚନାଚକ୍ରରେ ଭାଗ ନେବାକୁ ଆସିଥିବା ନୋବେଲ ଶାନ୍ତି ବିଜେତା, ବିଶିଷ୍ଟ ଶିଶୁ ଅଧିକାର କର୍ମୀ ତଥା ବଚପନ୍‌ ବଚାଓ ଆନ୍ଦୋଳନର ପ୍ରତିଷ୍ଠାତା କୈଳାସ ସତ୍ୟାର୍ଥୀ ସସ୍ତ୍ରୀକ ଶୁକ୍ରବାର କିସ୍‌ ଓ କିଟ୍‌ ପରିଦର୍ଶନ କରିଛନ୍ତି। ଶ୍ରୀ ସତ୍ୟାର୍ଥୀ କିଟ୍‌ର ସମସ୍ତ କ୍ୟାମ୍ପସ୍‌ ବୁଲିବା ସହ କିସ୍‌ର ବିଭିନ୍ନ ବିଭାଗ ବୁଲିିଥିଲେ। ଏହି ଅବସରରେ କିସ୍‌ର ୧୭ହଜାର ଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ସେ କହିଲେ, କିସ୍‌ର ୧୭ହଜାର ଛାତ୍ରୀଙ୍କ ମୁହଁରେ ହସ ଦେଖି ମୁଁ ବେଶ ଆନନ୍ଦିତ। ପିଲାଙ୍କ ହସ ଯେଉଁଠାରେ ଥାଏ, ସେଠାରେ ମନ୍ଦିର, ମସଜିଦ୍‌ ଓ ଗୀର୍ଜା ମଧ୍ୟ ସ୍ଥାନ ପାଇଥାଏ। ତୁମମାନଙ୍କୁ କିସ୍‌ ଭଳି ଏକ ସୁନ୍ଦର ଓ ବିରାଟ ଅନୁଷ୍ଠାନ ମିଳିଛି। ଗ୍ରାମାଞ୍ଚଳର ପିଲାମାନେ ଶିକ୍ଷା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି। ତୁମେମାନେ କିସ୍‌ ଭଳି ସୁଯୋଗ ପାଇଥିବାରୁ ଏହାର ସଦ୍‌ବିନିଯୋଗ କରିବା ଉଚିତ। ଏଠାରୁ ଶିକ୍ଷାଗ୍ରହଣ କରି ତୁମେମାନେ ସମଗ୍ର ବିଶ୍ୱର ପିଲାମାନେ ଯେଭଳି ଶିକ୍ଷା ପାଇ ପାରିବେ ସେ ଦିଗରେ ଚେଷ୍ଟା କରିବା ଉଚିତ। ସେ ଆହୁରି କହିଲେ ଯେ ବିକାଶର ମୂଳ ମନ୍ତ୍ର ହେଉଛି ଶିକ୍ଷା। ଶିକ୍ଷା କେବଳ ଜନଜାତି ପିଲାଙ୍କ ବିକାଶ ନୁହେଁ ସମଗ୍ର ବିଶ୍ୱର ବିକାଶ ପାଇଁ ଶିକ୍ଷା ଏକାନ୍ତ ଅପରିହାର୍ଯ୍ୟ। ଏହି ଅବସରରେ ଶ୍ରୀ ସତ୍ୟାର୍ଥୀଙ୍କୁ ଭବ୍ୟ ସ୍ୱାଗତ କରିବା ସହ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, କୈଳାସ ସତ୍ୟାର୍ଥୀଙ୍କ ପରିଦର୍ଶନ ଦ୍ୱାରା କିସ୍‌ର ଛାତ୍ରଛାତ୍ରୀମାନେ ବେଶ୍‌ ଅନୁପ୍ରାଣୀତ ହେବେ। ଅନ୍ୟମାନଙ୍କ ମଧ୍ୟରେ କିସ୍‌ର ସଂପାଦକ ଆର ଏନ୍‌ ଦାଶ, କିସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର