ବାଲିଅନ୍ତାରେ କାଳବୈଶାଖୀ : ଭାଙ୍ଗିଗଲା ଯଜ୍ଞମଣ୍ଡପ, ଉଡ଼ିଲା ଟେଣ୍ଟ୍‌

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଞ୍ଚଳରେ ଆଜି ରାତି ୯ଟା ସମୟରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଦୀର୍ଘ ୧ଘଣ୍ଟା ଧରି ପ୍ରବଳ ମାତ୍ରାରେ ମେଘ ପବନ ସହ ବିଜୁଳି ଓ ଘଡ଼ଘଡ଼ି ମାରିବା ଯୋଗୁ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅନେକ ସ୍ଥାନରେ ବିଦ୍ୟୁତ୍‌ ବିଭ୍ରାଟ ସମସ୍ୟା ଦେଖା ଦେଇଥିବା ବେଳେ ଗଛ ଡାଳ ଭାଙ୍ଗି ଯାତାୟାତ ସମସ୍ୟା ଉପୁଜିଛି। ଏହି ବ୍ଲକ ଅଧୀନ ପ୍ରତାପରୁଦ୍ରପୁର ପଞ୍ଚାୟତ ସବୁଠାରୁ ବେଶି ପରିମାଣରେ ପ୍ରଭାବିତ ହୋଇଛି। ପାରିବାସୁଦେଇପୁର ସ୍ଥିତ ଆରାଧ୍ୟ ଦେବତା ପ୍ରଭୁ ନୃସିଂହନାଥ ଦେବଙ୍କ ମହୋତ୍ସବ ଓ ବିଶ୍ୱଶାନ୍ତି ଯଜ୍ଞର ଆଜିର ପୂର୍ଣ୍ଣାହୁତି ଦିବସରେ ଏଥିଯୋଗୁ ବଡ଼ ଅଘଟଣ ଘଟିଛି। ବର୍ଷା ପବନରେ ଯଜ୍ଞ ମଣ୍ଡପ ଭାଙ୍ଗି ଯାଇଥିବା ବେଳେ ମନ୍ଦିର ପରିସରରେ ବନ୍ଧା ଯାଇଥିବା ଟେଣ୍ଟ୍‌ ତମ୍ବୁ ସମେତ ଅନେକ ଦୋକାନର ଜରିପାଲ ଓ ପଲିଥିନ ଉଡ଼ି ଯାଇଛି। ସବୁଠାରୁ ବଡ଼କଥା ହେଉଛି ଯଜ୍ଞ ଶେଷରେ ପ୍ରସାଦ ସେବନ ପାଇଁ ବସିଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ଖାଇବା ପତ୍ର ଉଡ଼ି ଯାଇଥିଲା। ଆୟାଜକ ଯଜ୍ଞ କମିଟି ପକ୍ଷରୁ ପାଖାପାଖି ୪୦୦୦ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୫୦୦ ରୁ ଅଧିକ ଲୋକଙ୍କ ପତ୍ରରେ ଭାତ, ଡାଲ୍‌ମା ଭୋଜନ ପରଶା ଯାଇଥିଲା। ହେଲେ ଅଚାନକ କାଳବୈଶାଖୀ ବର୍ଷା ପବନ ସବୁ କିଛି ବେହାଲ୍‌ କରିଦେଇଥିଲା। ଦୀର୍ଘ ୨ ଘଣ୍ଟା ସମୟ ଧରି ବର୍ଷା ଲାଗି ରହିବା ଫଳରେ ଶହ ଶହ ଲୋକ ହିନସ୍ତା ହୋଇଥିଲେ। ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିବା ଉପରୋକ୍ତ ଐତିହ୍ୟ ସଂପନ୍ନ ମନ୍ଦିର ପରିସରରେ ମଣ୍ଡପ ନିର୍ମାଣ ହୋଇପାର ନଥିବାରୁ ଏଭଳି ସମସ୍ୟା ଦେଖାଦେଲା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏଦିଗରେ ବିଭାଗୀୟ କର୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସମଗ୍ର ପଞ୍ଚାୟତବାସୀଙ୍କ ଠାରୁ ଦାବି ହେଉଛି।

ସମ୍ବନ୍ଧିତ ଖବର