‘କଳାମଣ୍ଡଳ’ ଆଉ ଅଢ଼େଇ ବର୍ଷ : ୬୨ ହଜାର ବର୍ଗଫୁଟରେ ହେବ ପାର୍କିଂ ବ୍ୟବସ୍ଥା

ଭୁବନେଶ୍ୱର : ଖୋଲିବ କଳାମଣ୍ଡଳର ଭାଗ୍ୟ। କଳା ଓ ବହୁବିଧ ସାଂସ୍କୃତିକ କାର୍ଯ୍ୟକ୍ରମର ମିନି ନଗର ଭାବେ ଉଭା ହେବ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ। ମାତ୍ର ଏଥି ପାଇଁ ଆହୁରି ଅଢ଼େଇ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ୨୦୦୫ରୁ ପ୍ରକଳ୍ପର ନୀଳ ନକ୍ସା ପ୍ରସ୍ତୁତ ହୋଇଥିଲେ ହେଁ ୧୩ ବର୍ଷ ପରେ ଆଶା ଜାଗିଛି। ବର୍ତମାନ ସୁଦ୍ଧା ମୂଳଦୁଆ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୨୩୪ ସ୍ତମ୍ଭରୁ ୨୨୦ଟି ସ୍ତମ୍ଭ ନିର୍ମାଣ ସରିଛି।

ପରିସର ମଧ୍ୟରେ ୨ହଜାର ସିଟ୍‌ କ୍ଷମତା ବିଶିଷ୍ଟ ମେଗା ଅଡିଟୋରିୟମ ସମେତ ୫୦୦ ସିଟ୍‌ ବିଶିଷ୍ଟ ଆମ୍ପି ଥିଏଟର କରାଯିବ। ନିର୍ମାଣ କାମ ଆଉ ଦେଢ଼ ବର୍ଷରୁ ଅଧିକ ସମୟ ଲାଗିବ। ଏଥିସହ ଆନୁଷଙ୍ଗିକ ଭିତ୍ତିଭୂମି ଓ ଆଭ୍ୟନ୍ତରୀଣ ସାଜସଜା ପାଇଁ ଆଉ ଏକ ବର୍ଷ ସମୟ ସୀମା ଧାର୍ଯ୍ୟ କରିଛି ନିର୍ମାଣ ଦାୟିତ୍ୱରେ ଥିବା ଇଡ୍‌କୋ।

ଗତ ଫେବ୍ରୁଆରି ୬ ତାରିଖରୁ ମେଗା ଅଡିଟୋରିୟମର କାମ ଆରମ୍ଭ ହୋଇଥିବା ବେଳେ ୨୦୧୯ ଜୁଲାଇ ୧୫ ତାରିଖ ସୁଦ୍ଧା ଏହାକୁ ସାରିବା ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ତେବେ ଲଗାତାର ବର୍ଷା ଯୋଗୁଁ କାମ ବାଧାପ୍ରାପ୍ତ ହୋଇଛି। ନିର୍ମାଣ ସ୍ଥଳରେ ୪ ମିଟର ଖୋଳାଯାଇଥିବାରୁ ପାଣି ଜମି ରହି ନିର୍ମାଣରେ ବାଧା ସୃଷ୍ଟି କରିଛି ବୋଲି ଇଡ୍‌କୋ (ଯୋଜନା ଓ ସମନ୍ଵୟ)ର ମୁଖ୍ୟ ମହା ପ୍ରବନ୍ଧକ ଗୋଲକ ବିହାରୀ କର କହିଛନ୍ତି।

ସେହିଭଳି ଏକ ପ୍ରମୁଖ ଅଞ୍ଚଳରେ ଏହା କରାଯାଉଥିବାରୁ ପାର୍କିଂ ଭିଡ଼ ଏଡ଼ାଇବାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। ୩ଟି ଫ୍ଲୋର୍‌ ହେବାକୁ ଥିବା ବେଳେ ୬୨ ହଜାର ବର୍ଗଫୁଟ ପରିମିତ ଗ୍ରାଉଣ୍ଡ୍‌ ଫ୍ଲୋର୍‌ରେ ପାର୍କିଂ ସୁବିଧା କରାଯିବ। ପ୍ରବେଶ ପଥ ଲବି ୯ମିଟର ଦୀର୍ଘ ଏବଂ ୩୦ ମିଟର ଉଚ୍ଚ ବିଶିଷ୍ଟ ଅତ୍ୟାଧୁନିକ ଶୈଳୀରେ ଏହା ନିର୍ମିତ ହେବ। ପ୍ରକଳ୍ପ ପାଇଁ ମୋଟ୍‌ ୫୯କୋଟି ୮୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ବର୍ତମାନ ସୁଦ୍ଧା ସଂସ୍କୃତି ବିଭାଗଠାରୁ ଇଡ୍‌କୋ ୨୫ କୋଟି ଟଙ୍କା ପାଇସାରିଛି। ଡିକେ ଇଂଜନିିୟରିଂ ଆଣ୍ଡ୍‌ କନ୍‌ଷ୍ଟ୍ରକ୍ସନ୍‌କୁ ନିର୍ମାଣ କାମର ଟେଣ୍ଡର ଦିଆଯାଇଛି।

୨୦୦୫ରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଦ୍ୱାରା ମଞ୍ଜୁର ହୋଇଥିବା ଏହି କଳାମଣ୍ଡଳ ପ୍ରକଳ୍ପ ସୈନିକ ସ୍କୁଲ୍‌ ନିକଟରେ ୯.୮୫ ଏକରରେ ହେବାକୁ ଯୋଜନା ହୋଇଥିଲା। ଏହା ମଧ୍ୟରେ ଚିତ୍ର ଓ ଭାସ୍କର୍ଯ୍ୟ କଳା ପ୍ରଦର୍ଶନୀ ଓ ସଂଗ୍ରହାଳୟ ଉଦ୍ଦେଶ୍ୟରେ ଏକ ‘ଲଳିତ କଳାମଣ୍ଡଳ’ର ଯୋଜନା ମଧ୍ୟ ହୋଇଥିଲା। ତେବେ ଜମି ବିବାଦ ଯୋଗୁଁ ତାହା ହୋଇପାରିନଥିଲା। ମାମଲା ଉଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ଯାଇଥିଲା। ତେବେ ସଂସ୍କୃତି ବିଭାଗ ମାମଲା ଜିତିଥିବା ଥିବାରୁ ‘ଲଳିତ କଳାମଣ୍ଡଳ’ ସ୍ଥାପନ ପାଇଁ ମଧ୍ୟ ଆଶା ଜାଗିଛି।

ସାଂସ୍କୃତିକ କାର୍ଯ୍ୟକ୍ରମର ଓ୍ଵାନ୍‌ ଷ୍ଟପ୍‌ ଡେଷ୍ଟିନେସନ୍‌ ଭାବେ ଜଣାଶୁଣା ଏହି କଳାମଣ୍ଡଳ ପରିସର ମଧ୍ୟରେ ଏକ କଳାଗ୍ରାମ, ସଂଗ୍ରହାଳୟ, ମୁକ୍ତାକାଶ ମଞ୍ଚ, ଅତିଥି ଭବନର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଶ୍ରୀ କର କହିଛନ୍ତି। ସହରରେ ଘରୋଇ ଅଡିଟୋରିୟମ ୧୨୦୦ ସିଟ୍‌ କ୍ଷମତା ବିଶିଷ୍ଟ ଥିବା ବେଳେ କଳାମଣ୍ଡଳର ଏହି ୨ ହଜାର ସିଟ୍‌ କ୍ଷମତା ବିଶିଷ୍ଟ ମେଗା ଅଡିଟୋରିୟମ ସାଂସ୍କୃତିକ ଅନୁଷ୍ଠାନ ପାଇଁ ସୁଯୋଗ ସୃଷ୍ଟି କରିବ। ସଂପ୍ରତି ପର୍ଯ୍ୟଟନ କ୍ଷେତ୍ରରେ ମାଇସ୍‌ ପର୍ଯ୍ୟଟନ ତଥା ସମ୍ମିଳନୀ ପର୍ଯ୍ୟଟନ ପାଇଁ ବିପୁଳ ସୁଯୋଗ ରହଛି। ତେଣୁ ଏହି ଅଡିଟୋରିୟମ ନିର୍ମିତ ହେଲେ ଅନ୍ତର୍ଜାତୀୟ ସ୍ତରର ସମ୍ମିଳନୀ ପାଇଁ ସୁଯୋଗ ସୃଷ୍ଟି ହେବା ସହ ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିବାରେ ମଧ୍ୟ ସହାୟକ ହେବ।

ସମ୍ବନ୍ଧିତ ଖବର