ଆସୁଛନ୍ତି ମା’ ମହାକାଳୀ

ଚଳଚଞ୍ଚଳ ପୀଠ, ମଣ୍ଡପ

ଭୁବନେଶ୍ୱର : ମତବାଦ କହେ ମାସାନାଂ କାର୍ତିକଃ ଶ୍ରେଷ୍ଠ..। କାର୍ତିକର ଏହି ମଙ୍ଗଳମୟ ଅବକାଶରେ ଶକ୍ତିର ଆଧାର ମା’ କାଳୀଙ୍କର ପୂଜାର୍ଚନା ପାଇଁ ସହରର କାଳୀମନ୍ଦିରରେ ନୀତି ନିର୍ଘଣ୍ଟ ସ୍ଥିର ହୋଇସାରିଛି। ମା’ଙ୍କ ତମସା ରୂପ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ନେତ୍ର ଅପେକ୍ଷା କରି ରହିଛି। ମଧୁକୈଟବ ଓ ସମରାସୁରକୁ ସଂହାର କରି ପୃଥିବୀକୁ ରାକ୍ଷସଙ୍କ କବଳରୁ ମୁକ୍ତି ଦେଇ ମା’ ନାରୀ ଶକ୍ତିର ପରାକାଷ୍ଠା ଦେଖାଇ ଯୁଦ୍ଧର ଦେବୀ ଭାବେ ମଧ୍ୟ ପୂଜା ପାଇବେ ବୋଲି କହିଛନ୍ତି ୬ନମ୍ବର ରକ୍ଷାକାଳୀ ମନ୍ଦିରର ମୁଖ୍ୟ ପୂଜକ ପ୍ରମୋଦ କୁମାର ପଣ୍ଡା। ସତ୍ୟନଗରର ସତ୍ୟକାଳୀ, ୬ ନମ୍ବରର ରକ୍ଷାକାଳୀ, ବରମୁଣ୍ଡାର ଦକ୍ଷିଣକାଳୀଙ୍କ ସମେତ ସୈନିକ ସ୍କୁଲ୍‌ ନିକଟ କାଳୀ ମନ୍ଦିରରେ ପ୍ରସ୍ତୁତି ଚାଲିଛି।  କେଉଁଠି କେଉଁଠି ମୀନାବଜାର ଓ ମେଳା ପାଇଁ ଆୟୋଜନ କରାଯାଉଛି। ପାଣିପାଗ ବର୍ଷା ଆସିବ ବୋଲି କହି ଡରାଉଥିଲେ ହେଁ ପ୍ରସ୍ତୁତି ପର୍ବ ଫିକା ପଡ଼ିନି।

ରକ୍ଷାକାଳୀ: ୬ ନମ୍ବର ଗଙ୍ଗନଗର

ୟୁନିଟ୍‌ ୬ସ୍ଥିତ ମା’ ରକ୍ଷାକାଳୀଙ୍କ ପୀଠ ୧୮ ତାରିଖରୁ ଚଳଚଞ୍ଚଳ ହେବ। ଭଜନ ସନ୍ଧ୍ୟା ସହ ପ୍ରଥମ ଦିନକୁ ବିଦାୟ ଦେବା ପରେ ୧୯ ତାରିଖରେ ଜଳଯାତ୍ରା ଏବଂ ୪ଟାରେ ଦର୍ଶନ ମିଳିବ। ଅର୍ଧରାତ୍ରରେ ଯୋଗିନୀ ପୂଜା, ଯଜ୍ଞ, ପର୍ବଧୂପ, ବଳିଦାନ ଓ ୧୦୦୮ ବତି ଦାନ କରାଯିବ। ୨୦ରେ ସକାଳ ୮ଟା ୫୦ ସୁଦ୍ଧା ଘଟ ବିସର୍ଜନ କରାଯିବ। ୨୦ ଓ ୨୧ ତାରିଖ ଭଜନ, ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯିବ। ମା’ ରକ୍ଷାକାଳୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏନେଇ ବ୍ୟାପକ ଆୟୋଜନ କରାଯାଇଛି ବୋଲି ମନ୍ଦିରର ପୂଜକ ପ୍ରମୋଦ କୁମାର ପଣ୍ଡା କହିଛନ୍ତି।

ସତ୍ୟକାଳୀ ପୀଠ: ସତ୍ୟନଗର

ସତ୍ୟନଗରସ୍ଥିତ ସତ୍ୟକାଳୀ ପୀଠରେ ମା’ ଦଶ ମହାବିଦ୍ୟା ବେଶରେ ଭୂଷିତ ହୋଇ ଦର୍ଶନ ଦେବେ। ବିଭିନ୍ନ ରାଶି ଓ ଗ୍ରହ ଅନୁଯାୟୀ ମା’ଙ୍କ ବେଶ ଅନୁଷ୍ଠିତ ହେବ। ୧୯ରେ ମା’ଙ୍କ ମହାକାଳୀ ବେଶ ଅନୁଷ୍ଠିତ ହେବା ପରେ, ଧନୁ ଓ ମୀନରାଶି ପାଇଁ ଉଦ୍ଦିଷ୍ଟ ତାରାବେଶ, ମିଥୁନ ଓ କନ୍ୟାରାଶି ଆଧାରରେ ଷୋଡ଼ଶୀ ବେଶ, କର୍କଟ ରାଶି ଆଧାରରେ ଭୁବନେଶ୍ୱରୀ ବେଶ, ନବଗ୍ରହ ଅଧାରରେ ଭୈରବୀ ବେଶ, ରାହୁ ଶାନ୍ତି ପାଇଁ ଛିନ୍ନ ମସ୍ତା ବେଶ, କେତୁ ଶାନ୍ତି ପାଇଁ ଧୂମାବତୀ ବେଶ, ବିଛା ଓ ମେଷ ରାଶି ପାଇଁ ବଗଳା ବେଶ, ସିଂହ ରାଶି ପାଇଁ ମାତଙ୍ଗୀ ବେଶ ଏବଂ ବୃଷ ଓ ତୁଳା ରାଶି ପାଇଁ କମଳା ବେଶ ଅନୁଷ୍ଠିତ ହେବ। ଦଶମହାବିଦ୍ୟା ବେଶରେ ଦେବୀଙ୍କ ପୂଜାରେ ଭାଗ ନେବା ପାଇଁ ଶ୍ରଦ୍ଧାଳୁମାନେ ୭୫୦ ଟଙ୍କା ଏବଂ ନବଗ୍ରହ ଶାନ୍ତି ପାଇଁ ୧୦ ଦିନ ବ୍ୟାପୀ ଦୀପ ବସାଇବାକୁ ୧୫୦୦ ଟଙ୍କା ଦେୟ ରଖାଯାଇଛି। ମନ୍ଦିର ପରିଚାଳନା ସମିତି ପକ୍ଷରୁ ଆୟୋଜିତ ଏହି ପୂଜାରେ ମୀନାବଜାର ସହ ଦୋଳିର ଆୟୋଜନ କରାଯାଇଛି। ଏଠାରେ ମେଳା ଓ ପୂଜା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସମ୍ପାଦକ ଅଶୋକ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି।

ଦକ୍ଷିଣକାଳୀ: ବରମୁଣ୍ଡା

କାର୍ତିକ କୃଷ୍ଣପକ୍ଷରେ ୧୬ରୁ ୨୦ ପର୍ଯ୍ୟନ୍ତ ବରମୁଣ୍ଡା ଗ୍ରାମସ୍ଥ ମା’ ଦକ୍ଷିଣକାଳୀ ଠାକୁରାଣୀଙ୍କ ପୀଠରେ ୩୮ତମ ମହାକାଳୀ ପୂଜା ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ। ଶ୍ରୀଶ୍ରୀ ମା’ ଦକ୍ଷିଣକାଳୀ ମନ୍ଦିର ପରିଚାଳନା ସମିତି ସଭ୍ୟ ଓ ବରମୁଣ୍ଡା ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ଏହି ପୂଜା ପାଇଁ ଆଜିଠୁ ଅଧିବାସ, ଅଙ୍କୁରାରୋପଣ ଓ ଜଳଯାତ୍ରା କରାଯାଇଛି।  ୧୮ରେ ପାର୍ଶ୍ୱ ଦେବଦେବୀ ପୂଜା ଏବଂ ୧୯ରେ ଅର୍ଧରାତ୍ରିରେ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହେବ। ଏହି ଅବସରରେ ସମିତି ପକ୍ଷରୁ ୧୬ରେ ଭଜନ ନୃତ୍ୟ, ୧୮ରେ ପ୍ରବଚନ ଏବଂ ୨୦ରେ ରାମେଶ୍ୱର ଭଜନ ସନ୍ଧ୍ୟା ସହ ପ୍ରସାଦ ସେବନ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଧୋବେଇ ପାଟ୍ଟସାହାଣୀ ସୂଚନା ଦେଇଛନ୍ତି।

ମା’ କାଳୀ: ସହିଦ ନଗର

ସହିଦନଗର ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ମା’ କାଳୀଙ୍କ ପୂଜାର୍ଚନାର ପର୍ବ ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ। ୨୦ରେ ମା’ଙ୍କ ଷୋଡ଼ଶ ଉପଚାର ପୂଜା କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ମେଲୋଡି ଜାରି ରହିବ। ୨୯ରେ ଭସାଣି ପର୍ବ ଅନୁଷ୍ଠିତ ହେବ। ଏଠାରେ ମଧ୍ୟ ସହିଦନଗର ଯାତ୍ରା ପଡ଼ିଆରେ ମୀନାବଜାର ଓ ମେଳାର ବ୍ୟାପକ ଆୟୋଜନ ହୋଇଛି ବୋଲି ପୂଜା ସମିତିର ସମ୍ପାଦକ ନାରାୟଣ ମହାପାତ୍ର କହିଛନ୍ତି। ଏହି ଅବସରରେ ଅନାଥ ଶିଶୁଙ୍କୁ ଦୀପାବଳିର ଉପହାର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ଏକ ସଭାରେ ସହରର କିଛି ଦୁର୍ଗାପୂଜା ସମିତି ସମେତ ଅନ୍ୟ ଦେବଦେବୀଙ୍କ ପୂଜା ତଥା ସାଂସ୍କୃତିକ ଉତ୍ସବରେ ସମ୍ମିଳିତ ହେଉଥିବା ୨୩ଟି ସମିତିର ସଭାପତି ଓ ସମ୍ପାଦକଙ୍କୁ ସମ୍ବର୍ଧିତ କରାଯିବ। ସହରର ଅନ୍ୟ କାଳୀ ମନ୍ଦିରମାନଙ୍କରେ ମଧ୍ୟ  କାଳୀପୂଜା ନେଇ ବ୍ୟାପକ ବନ୍ଦୋବସ୍ତ  ହୋଇଛି।

ସମ୍ବନ୍ଧିତ ଖବର