ନମୋ ଦେବୀ ଅନନ୍ତ ରୂପିଣୀ…

ଭୁବନେଶ୍ବର : ଧର୍ମ ମାସ କାର୍ତିକର ମଙ୍ଗଳମୟ ଅବକାଶରେ ଶକ୍ତିର ଆଧାର ମା’ କାଳୀଙ୍କର ପୂଜାର୍ଚ୍ଚନା ପାଇଁ ଉତ୍ସବମୁଖର ହୋଇଛି ସହର। ବିଶେଷକରି ମା’ କାଳୀଙ୍କ ମନ୍ଦିରରେ ନୀତି ନିର୍ଘଣ୍ଟ ସହ ନିଶାର୍ଦ୍ଧରେ ମା’ଙ୍କୁ ପୂଜାର୍ଚନା ସହ ଘଟ ବିସର୍ଜନ କରାଯାଇଛି। ମା’ଙ୍କ ତମସା ରୂପ ଦର୍ଶନ ପାଇଁ ଶ୍ରଦ୍ଧାଳୁ ପ୍ରତୀକ୍ଷା କରିଥିବା ବେଳେ ଆସନ୍ତାକାଲି ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସମାଗମ ହେବ। ମଧୁକୈଟବ ଓ ସମରାସୁରକୁ ସ˚ହାର କରି ପୃଥିବୀକୁ ରାକ୍ଷସଙ୍କ କବଳରୁ ମୁକ୍ତି ଦେଇ ମା’ ନାରୀ ଶକ୍ତିର ପରାକାଷ୍ଠା ଦେଖାଇ ଯୁଦ୍ଧର ଦେବୀ ଭାବେ ପୂଜା ପାଇବେ। ମା’ଙ୍କ ପୂଜା ପାଇଁ ସତ୍ୟନଗରର ସତ୍ୟକାଳୀ, ୬ ନମ୍ବରର ରକ୍ଷାକାଳୀ, ବରମୁଣ୍ତାର ଦକ୍ଷିଣକାଳୀଙ୍କ ସମେତ ସୈନିକ ସ୍କୁଲ୍‌ ନିକଟ କାଳୀ ମନ୍ଦିରରେ ପ୍ରସ୍ତୁତି ଚାଲିଛି। କେଉଁଠି କେଉଁଠି କାଳୀପୂଜାରେ ବ୍ୟାପକ ଆଡ଼ମ୍ବର ସହ ମୀନାବଜାର ଓ ମେଳା ପାଇଁ ଆୟୋଜନ ହୋଇଛି।

ସତ୍ୟନଗରସ୍ଥିତ ସତ୍ୟକାଳୀ ପୀଠରେ ମା’ ଦଶ ମହାବିଦ୍ୟା ବେଶରେ ଭୂଷିତ ହୋଇ ଦର୍ଶନ ଦେଉଛନ୍ତି। ବିଭିନ୍ନ ରାଶି ଓ ଗ୍ରହ ଅନୁଯାୟୀ ମା’ଙ୍କ ବେଶ ଅନୁଷ୍ଠିତ ହୋଇଛି। ଆଜି ମା’ଙ୍କ ମହାକାଳୀ ବେଶ ଅନୁଷ୍ଠିତ ହେବା ପରେ, ଧନୁ ଓ ମୀନ ରାଶି ପାଇଁ ଉଦ୍ଦିଷ୍ଟ ତାରାବେଶ, ମିଥୁନ ଓ କନ୍ୟାରାଶି ଆଧାରରେ ଷୋଡ଼ଶୀ ବେଶ, କର୍କଟ ରାଶି ଆଧାରରେ ଭୁବନେଶ୍ବରୀ ବେଶ, ନବଗ୍ରହ ଅଧାରରେ ଭୈରବୀ ବେଶ, ରାହୁ ଶାନ୍ତି ପାଇଁ ଛିନ୍ନ ମସ୍ତା ବେଶ, କେତୁ ଶାନ୍ତି ପାଇଁ ଧୂମାବତୀ ବେଶ, ବିଛା ଓ ମେଷ ରାଶି ପାଇଁ ବଗଳା ବେଶ, ସି˚ହ ରାଶି ପାଇଁ ମାତଙ୍ଗୀ ବେଶ ଏବ˚ ବୃଷ ଓ ତୁଳା ରାଶି ପାଇଁ କମଳା ବେଶ ଅନୁଷ୍ଠିତ ହେବ। ଦଶମହାବିଦ୍ୟା ବେଶରେ ଦେବୀଙ୍କ ପୂଜାରେ ଭାଗ ନେବା ପାଇଁ ଶ୍ରଦ୍ଧାଳୁମାନେ ୭୫୦ ଟଙ୍କା ଏବ˚ ନବଗ୍ରହ ଶାନ୍ତି ପାଇଁ ୧୦ ଦିନ ବ୍ୟାପୀ ଦୀପ ବସାଇବାକୁ ୧୫୦୦ ଟଙ୍କା ଦେୟ ରଖାଯାଇଛି। ଶ୍ରୀଶ୍ରୀସତ୍ୟକାଳୀ ମନ୍ଦିର ପରିଚାଳନା ସମିତି ପକ୍ଷରୁ ଆୟୋଜିତ ଏହି ପୂଜାରେ ସତ୍ୟନଗର ଶ୍ମଶାନ ପଡ଼ିଆରେ ମୀନାବଜାର ସହ ଦୋଳିର ଆୟୋଜନ କରାଯାଇଛି। ଏଠାରେ ମେଳା ଓ ପୂଜା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି। କାର୍ତିକ କୃଷ୍ଣପକ୍ଷରେ ବରମୁଣ୍ତା ଗ୍ରାମସ୍ଥ ମା’ ଦକ୍ଷିଣକାଳୀ ଠାକୁରାଣୀଙ୍କ ପୀଠରେ ୩୯ତମ ମହାକାଳୀ ପୂଜା ଓ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି। ଶ୍ରୀଶ୍ରୀ ମା’ଦକ୍ଷିଣକାଳୀ ମନ୍ଦିର ପରିଚାଳନା ସମିତି ସଭ୍ୟ ଓ ବରମୁଣ୍ତା ଗ୍ରାମବାସୀଙ୍କ ସହଯୋଗରେ ପୂଜା ଅନୁଷ୍ଠିତ ହେଉଛି। ଅର୍ଧରାତ୍ରିରେ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ଗୋପାଳ ଚନ୍ଦ୍ର ରାୟଗୁରୁଙ୍କ ଦ୍ବାରା ପ୍ରବଚନ କାର୍ଯ୍ୟକ୍ରମ ଚାଲିଥିଲା। ୮ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବାକୁ ଥିବା ବେଳେ ଶେଷ ଦିନ ଭଜନ ସନ୍ଧ୍ୟା ଆୟୋଜିତ ହେବ। ୟୁନିଟ୍‌ ୬ସ୍ଥିତ ମା’ ରକ୍ଷାକାଳୀଙ୍କ ପୀଠରେ ଅର୍ଧରାତ୍ରରେ ଯୋଗିନୀ ପୂଜା, ଯଜ୍ଞ, ପର୍ବଧୂପ, ବଳିଦାନ ଓ ୧୦୦୮ବତି ଦାନ କରାଯାଇଛି। ଏହି ଅବସରରେ ଭଜନ, ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯିବ। ଏନେଇ ମା’ ରକ୍ଷାକାଳୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି ବୋଲି ମନ୍ଦିରର ପୂଜକ ପ୍ରମୋଦ କୁମାର ପଣ୍ତା କହିଛନ୍ତି। ଏଥିସହ ସହିଦନଗର ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ମା’ କାଳୀଙ୍କ ପୂଜାର୍ଚନା କରାଯାଇଛି। ମା’ଙ୍କ ଷୋଡ଼ଶ ଉପଚାର ପୂଜା କରାଯିବା ସହ ସା˚ସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ପୂଜା ସମିତିର ସମ୍ପାଦକ ନାରାୟଣ ମହାପାତ୍ର କହିଛନ୍ତି।

ରାମକୃଷ୍ଣ ମିସନ୍‌ରେ କାଳୀପୂଜା

ପୁରୁଣା ଭୁବନେଶ୍ୱର : ବିବେକାନନ୍ଦ ମାର୍ଗସ୍ଥିତ ରାମକୃଷ୍ଣ ମିସନ ପକ୍ଷରୁ ଚଳିତ ବର୍ଷ ୯୯ତମ କାଳୀପୂଜା ଅନୁଷ୍ଠିତ ହୋଇଛି। ରାମକୃଷ୍ଣ ମଠ ପରିସରରେ ମା’ଙ୍କର ୫ଫୁଟ୍‌ ଉଚ୍ଚତାର ମୃଣ୍ମୟୀ ପ୍ରତିମା ନିର୍ମାଣ କରାଯାଇ ପୂଜାର୍ଚନା କରାଯାଇଛି। ମଠକୁ ଫୁଲ ଓ ଆଲୋକମାଳାରେ ସଜ୍ଜିତ କରାଯାଇଛି। ସୂଚନା ଅନୁଯାୟୀ, ୧୯୧୯ରେ ରାମକୃଷ୍ଣ ମଠ ପ୍ରତିଷ୍ଠା ହୋଇଥିଲା। ସେବେଠାରୁ ଏଠାରେ ମା’କାଳୀଙ୍କ ପୂଜା ଅନୁଷ୍ଠିତ ହୋଇଆସୁଛି। ଏହା ରାଜଧାନୀର ପ୍ରଥମ କାଳୀପୂଜା ବୋଲି ମିସନ ପକ୍ଷରୁ କୁହାଯାଇଛି। ପୂଜା ପାଇଁ ଆଜି ମଠ ପରିସରରେ ଥିବା ପୁରୁଣା କୂଅରୁ ପବିତ୍ର ଜଳ ଅଣାଯାଇ ଅଙ୍କୁରାରୋପଣ କରାଯାଇଥିଲା। ରାତି ୯ଟାରୁ ଭୋର ସାଢ଼େ ୪ଟା ପର୍ଯ୍ୟନ୍ତ ମା’ଙ୍କ ବିଶେଷ ପୂଜା କରାଯାଇଥିଲା। ଏହି ଅବସରରେ ରାତି ୮ଟାରେ ଭଜନ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର