କଳିଙ୍ଗ ପୁସ୍ତକ ମେଳାର ତୃତୀୟ ଦିବସ : ଛୁଟି ଦିନରେ ବଢ଼ିଲା ଗହଳି

ଭୁବନେଶ୍ୱର: ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା କଳିଙ୍ଗ ପୁସ୍ତକ ମେଳାର ଆଜି ଥିଲା ତୃତୀୟ ଦିବସ। ଅନ୍ୟ ଦିନ ଅପେକ୍ଷା ରବିବାର ଛୁଟିଦିନ ଥିବାରୁ ମେଳାରେ ପୁସ୍ତକପ୍ରେମୀଙ୍କ ଭିଡ଼ ଜମିଥିଲା। ଆଜି ପୁସ୍ତକ ମେଳା ମଞ୍ଚରେ ଅନ୍ୟତମ ଆକର୍ଷଣ ପାଲଟିଥିଲା ବ୍ୟଙ୍ଗ କବି ସମ୍ମେଳନ। ଏଥିରେ ପ୍ରସିଦ୍ଧ ବ୍ୟଙ୍ଗ କବି ଜ୍ଞାନ ହୋତା, ସତ୍ୟାନାଶ, ଡ. କୁଳାଙ୍ଗାର, ସୁଶାନ୍ତ ସାହୁ, ରମାକାନ୍ତ ମହାପାତ୍ର, ପ୍ରିୟବ୍ରତ ପଣ୍ଡା, ଶ୍ରୀମାନ ସର୍ବଗିଳା, ବ୍ରଜବିହାରୀ ସୁବୁଦ୍ଧି, ଶ୍ରୀଶ୍ରୀ ହୁଗୁଳା, ଅଜିତ କୁମାର ମଲ୍ଲିକ ଓ ନିଳିମା ସାହୁ ପ୍ରମୁଖ ଯୋଗ ଦେଇ ଦର୍ଶକଙ୍କୁ ହସେଇ ହସେଇ ବେଦମ୍‌ କରିଥିଲେ। ନିଜ ବ୍ୟଙ୍ଗ ଛଟାରେ ସମାଜର ବିଡ଼ମ୍ବନାକୁ ବେଶ ମଜାଦାର ଢଙ୍ଗରେ ପରିବେଷଣ କରିଥିଲେ। ଏଥିସହ ପୁସ୍ତକ ମେଳା ଶିଶୁ ମହୋତ୍ସବ କମିଟି ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବହି ଦୋକାନ ଓ ସ୍ମାର୍ଟ ସିଟି ପ୍ରସଙ୍ଗକୁ ନେଇ ପ୍ରତିଯୋଗୀମାନେ ଚିତ୍ର ଆଙ୍କିଥିଲେ। ଏଥିରେ ବିଚାରକ ଭାବେ କାର୍ଟୁନିଷ୍ଟ ସୁଧାଂଶୁ ଦେଓ ଯୋଗ ଦେଇଥିଲେ। ଏହାସହ ଗଣିତ ପ୍ରତିଯୋଗିତା ଓ ଖାଉଟିମାନଙ୍କୁ ସଚେତନ କରିବା ପାଇଁ ଦାସକାଠିଆ ଦେଖିବାକୁ ମିଳିଥିଲା।

ଆମ ଓଡ଼ିଶା ଷ୍ଟଲ୍‌ରେ ଭିଡ଼

କଳିଙ୍ଗ ପୁସ୍ତକ ମେଳା ୪୬ ନଂ ଆମ ଓଡ଼ିଶା ଷ୍ଟଲରେ ମେଳା ଆରମ୍ଭ ଦିନରୁ ପାଠକଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ‘କଥା ଶତକ’ ସମେତ ଦାଶ ବେନହୁରଙ୍କ ପିଲାଙ୍କ ଗପ ବହି, ସ୍ୱରାଜ ମିଶ୍ରଙ୍କ ‘ବାବୁନା’, ଅସିତ ମହାନ୍ତିଙ୍କ ‘ନବକଳେବର କଥା’ କିଣିବାକୁ ପାଠକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ‘ଆମ ମଧୁସୂଦନ’, ‘ବାଳକ ସହିଦ ବାଜି ରାଉତ’, ‘ଆମ ସୁଭାଷ’ ଓ ‘ଆମ ସୁରେନ୍ଦ୍ର ସାଏ’ ମହାପୁରୁଷଙ୍କ ଜୀବନୀ ପୁସ୍ତକ ଆଦି ଭଲ ବ୍ରିକ୍ରି ହେଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର