ଲିଭର ସିରୋସିସ୍‌ରେ ଆକ୍ରାନ୍ତ ହେଉଛନ୍ତି ୮୦% ମଦ୍ୟପ

ବି.ଆର୍‌ ଲାଇଫ୍‌ କଳିଙ୍ଗ ହସ୍ପିଟାଲ୍‌ରେ ସଫଳ ଚିକିତ୍ସା

ଚନ୍ଦ୍ରଶେଖରପୁର : ବି.ଆର୍‌ ଲାଇଫ୍‌ କଳିଙ୍ଗ ହସ୍ପିଟାଲ୍ ଡାକ୍ତରମାନଙ୍କ ଦ୍ୱାରା ଲିଭର୍ ସିରୋସିସ୍‌ର ସଫଳ ଟ୍ରାନ୍ସଜୁଗୁଲାର୍ ଇଣ୍ଟ୍ରାହେପାଟିକ୍ ପୋର୍ଟୋସିଷ୍ଟମିକ୍ ସଣ୍ଟ୍‌(ଟିଆଇପିଏସ୍‌) ଚିକିତ୍ସା କରାଯାଇଛି। କ୍ରୋନିକ୍‌ ଆଲ୍‌କୋହଲିକ୍ ଲିଭର୍ ସିରୋସିସ୍‌ରେ ପୀଡ଼ିତ ୪୬ ବର୍ଷୀୟ ସୁବ୍ରୋତୋ ଦାସ(ଛଦ୍ମ ନାମ)ଙ୍କଠାରେ ଜଣ୍ଡିସ୍, ପେଟ କାଟିବା ଓ ରକ୍ତ ବାନ୍ତି ଭଳି ଲକ୍ଷଣ ଦେଖାଯାଇଥିଲା। ବିଭିନ୍ନ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ତାଙ୍କ ତଳି ପେଟରେ ୩ ଲିଟର ତରଳ ପଦାର୍ଥ ରହିଛି। ବି.ଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲ୍‌କୁ ଆସିବା ପୂର୍ବରୁ ଅନ୍ୟ ଡାକ୍ତରଙ୍କ ପରାମର୍ଶରେ ତାଙ୍କ ତଳିପେଟରୁ ଦୁଇ ଥର ତରଳ ପଦାର୍ଥ ବାହାର କରାଯାଇଥିଲା। ତେ‌ବେ ପାରମ୍ପରିକ ଚିକିତ୍ସା ପଦ୍ଧତି ଦ୍ବାରା ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ପ୍ରକାର ଉନ୍ନତି ଆସିପାରିଲା ନାହିଁ। ତେଣୁ ବି.ଆର୍‌ ଲାଇଫ୍‌ କଳିଙ୍ଗ ହସ୍ପିଟାଲର ଡା. ଶିବଶଙ୍କର ଦଳାଇ ଓ ଡା. ସଙ୍ଘମିତ୍ରା ମିଶ୍ର ତାଙ୍କର ସର୍ଜରି କରିଥିଲେ। ଫଳସ୍ବରୂପ ସୁବ୍ରୋତୋ ଏବେ ସୁସ୍ଥ ଥିବା ଜଣାପଡ଼ିଛି।

ହସ୍ପିଟାଲ୍‌ର ବରିଷ୍ଠ ପରାମର୍ଶଦାତା ତଥା ଭାସ୍କ୍ୟୁଲାର୍ ଆଣ୍ଡ ଇଣ୍ଟ୍ରାଭେନ୍ସନାଲ୍ ରେଡିଓଲୋଜିଷ୍ଟ ଡା. ଶିବଶଙ୍କର ଦଳାଇ କହିଛନ୍ତି ଯେ ଟିଆଇପିଏସ୍ ହେଉଛି ଏକ ପ୍ରକ୍ରିୟା, ଯାହାକୁ ପୋର୍ଟାଲ୍ ହାଇପର୍ଟେନ୍ସନ୍ ଓ ଏହାର ଜଟିଳତାକୁ ହ୍ରାସ କରିବା ପାଇଁ ବ୍ୟବହାର କରାଯାଇଥାଏ। ଏହି ପ୍ରକ୍ରିୟାରେ ଆମେ ଯକୃତ ଶିରାରେ ଏକ କ୍ଷୁଦ୍ର ଓୟାର୍ ମେସ୍ କଏଲ୍(ଷ୍ଟେଣ୍ଟ) ସ୍ଥାପିତ କରିଥାଉ। ଏହାପରେ ଏକ କ୍ଷୁଦ୍ର ଫୁଲି ପାରୁଥିବା ବେଲୁନ୍(ଆଞ୍ଜିଓପ୍ଲାଷ୍ଟି) ବ୍ୟବହାର କରି ଷ୍ଟେଣ୍ଟ ସଂପ୍ରସାରିତ ହୋଇଥାଏ। ଏହି ଷ୍ଟେଣ୍ଟ ଏକ ଚ୍ୟାନେଲ ସୃଷ୍ଟି କରେ, ଯାହା ଯକୃତ ଦେଇ ଗତି କରିଥାଏ। ଏହି ଚ୍ୟାନେଲ୍ ପୋର୍ଟାଲ୍ ଭେନରେ ଚାପକୁ କମାଇଥାଏ ଓ ପୋର୍ଟାଲ୍ ହାଇପର୍ଟେନ୍ସନ୍‌କୁ ହ୍ରାସ କରିବା ଦ୍ୱାରା ସଂପ୍ରସାରିତ ଶିରା(ଭେରିସିଜ୍)ରେ ଆଘାତ ଓ ରକ୍ତସ୍ରାବକୁ କମ୍ କରେ।

ଏହିସବୁ ପଦ୍ଧତି ପରେ ତଳିପେଟରେ ଜମା ହୋଇ ରହିଥିବା ତରଳ ପଦାର୍ଥକୁ ବାହାର କରାଯାଇଥାଏ। ଏଠାରେ ମଧ୍ୟ ତିନି ଲିଟର ତରଳ ପଦାର୍ଥକୁ ବାହାର କରାଯାଇଥିଲା।

ପ୍ରତିବର୍ଷ ଦେଶରେ ପାଖାପାଖି ୧୦ ଲକ୍ଷ ନୂତନ ରୋଗୀ ଲିଭର ସିରୋସିସ୍‌ରେ ଚିକିତ୍ସିତ ହେଉଛନ୍ତି। ପୂର୍ବରୁ ଏହି ରୋଗର ପ୍ରାଥମିକ ଲକ୍ଷଣଗୁଡ଼ିକ ମଧ୍ୟରେ ହେପାଟାଇଟିସ୍ ବି ଓ ସି ରହିଥିଲା। ଏବେ କିନ୍ତୁ ପ୍ରାଥମିକ ଭାବେ ମାଦକଦ୍ରବ୍ୟ ସେବନ ଓ ଫ୍ୟାଟି ଯକୃତ ରୋଗ ଯୋଗୁଁ ହେଉଛି। ମଦ୍ୟପାନ କରୁଥିବା ୮୦ ପ୍ରତିଶତ ଲୋକଙ୍କୁ ଏହି ରୋଗ ହୋଇଥାଏ। ଲଗାତାର ଭାବେ ୧୫ରୁ ୨୦ ବର୍ଷ ଧରି ମଦ୍ୟପାନ କଲେ ଲୋକେ ଏଥିରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି।

ସୁବ୍ରୋତୋ ଦାସ କହିଛନ୍ତି, ଗତ ୩ ବର୍ଷ ଧରି କ୍ରୋନିକ୍ ଲିଭର୍ ସିରୋସିସ୍‌ରେ ପୀଡ଼ିତ ଥିଲି। ଯାହାଦ୍ୱାରା ମୋତେ ଭୋକ ହେଉ ନ ଥିଲା। ବୁନ୍ଦାଏ ପାଣି ପିଇବାକୁ ମଧ୍ୟ ଇଚ୍ଛା ହେଉ ନ ଥିଲା। ପେଟର ଆକାର ବୃଦ୍ଧି ମଧ୍ୟ ହେଉଥିଲା। ଅନୁସନ୍ଧାନ ପରେ ଜଣାପଡ଼ିଲା ‌ଯେ ପ୍ରାୟ ୩ ଲିଟର ତରଳ ପଦାର୍ଥ ପେଟରେ ଜମା ହୋଇ ରହିଛି। ଗତବର୍ଷ ଚିକିତ୍ସା ପାଇଁ ଦୁଇଥର ଅନ୍ୟ ହସ୍ପିଟାଲ୍‌‌ରେ ଭର୍ତ୍ତି ହୋଇଥିଲି। ଆରୋଗ୍ୟ ନ ହେବାରୁ ବି.ଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲ୍‌ରେ ପରାମର୍ଶ କରିଥିଲି। ଡାକ୍ତରମାନଙ୍କ ସଫଳ ଚିକିତ୍ସା ଯୋଗୁଁ ଆଜି ନୂତନ ଜୀବନ ପାଇଛି।

ସମ୍ବନ୍ଧିତ ଖବର