କଳିଙ୍ଗ କନ୍ୟାଙ୍କୁ ସୁରକ୍ଷା ଦିଆଯାଉ

ଶେଷ ହେଲା ‘ସର୍ବଭାରତୀୟ କଳିଙ୍ଗ କନ୍ୟା ଶିଶୁ ପ୍ରତିଭା ସମାରୋହ’

ଅନୁଭା ଓ ଏନ୍‌ ପଲାଇ ‘ଲିଟିଲ୍‌ ମିସ୍‌ କଳିଙ୍ଗ’

ଭୁବନେଶ୍ୱର : ନାରୀଟିଏ ବିନା ପୁରୁଷଟିଏ ଜନ୍ମ ନେଇପାରିବନି। ତଥାପି ଝିଅଟିଏ ଜନ୍ମ ହେବା ପୂର୍ବରୁ ଲିଙ୍ଗ ନିରୂପଣ କରି ତା’କୁ ମାରି ଦିଆଯାଉଛି। ପୁଅମାନଙ୍କ ସହ ଝିଅମାନେ ବି ପାଦକୁ ପାଦ ମିଶେଇ ଚାଲିଲେଣି। ସ୍ଥଳ, ଜଳ ଓ ଆକାଶ ବାହିନୀରେ ବି ସାମିଲ ହେଲେଣି। ତଥାପି ଝିଅଟିଏ ଜନ୍ମ ନେଲେ ସମାଜରେ ତା’କୁ ଅଭିଶାପ ବୋଲି ମନେ କରାଯାଉଛି। ସମୟ ଆସିଛି ଏହି ମାନସିକତା ପରିବର୍ତ୍ତନର। ଖାଲି କଳିଙ୍ଗ ନୁହେଁ ଦେଶର କନ୍ୟା ସନ୍ତାନଙ୍କୁ ବଞ୍ଚଇବାର। ‘ବୀଣାପାଣି ନାଟ୍ୟ ସଂସ୍ଥା’ ପକ୍ଷରୁ ଆଜି ଆୟୋଜିତ ‘ସର୍ବଭାରତୀୟ କଳିଙ୍ଗ କନ୍ୟା ଶିଶୁ ପ୍ରତିଭା ସମାରୋହ’ରେ ଅତିଥିମାନେ ଏପରି ମତବ୍ୟକ୍ତ କରିଛନ୍ତି।

ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ଏହି ଉତ୍ସବରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଏବଂ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଶିଶୁ ସାହିତ୍ୟିକ ନଦିଆ ବିହାରୀ ମହାନ୍ତି ଓ ଇଟିପୁର ସରପଞ୍ଚ ଚନ୍ଦ୍ରମା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଉତ୍ସବରେ ଆୟୋଜିତ ନୃତ୍ୟ, ସଂଗୀତ, ଚିତ୍ରାଙ୍କନ ଓ ଅଭିନୟ ଆଦି ପ୍ରତିଯୋଗିତାରେ ପ୍ରାୟ ୨୦୦ ଜଣ ଶିଶୁକନ୍ୟା ଯୋଗ ଦେଇଥିଲେ। ଏଥିରେ ୧୨ ଜଣଙ୍କୁ ‘ବୀଣାପାଣି ସଂସ୍କୃତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏହାଛଡ଼ା ବରିଷ୍ଠ ବିଭାଗରେ ଅନୁଭା ରାୟ ‘ଲିଟିଲ୍‌ ମିସ୍‌ କଳିଙ୍ଗ’ ପ୍ରତିଯୋଗିତାର ବିଜୟିନୀ ହୋଇଥିବା ବେଳେ ଏନ୍‌ ପଲାଇ କନିଷ୍ଠ ବିଭାଗରେ ଏହି ଟାଇଟଲ୍‌ ଜିତିଛନ୍ତି। ପୁଣି କାର୍ଯ୍ୟକ୍ରମରେ ‘କଳିଙ୍ଗ କୁମାରୀ ପ୍ରତିଭା ଅନେ୍ଵଷଣ’ର ଲୋଗୋ ମଧ୍ୟ ଉନ୍ମୋଚିତ ହୋଇଛି।

ଏହି ଅବସରରେ ବୁଦ୍ଧେଶ୍ୱର ବେହେରାଙ୍କ ନିର୍ଦ୍ଦେଶିତ ନାଟକ ‘କଳିଙ୍ଗ କନ୍ୟା ଅନନ୍ୟା’ ଇଟିପୁର ହାଇସ୍କୁଲର ଛାତ୍ରୀମାନେ ପରିବେଷଣ କରିଥିଲେ। ଅନୁଷ୍ଠାନର ସଭାପତି ନୃସିଂହ ଚରଣ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସଂପାଦକ ବିଚିତ୍ର ମଲିଆ ସ୍ୱାଗତ ଭାଷଣ ଦେଇଥିଲେ। ଉତ୍ସବ କମିଟିର ଅଧ୍ୟକ୍ଷ ଅସିତ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ କାର୍ଯ୍ୟକାରୀ ସଭାପତି ଭାଗବତ ପ୍ରସାଦ ମହାନ୍ତି ଧନ୍ୟବାଦ ଜଣାଇଥିଲେ। ବାସୁଦେବ ନାଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର