କଳିଙ୍ଗ ସାହିତ୍ୟ ମହୋତ୍ସବ ଆରମ୍ଭ

ଭୁବନେଶ୍ୱର: ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ହଜିବା ପରେ ସରକାର ଯେଉଁ ତଦନ୍ତ କମିସନ୍‌ ଗଢ଼ିଛନ୍ତି ତାହା କେବଳ ସମସ୍ୟାକୁ ତୁରନ୍ତ ଦୃଷ୍ଟିରୁ ଟାଳିବା ପାଇଁ। ବାସ୍ତବରେ କିଛି ମୁଷ୍ଟିମେୟ ଲୋକଙ୍କ ଦାଦାଗିିରି ଯୋଗୁଁ ଶ୍ରୀମନ୍ଦିରରେ ଏପରି ସ୍ଥିତି ସୃଷ୍ଟି ହେଉଛି। ବୁଦ୍ଧିଜୀବୀ ବର୍ଗ ଓ ଦିଗଦର୍ଶକମାନେ ମୁହଁ ନମୋଡ଼ି ଏହା ବିରୋଧରେ ସ୍ୱର ଉଠାନ୍ତୁ। ଆଜି ମେ ଫେୟାରରେ ଅନୁଷ୍ଠିତ ‘କଳିଙ୍ଗ ସାହିତ୍ୟ ମହୋତ୍ସବ’ରେ ଏପରି ମତ ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଶିଷ୍ଟ ଔପନ୍ୟାସିକା ପ୍ରତିଭା ରାୟ କହିଥିଲେ, ଭାଷା ଆଞ୍ଚଳିକ ଓ ସଂସ୍କୃତିଗତ ହୋଇପାରେ କିନ୍ତୁ ଏହି ଭାଷା ଯେବେ ସାହିତ୍ୟରେ ରୂପାନ୍ତରିତ ହୁଏ ତାହା ଜାଗତିକ ହୋଇଯାଏ। ଭାଷା କେବଳ ସାହିତ୍ୟିକଙ୍କ ସାହିତ୍ୟରେ ବଞ୍ଚେ ନାହିଁ ବରଂ ବ୍ୟବହାର ଦ୍ୱାରା ବଞ୍ଚେ ବୋଲି ସେ କହିଥିଲେ। ବିଶିଷ୍ଟ କବି ପ୍ରତିଭା ଶତପଥୀ କହିଲେ,ସାହିତ୍ୟ ମାନବିକତାକୁ ତ୍ୱରାନ୍ଵିତ କରେ। ସାହିତ୍ୟିକଟିଏ ଯନ୍ତ୍ରଣାର ଜୀବନ ବଞ୍ଚେ ସତ, ମାତ୍ର କଣ୍ଟା ବାଡ଼ରେ ଲଟେଇଥିବା ଲଟା ପରି ଗୋଟେଗୋଟେ ଫୁଲ ଫୁଟାଇ ଚାଲେ ବୋଲି ସେ କହିଥିଲେ। ଜନତା ଦଳ (ୟୁନାଇଟେଡ୍‌)ର ଉପଦେଷ୍ଟା ପବନ ବର୍ମା କହିିଲେ, ଯଦିଓ ଆଇନ୍‌ ଅନୁଯାୟୀ ଜାତିଗତ ଭେଦଭାବ ନରହିବା ପାଇଁ ନିୟମ ହୋଇଛି। ମାତ୍ର ଏହା ବାସ୍ତବ ଜୀବନରେ ପ୍ରତିଫଳିତ ହୋଇ ନଥାଏ। କାରଣ ଲୋକଙ୍କର ମାନସିକତାରେ ପରିବର୍ତନ ହୋଇନି। ଏବେ ବି ଏଠାରେ ଗରିବି ହଟିନି, ଶିଶୁ ପୁଷ୍ଟିହୀନତାର ଶିକାର ହେଉଛନ୍ତି। କୁହାଯାଉଛି ଆମ ଦେଶ ଦୃତଗତିରେ ଆଗକୁ ବଢ଼ୁଛି। ଆମର ଜିଡିପିକୁ ନେଇ ଆର୍ଥିକ ଅଭିବୃଦ୍ଧି ହାର ତଉଲା ଯାଉଛି, କିନ୍ତୁ ଏବେ ବି ଲୋକେ ଭୋକ ଉପାସରେ ମରୁଛନ୍ତି ବୋଲି ସେ କହିଛନ୍ତି। ଉତ୍ସବରେ ବିଶିଷ୍ଟ ଇଂରାଜୀ ଲେଖକ ଅମିଶ ତ୍ରିପାଠୀଙ୍କୁ କଳିଙ୍ଗ ଅନ୍ତର୍ଜାତୀୟ ସାହିତ୍ୟ ସମ୍ମାନ, ନିରୂପମା ରାଓଙ୍କୁ କଳିଙ୍ଗ କାରୁବାକୀ ସାହିତ୍ୟ ସମ୍ମାନ ଏବଂ ଗାଳ୍ପିକ ଡ.ପଦ୍ମଜ ପାଳଙ୍କୁ କଳିଙ୍ଗ ସାହିତ୍ୟ ସମ୍ମାନ (ଓଡ଼ିଆ) ପ୍ରଦାନ କରାଯାଇଥିଲା। ଆୟୋଜିତ କଳିଙ୍ଗ କଳା ମହୋତ୍ସବରେ ୪୦ ଜଣ ଶିଳ୍ପୀ ନିଜର ପେଣ୍ଟିଂ, ସ୍ଥାପତ୍ୟ ପ୍ରଦର୍ଶନ କରିଥିଲେ। କେଏଲ୍‌ଏଫ୍‌ର ପ୍ରତିଷ୍ଠାତା ନିର୍ଦେଶକ ରଶ୍ମିରଂଜନ ପରିଡ଼ା, ଦେବାଶିଷ ସାମନ୍ତରାୟ, କମଳାକାନ୍ତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଦୀକ୍ଷା ତିଓ୍ଵାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର