କଳିଙ୍ଗ ଷ୍ଟାଡିୟମ ଗେଟ୍ ନଂ-୧ରୁ ହଟିଲା ବେହେରା ବସ୍ତି, ଉଚ୍ଛେଦ ବେଳେ ଉତ୍ତେଜନା

ଭୁବନେଶ୍ୱର: ଆଉ କିଛିଦିନ ପରେ କଳିଙ୍ଗ ଷ୍ଟାଡିୟମ୍‌ରେ ହକି ବିଶ୍ବକପ୍‌ ଅନୁଷ୍ଠିତ ହେବ। ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଗେଟ୍‌ଗୁଡ଼ିକ ସମ୍ମୁଖ ଏବଂ ପାଚେରି ଚାରିପ‌ଟୁ ବସ୍ତି ଉଚ୍ଛେଦ ପାଇଁ ବିଡିଏ ଓ ବିଏମ୍୍ସି ତତ୍ପରତା ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଗେଟ୍ ନମ୍ବର -୧ରେ ଥିବା ବେହେରା ବସ୍ତିକୁ ଆଜି ଉ‌େଚ୍ଛଦ କରାଯାଇଛି। ଉଚ୍ଛେଦ ସମୟରେ ବସ୍ତି ବାସିନ୍ଦା ଏହାର ପ୍ରତିବାଦ କରିଥିଲେ। ଯାହାକୁ ନେଇ ସେଠାରେ ସାମାନ୍ୟ ଉତ୍ତେଜନା ଦେଖା ଦେଇଥିଲା। ତେବେ ଉପସ୍ଥିତ ଥିବା ବିଡିଏ, ବିଏମ୍୍ସି ଏବଂ ପୁଲିସ ଅଧିକାରୀ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥ‌ିଲେ। ଗୁରୁବାର ପୂର୍ବାହ୍ଣ ପ୍ରାୟ ୧୦ଟାରୁ ଉ‌େଚ୍ଛଦ ଆରମ୍ଭ କରାଯାଇ ଅପରାହ୍‌ଣ ୨ଟା ପର୍ଯ୍ୟନ୍ତ ଚାଲିଥିଲା। ସେଠାରେ ଥିବା ପ୍ରାୟ ୪୨ଟି ଘରକୁ ଉଚ୍ଛେଦ କରାଯାଇଛି। ତେବେ ଘର ପିଛା କ୍ଷତିପୂରଣ ବାବଦକୁ ୩୫ ହଜାର ଟଙ୍କା ଦିଆଯାଇଥିଲା। ସେହିପରି ସେମାନଙ୍କୁ ରହିବା ପାଇଁ ସମ୍ ହସ୍ପିଟାଲ ନିକଟ ପଣ୍ଡା କୁଡ଼ିଆ ଓ ଚନ୍ଦ୍ରଶେଖରପୁର ସ୍ଥିତ ଟ୍ରାନ୍‌ଜିଟ୍‌ ହାଉସ୍୍ରେ ବ୍ୟବସ୍ଥା କରାଯାଇଛି। ସେମାନେ ସେଠରେ ୭ ଦିନ ପର୍ଯ୍ୟନ୍ତ ରହିପାରିବେ। ଏହଛଡ଼ା ସେମାନଙ୍କ ପାଇଁ ଖାଇବା ପିଇବା, ଗାଈଗୋରୁଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଇଛି।‌ ଅନ୍ୟପଟେ ଶୁକ୍ରବାର ଦିନ ଜୟଦେବ ବିହାର ସ୍ଥିତ ଜଗନ୍ନାଥ ବସ୍ତି ଭାଙ୍ଗାଯିବା ପାଇଁ ବିଏମ୍୍ସି ଓ ବିଡିଏ ପକ୍ଷରୁ ଲୋକମାନଙ୍କୁ ସୂଚାଇ ଦିଆଯାଇଛି।

ଏଇ ମାଟିରେ ଆଉ ଦିନଟିଏ, ପରିବାର, ଗୋଟିଏ ଚୁଲି

ଭୁବନେଶ୍ୱର: ନୋଟିସ୍‌ ବୁଲି ସାରିଥିଲା। ଘର ଭଙ୍ଗାଯିବ ବୋଲି ଉପରୁ ନିର୍ଦେଶ ଆସି ସାରିଥିଲା। ଭୋକଶେ‌ାଷ ହେଉ ନଥିଲା କି ଆଖିରେ ନିଦ ନଥିଲା। ଯୋଗକୁ ଆଜି ପ୍ରଶାସନ ଆସି ନଥିଲା। ୧୨ଟାରେ ଖବର ଆସିଲା ଆଜି ବସ୍ତି ଭଙ୍ଗାଯିବନି। ଆଉ ଗୋଟେ ଦିନ ମହଲତ ପାଇବା ପରେ ଯେମିତି ସେମାନଙ୍କ ଦେହରେ ଜୀବନ ପଶିଥିଲା। ସାଢ଼େ ୧୨ଟାରେ ଏକାଠି ଗୋଟିଏ ଚୁଲିରେ ବସିଥିଲା ଗୋଟିଏ ହାଣ୍ଡି। ସମସ୍ତେ ମିଶି ରାନ୍ଧିଲେ। ରୋଷେଇ ସରିବା ବେଳକୁ ସାଢ଼େ ୪ଟା ବାଜି ଯାଇଥିଲା। ତଥାପି ଭୋକର ଦାଉ ଜଣା ପଡ଼ି ନଥିଲା। ବସ୍ତିରେ ଏକାଠି ଲମ୍ବ ହୋଇ ଖାଇ ବସିଥିଲେ ପିଲାଠୁ ବୃଦ୍ଧଯାଏଁ। ଦିନଟିଏ ହେଉ ବରଂ, ଆଜି ଏକାଠି ଖାଇବା ବେଳେ ସେମାନଙ୍କ ମୁହଁରେ ଏକ ଅପୂର୍ବ ଆତ୍ମୀୟତା ଦେଖିବାକୁ ମିଳିଥିଲା। ନୂଆପଲ୍ଲୀ କଳିଙ୍ଗ ଷ୍ଟାଡିୟମ ନିକଟସ୍ଥ ଜଗନ୍ନାଥ ବସ୍ତିରେ ଦେଖିବାକୁ ମିଳିଥିଲା, ଏହି ନିଆରା ଦୃଶ୍ୟ। ଦିନଟିଏ ହେଉ ପଛେ, ଆତ୍ମୀୟତାର ଏ ବିରଳ ଦୃଶ୍ୟ ନକହି ନକହି ଅନେକ କିଛି ବ୍ୟକ୍ତ କରୁଥିଲା।

ଏମିତି କେତେଥର ପ୍ରଶାସନ ଆସିଛି। ବସ୍ତି ଭାଙ୍ଗିବାକୁ ନୋଟିସ୍‌ କରିଛି। ଡ୍ରୋଜର ଓ ଏକ୍ସକାଭେଟର ଧରି ପହଞ୍ଚିଛି। ହେଲେ ସବୁଥର ବସ୍ତିବାସିନ୍ଦାଙ୍କ ଜିତାପଟ ହୋଇଛି। ପ୍ରଶାସନ ଫେରିଯାଇଛି। କିନ୍ତୁ ଆଉ ସେ ସ୍ଥିତି ନଥିଲା। ବସ୍ତି ଉଚ୍ଛେଦ ହେବ ବୋଲି କଡ଼ା ନିର୍ଦେଶ ଆସିଥିଲା। ବସ୍ତିବାସିନ୍ଦାଙ୍କ ଗୁହାରି, କାକୁତିମିନତି କିଛି ବି କାଟୁ କରି ନଥିଲା। ଶେଷରେ ପ୍ରଶାସନ ଘର ଭାଙ୍ଗିବାକୁ ନୋଟିସ୍‌ ଜାରି କରି ସମ୍‌ ହସ୍ପିଟାଲ୍‌ ନିକଟସ୍ଥ ‘ପଣ୍ଡା କୁଡ଼ିଆ’ରେ ଥଇଥାନ କରିବାକୁ କହିଛି। ତେବେ ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଧରି ଯୋଉ ମାଟିକୁ ଆପଣେଇ ନେଇ ସେମାନେ ମୁଣ୍ଡ ଗୁଞ୍ଜିଥିଲେ, ସେ ସ୍ଥାନ ଛାଡ଼ି ଯିବାକୁ ସମସ୍ତେ ଯେମିତି ଅମଙ୍ଗ ଥିଲେ। ପିଲାଏ କଳିଙ୍ଗ ଷ୍ଟାଡିୟମର କାନ୍ଥରେ ଅନେକ ଥର ଗାର ଟାଣି ୱିକେଟ୍‌ କରି କ୍ରିକେଟ୍‌ ଖେଳିଥିବା ବେଳେ ସେ ଗାର ଲିଭିସାରିଥିଲା। ବୃଦ୍ଧ ମାନେ ଅପରାହ୍‌ଣରେ ଗଛ ଛାଇରେ ତାସ ପାଲି ପକାଉଥିବା ସ୍ମୃତି ରୋମନ୍ଥନ କରିବା ବେଳେ ଯେମିତି ନିଃସ୍ବ ହୋଇଯାଉଥିଲେ। ହୁଏତ କାଲି ସେମାନଙ୍କ ଘର ମାଟିରେ ମିଶିଯିବ। କିଏ ପଣ୍ଡା କୁଡ଼ିଆକୁ ଯିବ ତ ଆଉ କିଏ ଗାଁ’କୁ ଫେରିଯିବ। କିନ୍ତୁ ଏ ମାଟି ଯେଉଁ ମାୟା ଲଗାଇଥିଲା ତାହା କେବେ ବି ଭରଣା ହେବନାହିଁ ବୋଲି କହିଛନ୍ତି କିଛି ବସ୍ତି ବାସିନ୍ଦା।

ସମ୍ବନ୍ଧିତ ଖବର