କଳିଙ୍ଗ ଷ୍ଟୁଡିଓ ଆଉ ମୁଣ୍ଡ ଟେକି ପାରିବ ତ?

ଭୁବନେଶ୍ବର : ଫେରିବ କି କଳିଙ୍ଗ ଷ୍ଟୁଡିଓର ଗାରିମା? ପ୍ରକୃତିର ନିର୍ମମ ପ୍ରହାରରେ ଭୁଶୁଡ଼ି ପଡ଼ିଥିବା ଷ୍ଟୁଡିଓ ସତେ କ’ଣ ପୁଣି ଝଲସି ଉଠିବ? ଉଜୁଡ଼ି ଯାଇଥିବା ଷ୍ଟୁଡିଓ କ’ଣ ବୟାନ କରିବ ଗାଁ’ର କଥା? ବଡ଼ବଡ଼ ଫିଲ୍ମ ସିଟି (ଚଳଚ୍ଚିତ୍ର ନଗର) ଶୈଳୀରେ ପ୍ରସ୍ତୁତ ହୋଇପାରିବ କି ଷ୍ଟୁଡିଓ? କଳିଙ୍ଗ ଷ୍ଟୁଡିଓକୁ ନେଇ ଏମିତି ଅନେକ ପ୍ରଶ୍ନ ଉଙ୍କି ମାରିଛି ଚଳଚ୍ଚିତ୍ରପ୍ରେମୀଙ୍କ ମଧ୍ୟରେ। ୪ଟି ବାତ୍ୟା ମାଡ଼ ପରେ ଧରାଶାୟୀ ହୋଇ ଯାଇଥିବା ଏହି ଷ୍ଟୁଡିଓ କ’ଣ ସତରେ ଅଣ୍ଟା ସଳଖି ଠିଆ ହେବ।

ଦୀର୍ଘ ବର୍ଷ ପରେ ସଜାଡ଼ି ହେଉଥିବା କଳିଙ୍ଗ ଷ୍ଟୁଡିଓ ‘ଫନି’ ବାତ୍ୟାରେ ପୁଣି ବିପର୍ଯ୍ୟସ୍ତ ହୋଇପଡ଼ିଲା ପରେ ଏମିତି ପ୍ରଶ୍ନ ସିନେ ପ୍ରେମୀଙ୍କୁ ଆନ୍ଦୋଳିତ କରୁଛି। କିଛି ମାସ ତଳେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍‌ଡିିସି) ସ୍ବପ୍ନ ଦେଖାଇଥିଲା, କେବଳ ଫିଲ୍ମ ସୁଟି˚ରେ ସୀମିତ ରହିବନି କଳିଙ୍ଗ ଷ୍ଟୁଡିଓ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ବାଟ ଫିଟିବ। ଷ୍ଟୁଡିଓ ମଧୢରେ ସୁଟି˚ ସ୍ପଟ୍‌ ବ୍ୟତୀତ ଏକ ‘ଚଳଚ୍ଚିତ୍ର ସ˚ଗ୍ରହାଳୟ’ ନିର୍ମିତ ହେବ। ଭାଗବତ ଟୁଙ୍ଗି, ବଡ଼ ସ୍ବିମି˚ ପୁଲ୍‌, ବସ୍‌ ଷ୍ଟପ୍‌, ପେଟ୍ରୋଲ୍‌ ପମ୍ପ, ପୁଲିସ୍‌ ଷ୍ଟେସନ୍‌ ବି ନିର୍ମିତ ହେବ। ଟିକେଟ୍‌ କରି ଷ୍ଟୁଡିଓ ବୁଲିବାର ସୁଯୋଗ ମିଳିବ।

କିନ୍ତୁ ଫନି ପରେ କଳିଙ୍ଗ ଷ୍ଟୁଡିଓକୁ ନେଇ ଏତେ ସ୍ବପ୍ନ ପୂରଣ ହେବା ତ ଦୂରର କଥା। ଫନିର ଦେଢ଼ ମାସରେ ବି ଷ୍ଟୁଡିଓର ବିପର୍ଯ୍ୟସ୍ତ ଅବସ୍ଥା କ‌ାହାରିକୁ ବ୍ୟଥିତ କରିପାରିନି। ବାତ୍ୟା ବେଳେ ଅଟକିଥିବା ପୁନରୁଦ୍ଧାର କାର୍ଯ୍ୟ ଆଉ ଆରମ୍ଭ ହୋଇପାରୁ ନାହିଁ। ସରକାର ଭିତ୍ତିଭୂମି ସଜାଡ଼ିବାକୁ ବିଭିନ୍ନ ବିଭାଗକୁ ଅର୍ଥ ବରାଦ କରିଥିଲେ ବି କଳିଙ୍ଗ ଷ୍ଡୁଡିଓ ସମ୍ପୂର୍ଣ୍ଣ ଅଣଦେଖା ହୋଇ ରହିଯାଇଛି।

ଷ୍ଟୁଡିଓକୁ ସଜାଡ଼ିବା ପାଇଁ ଗତ ବର୍ଷ ଜୁନ୍‌ ମାସରୁ ତ୍ବରିତ ବେଗରେ ଆରମ୍ଭ ହୋଇଥିଲା ପୁନରୁଦ୍ଧାର କାର୍ଯ୍ୟ। ସୁଟି˚ ପାଇଁ ମହଜୁଦ ଥିବା ୪ଟି ଭିଆଇପି କଟେଜ୍‌, ମନ୍ଦିର, ଗାର୍ଡେନ୍‌, ସୁଟି˚ ହଲ୍‌ ଓ ଭିଲେଜ୍‌ କମ୍ପ୍ଲେକ୍ସ ଭିତରେ ଥିବା ଚାଳଘର, ଜମିଦାର ଘର, ଗ୍ରିନ୍‌ ରୁମ୍‌ ଆଦିକୁ ପୁନରୁଦ୍ଧାର କରିବା ପାଇଁ ଜୋର୍‌ଦାର୍‌ କାମ ଆରମ୍ଭ ହେଲା। ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ନିର୍ମାଣ କାର୍ଯ୍ୟ ହାତକୁ ନେଲା। ଷ୍ଟୁଡିଓର ରାସ୍ତା କାମ ପୂର୍ତ ବିଭାଗ ନିଜ ହାତକୁ ନେଲା। ପ୍ରାଥମିକ ପର୍ଯ୍ୟାୟରେ ୧୦ କୋଟି ଟଙ୍କାର ବ୍ୟୟ ଅଟକଳ ମଧ୍ୟ ପ୍ରସ୍ତୁତ ହେଲା। ପୁରୁଣା ରାସ୍ତା ଭାଙ୍ଗି ନୂଆ ରାସ୍ତା ପାଇଁ ଗୋଡ଼ି ସିମେଣ୍ଟର ଚିପ୍ସ ମଧ୍ୟ ପଡ଼ିଲା। ଏହା ପରେ ବଜେଟ୍‌ ଅଭାବରୁ କାମ ଅଟକି ଗଲା। ପୁଣି ମେ’ ୩ର ମହାବାତ୍ୟା ଫନି ଧ୍ବସ୍ତବିଧ୍ବସ୍ତ କରିପକାଇଲା କଳିଙ୍ଗ ଷ୍ଟୁଡିଓକୁ। ବର୍ତ୍ତମାନ ଷ୍ଟୁଡ଼ିଓକୁ ଠାବ କରିବା ବି କଷ୍ଟକର ହୋଇପଡ଼ିଛି। ଷ୍ଟୁଡିଓର ଦୁଇଟି ଯାକ ଫାଟକ ଓ ତତ୍‌ସଂଲଗ୍ନ ପାଚେରି ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛି। ତିଆରି ହେଉଥିବା ଭିଆଇପି କଟେଜ୍‌, ଜମିଦାର ଘରର ଛାତ ଉଡ଼ିଯାଇଛି। ଷ୍ଟୁଡିଓ ପରିସରର ବଗିଚା, ଧାଡ଼ି ଧାଡ଼ି ହୋଇ ହୋଇଥିବା ନଡ଼ିଆ ଗଛ, ପିଣ୍ଡି ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି। ଧ୍ବଂସସ୍ତୂପରେ ପରିଣତ ହୋଇଯାଇଛି ପୂରା ଷ୍ଟୁଡିଓ।

୧୯୮୨ ମସିହାରେ ପ୍ରାୟ ୨୫ ଏକର ଜମିରେ ନିର୍ମାଣ ହୋଇଥିଲା କଳିଙ୍ଗ ଷ୍ଟୁଡିଓ। ବୈଷୟିକ ସୁବିଧାଠାରୁ ଆରମ୍ଭ କରି ଯନ୍ତ୍ରପାତିର ମାନ ଦୃଷ୍ଟିରୁ ଏହା ଦେଶର ଉତ୍ତର ପୂର୍ବାଞ୍ଚଳରେ ଏକ ଆତ୍ୟା‌ଧୁନିକ ଷ୍ଟୁଡିଓର ମାନ୍ୟତା ପାଇଥିଲା। ଏଠାରେ ଓଡ଼ିଆ ଚଳଚ୍ଚିତ୍ର ସହ ବଙ୍ଗଳା, ମଣିପୁରୀ, ଆସାମୀ, ଭୋଜପୁରୀ ଓ ହିନ୍ଦୀ ଭାଷାରେ ୫୧୦ରୁ ଅଧିକ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା। ମାତ୍ର ୧୯୯୯ ମହାବାତ୍ୟା ସବୁ ଉଜାଡ଼ି ଦେଇଥିଲା। ତାହା ପରେ ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ଏଠାରୁ ମୁହଁ ଫେରାଇ ନେଇଥିଲେ। ୨୦୦୭ ବେଳକୁ ଷ୍ଟୁଡିଓ ଏକ ପ୍ରକାର ବନ୍ଦ ହୋଇଗଲା। ୨ ବର୍ଷ ପରେ କିଛିଟା ମରାମତି କାର୍ଯ୍ୟ କରାଯାଇ ଷ୍ଟୁଡିଓ ଖୋଲିଲା। କିନ୍ତୁ ବଦଳିଲାନି ଏହାର ଭାଗ୍ୟ। ପୁଣି ୨୦୧୩ର ଫାଇଲିନ୍‌ ବାତ୍ୟା ଓ ୨୦୧୪ର ହୁଡ୍‌ହୁଡ୍‌ ବାତ୍ୟାରେ ସବୁ କିଛି ଭାଙ୍ଗିରୁଜି ଚୂରମାର‌୍‌ ହୋଇଗଲା। ଅଲୋଡ଼ା ପାଲଟିଗଲା ସମସ୍ତଙ୍କ ପାଇଁ। ଚଳଚ୍ଚିତ୍ର ନିର୍ମାତାମାନେ ଚଳଚ୍ଚିତ୍ର ନିର୍ମାଣ ପାଇଁ ରାଜ୍ୟ ବାହାରକୁ ଚାଲିଗଲେ। ଧୀରେ ଧୀରେ ଆହୁରି ଅବହେଳିତ ହେବାକୁ ଲାଗିଲା ଷ୍ଟୁଡିଓ।

ଗତ ବର୍ଷ ଠାରୁ ଷ୍ଟୁଡିଓକୁ ଜୀବନ୍ୟାସ ଦେବାକୁ କାମ ଆରମ୍ଭ ହେଲା ଓ ସରକାର ଅର୍ଥ ବରାଦ କଲେ। ଭବିଷ୍ୟତ ପାଇଁ ସୁନେଲି ସ୍ବପ୍ନ ଦେଖାଇ ଦିଆଗଲା। କିନ୍ତୁ ଫନି ପରେ ପୁଣି ଷ୍ଟୁଡିଓର ଭାଗ୍ୟ ଅନ୍ଧାରକୁ ଠେଲି ହୋଇଗଲା। ଓଡ଼ିଶା ଚଳଚ୍ଚିତ୍ର ଶିଳ୍ପକୁ ପ୍ରୋତ୍ସାହନ ଦେବାକୁ ସରକାର କେବେ ଠୋସ୍ ପଦକ୍ଷେପ ନେଉ ନ ଥିବାରୁ ଏହି ଷ୍ଟୁଡିଓ ପ୍ରତି ପୁଣି କେବେ ଶୁଭ ଦୃଷ୍ଟି ପଡ଼ିବ, ତାହା ବର୍ତ୍ତମାନ ବଡ଼ ପ୍ରଶ୍ନବାଚୀ। ଏ ନେଇ ଓଏଫ୍‌ଡିସି ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କୁ ଯୋଗାଯୋଗ କରାଯାଇଥିଲେ ବି ସେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ।

ସମ୍ବନ୍ଧିତ ଖବର