ଶୀର୍ଷରେ ବିଜୟ, ନିରଞ୍ଜନ, ଲେଖାଶ୍ରୀ: ‘କନକ ନ୍ୟୁଜ୍‌’ର ନ୍ୟୁଜ୍‌ ମେକର-୨୦୧୭

ଭୁବନେଶ୍ୱର: ବର୍ଷତମାମ ବିଭିନ୍ନ କ୍ଷେତ୍ରରେ ଖବରର ଶିରୋନାମା ପାଲଟିଥିବା ବ୍ୟକ୍ତିତ୍ୱମାନଙ୍କୁ ନେଇ କନକ ନ୍ୟୁଜ୍‌ ପକ୍ଷରୁ ଆଜି ହୋଟେଲ ନ୍ୟୁ ମାରିଅନ୍‌ରେ ‘ନ୍ୟୁଜ୍‌ ମେକର ୨୦୧୭’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏବଂ ୮ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ରାଜନୀତି କ୍ଷେତ୍ରରେ ୨୦୧୭ରେ ସର୍ବାଧିକ ଚର୍ଚାରେ ଥିବା ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ସମ୍ବର୍ଧିତ ହୋଇଥିଲେ। ସେହିପରି ସ୍ତ୍ରୀର ଶବକୁ କାନ୍ଧରେ ବୋହିଥିବା ଦାନ ମାଝୀ ଏ ବର୍ଷ ବାଇକ୍‌ କିଣି ଚର୍ଚାକୁ ଆସିଥିବା ବେଳେ ମାଲକାନଗିରିର ଡାକ୍ତର ଓଁକାର ହୋତା ଆଦିବାସୀ ଅଧ୍ୟୁଷିତ ଅପହଞ୍ଚ ଇଲାକାରେ ନିଜର ନିଃସ୍ୱାର୍ଥପର ସେବା କାର୍ଯ୍ୟ ପାଇଁ ଅନେକ ପ୍ରଶଂସା ସାଉଁଟିଥିବାରୁ ସମ୍ବର୍ଧିତ ହୋଇଥିଲେ। ସେହିପରି ମନୋରଞ୍ଜନ କ୍ଷେତ୍ରରେ ଅଭିନେତ୍ରୀ ଏଲିନା, ସଙ୍ଗୀତ ନିର୍ଦେଶକ ପ୍ରେମାନନ୍ଦ ଏବଂ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବର୍ଷ ଚର୍ଚ୍ଚାରେ ରହି ନ୍ୟୁଜ୍‌ ମେକର ୨୦୧୭ ହୋଇଥିଲେ। କନକ ନ୍ୟୁଜ୍‌ର ଏଡିଟର ମନୋରଞ୍ଜନ ମିଶ୍ର ଓ ଇନ୍‌ପୁଟ୍‌ ଏଡିଟର୍‌ ସ୍ୱୟଂପ୍ରକାଶ ମହାପାତ୍ର କାର୍ଯ୍ୟକ୍ରମକୁ ସଂଚାଳନ କରିବା ସହ ଏହି ନ୍ୟୁଜ୍‌ ମେକରମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ।

ପୂର୍ବତନ ମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରଶ୍ନଗୁଡ଼ିକର ଉତ୍ତର ଦେଇଥିିଲେ। ସେ କହିଥିଲେ ଯେ ୨୦୧୭ରେ ମହାନଦୀ ଥିଲା ପ୍ରମୁଖ ପ୍ରସଙ୍ଗ, ଯାହାକୁ ନେଇ ବିବାଦ ଥମିନି। ମହାନଦୀରେ ହୀରାକୁଦ ବନ୍ଧ ନିର୍ମାଣ ଲାଗି ଉଭୟ ରାଜ୍ୟ ମଧ୍ୟରେ କାଗଜପତ୍ର ହୋଇ ନ ଥିଲା। କେବଳ କଥାବାର୍ତାରେ ସବୁ କିଛି ହୋଇଥିଲା। ତେଣୁ ଏବେ ସମସ୍ୟା ସୃଷ୍ଟି ହେଉଛି। ରାଜନୀତିରେ ଶ୍ରୀ ମହାପାତ୍ରଙ୍କ ଅସ୍ଥିରତା ନେଇ ଏକ ପ୍ରଶ୍ନର ଉତ୍ତରରେ ସେ କହିଲେ, ମୁଁ କେବେ ଅସ୍ଥିର ନୁହେଁ। ନୀତି ଓ ନିଷ୍ପତ୍ତିରେ ସବୁବେଳେ ସ୍ଥିର ରହେ। କେନ୍ଦ୍ରାପଡ଼ାରେ ଯାହା ହୋଇଛି ସେ ଘଟଣା ଭିନ୍ନ ଥିଲା। ଜିଲ୍ଲା ପରିଷଦ ସଭ୍ୟଙ୍କୁ ଡକାଯାଇ ନ ଥିବାରୁ ତାହାର ପ୍ରତିବାଦ କରିଥିଲେ କର୍ମୀ। ସେଥିରେ ମୋର କୌଣସି ସମ୍ପର୍କ ନାହିଁ। ୩ ଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କଥା ହୋଇଥିବା ନେଇ ସେ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ।

କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ କହିଲେ, କଂଗ୍ରେସର ମୋର କୌଣସି ଗୋଷ୍ଠୀ ନାହିଁ କି ମୋ ଇଙ୍ଗିତରେ କିଛି ବି ହେଉନି। ଯେଉଁମାନେ ମୋତେ ନେତା ମାନିବେ ମୁଁ କ’ଣ ମନା କରିବି? କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏପର୍ଯ୍ୟନ୍ତ ପିସିସି ସଭାପତି ବାଛିନାହାନ୍ତି। ଯଦି ବି ମୋତେ ସଭାପତି କରନ୍ତି ଦାୟିତ୍ୱ ନେବା ସମୟରେ ଏନେଇ ଚିନ୍ତା କରିବି। ଗତ କିଛି ବର୍ଷ ହେଲା ଓଡ଼ିଶାବାସୀ ଧୋକା ଖାଉଛନ୍ତି। ଏବର୍ଷ ମହାନଦୀ ଓଡ଼ିଶାବାସୀଙ୍କ ଲାଗି ଦୁର୍ଦିନ ଆଣି ଦେଇଛି। ।

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଲେ, ଅଧ୍ୟାପନା ଛାଡ଼ି ଲୋକଙ୍କ ସେବା ଲାଗି ରାଜନୀତିକୁ ଆସିଥିଲି। ସେତେବେଳେ ବିଜେପି, ବିଜେଡି, କଂଗ୍ରେସ ନେତାଙ୍କୁ ସାକ୍ଷାତ କରିଥିଲି। ପରେ ବିଜେପିରେ ଯୋଗଦେଲି। ବିଜେଡିର ୧୮ ବର୍ଷ ଶାସନ ମଧ୍ୟରେ ଓଡ଼ିଶା ୫୦ ବର୍ଷ ପଛକୁ ପଳାଇଛି। ବିରୋଧୀ ଦଳ ଭାବେ ଯଦି ଆମେ ବିଜେଡିକୁ ଜଗି କିଛି ବି ମନ୍ତବ୍ୟ ଦେବୁ ତାହା କ’ଣ ଭୁଲ ବୋଲି ସେ ଯୁକ୍ତି ବାଢ଼ିଥିଲେ।

କଳାହାଣ୍ଡି ଜିଲ୍ଲାର ଚର୍ଚ୍ଚିତ ଚେହେରା ଦାନ ମାଝୀ କହିଲେ, ଆଜି ପର୍ଯ୍ୟନ୍ତ ମୋ ଅଞ୍ଚଳର ଚିତ୍ର ବଦଳିନି। ସ୍ତ୍ରୀର ଶବକୁ କାନ୍ଧରେ ବୋହି ନେବା ପରେ ବାହାର ରାଜ୍ୟର ନେତା ମୋ ଅଞ୍ଚଳକୁ ଆସିଥିଲେ। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥରୁଟିଏ ବି ଗଲେ ନାହିଁ। ମୋ ଅଞ୍ଚଳର ଲୋକଙ୍କ କଥା ସବୁ ବେଳେ ଚିନ୍ତା କରୁଛି। ଦୁଃଖ ଆଜି ବି ସରିନି। ତା’ ମାନେ ନୁହେଁ ଯେ ମୁଁ ବାଇକ୍‌ଟିଏ କିଣିପାରିବି ନାହିଁ। ଡାକ୍ତର ଓଁକାର ହୋତା କହିଲେ, ୧୫ ବର୍ଷ ହେଲା ଏହି ଉପାନ୍ତ ଅଞ୍ଚଳରେ ମେଡିକାଲ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଡାକ୍ତର ନ ଥିଲେ। ମୁଁ ପ୍ରଥମ କରି ସେଠାକୁ ଯାଇଥିଲି। ଏବେ ଚିତ୍ର କିଛିଟା ବଦଳିବାରେ ଲାଗିଛି। ବିବାହ ପରେ ବି ପତ୍ନୀଙ୍କ ସହ ସେଠାରେ ରହି ରୋଗୀଙ୍କ ସେବା କରିବ ବୋଲି ସେ କହିଥିଲେ।

ଚଳିତବର୍ଷ ଚର୍ଚ୍ଚା ପରିସରକୁ ଆସିଥିବା ଅଭିନେତ୍ରୀ ଏଲିନା ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ମଧ୍ୟ ତାଙ୍କର ପସନ୍ଦ ଯୋଗ୍ୟ ଓଡ଼ିଆ ଅଭିନେତାଙ୍କ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇ ନ ଥିଲେ। ସଙ୍ଗୀତଜ୍ଞ ପ୍ରେମାନନ୍ଦ ଏବଂ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ସଙ୍ଗୀତ ପରିବେଷଣ କରିବା ସହ ମନ ଖୋଲା କଥା ହୋଇଥିଲେ। ଏହି ଅବସରରେ କନକ ନ୍ୟୁଜ୍‌ର ଲୋକପ୍ରିୟ କାର୍ଯ୍ୟକ୍ରମ ‘ଓଲ୍‌ଟା ପାଲ୍‌ଟା’ ଏବଂ ‘କଥା ଅସଲି ଲୋକ ନକଲି’ର କଳାକାରମାନେ ଦର୍ଶକଙ୍କୁ ହସେଇ ହସେଇ ବେଦମ କରିଥିଲେ। ବିଜୟଲକ୍ଷ୍ମୀ କାର୍ଯ୍ୟକ୍ରମରେ ଉପସ୍ଥାପନା କରିଥିଲେ।

ସମ୍ବନ୍ଧିତ ଖବର