ଭୁବନେଶ୍ୱର, ଶିଳ୍ପାୟନର ଉନ୍ନତି ପାଇଁ ଯାହା ଯାହା ମାନଦଣ୍ଡ ରହିବା ଦରକାର, ତାହା ଓଡ଼ିଶାରେ ଅଛି। ଏଥିପାଇଁ ଏବେ ବହୁ ଶିଳ୍ପ ସଂସ୍ଥା ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ଦେଖାଉଛନ୍ତି। ଯେତିକି ବିଦେଶୀ ପୁଞ୍ଜି ଭାରତରେ ନିବେଶ ହେବାକୁ ଆସୁଛି, ତା’ର ୧୮% ଓଡ଼ିଶାକୁ ଆସୁଛି। ଏଥିରୁ ସ୍ପଷ୍ଟ ଅନୁମେୟ, ଓଡ଼ିଶାରେ କିପରି ଶିଳ୍ପ ଅଭିବୃଦ୍ଧି ହେଉଛି। କନକ ନ୍ୟୁଜ୍ ପକ୍ଷରୁ ଆୟୋଜିତ ଓଡ଼ିଶା ନିର୍ମାଣ କନକ୍ଲେଭ୍ର ଏକ ଅଧିବେଶନରେ ଯୋଗଦେଇ ଏହା କହିଛନ୍ତି ଶିଳ୍ପ, ଶକ୍ତି, ଏମ୍ଏସ୍ଏମ୍ଇ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଶ୍ରୀ ମିଶ୍ର କହିଲେ ଯେ ଶିଳ୍ପାୟନ ଉନ୍ନତି ପାଇଁ ଓଡ଼ିଶାରେ ଗୋଟିଏ ସ୍ଥିର ସରକାର ଅଛି। ଏଠାରେ କୋଷ୍ଟାଲ ହାଇୱେ ନିର୍ମାଣ କରାଯିବ। ଏବେ ୩ଟି ବନ୍ଦର ଅଛି, ୨ଟି ବନ୍ଦର ନିର୍ମଣାଧୀନ ଅଛି, ଏସ୍ଇଜେଡ୍ ନିର୍ମାଣ ହେଉଛି, ଓଡ଼ିଶାରେ ଯୁବପିଢ଼ିଙ୍କର ଦକ୍ଷତା ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହେଉଛି। କେବଳ ଏତିକି ନୁହେଁ, ସରକାରଙ୍କ ଚିନ୍ତାଧାରା ଓ ପ୍ରତିବଦ୍ଧତା ଯୋଗୁଁ ଏବେ ବହୁ ଶିଳ୍ପ ସଂସ୍ଥା ଓଡ଼ିଶାମୁହାଁ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶିଳ୍ପାନୁଷ୍ଠାନଗୁଡ଼ିକୁ ଯେପରି ସବୁ ସୁବିଧା ସୁଯୋଗ ହାତ ପାଖରେ ମିଳିବ, ସେଥିପାଇଁ ଗୋ ସ୍ବିଫ୍ଟ ଓ ସିଙ୍ଗିଲ୍ ୱିଣ୍ଡୋ ବ୍ୟବସ୍ଥା ହୋଇଛି। ଓଡ଼ିଶାରେ ଏ ବର୍ଷ ବଜେଟ୍ ୧.୨୮ଲକ୍ଷ କୋଟି ପାଖାପାଖି ଅଛି। ବର୍ତ୍ତମାନର ବ୍ୟବସ୍ଥାରେ ଓଡ଼ିଶା ଅର୍ଥନୀତି କେବେ ବି ଏକ ଟ୍ରିଲିଅନ୍ ଛୁଇଁପାରେ। ଆଗରୁ ଓଡ଼ିଶାରେ କୌଣସି ଚୀନ୍ କମ୍ପାନି ପୁଞ୍ଜିନିବେଶ କରୁ ନ ଥିଲେ। କିନ୍ତୁ ଏବେ ଚୀନ୍ର ଏକ ବଡ଼ କମ୍ପାନି ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ଦେଖାଇଛି। ଓଡ଼ିଶା ସରକାର ବଡ଼ ଶିଳ୍ପ ସହ ଛୋଟଛୋଟ ଶିଳ୍ପକୁ ବି ଗୁରୁତ୍ବ ଦେଉଛନ୍ତି। ଶିଳ୍ପ ଦୃଷ୍ଟିରୁ ରାଜ୍ୟର ୧୧ଟି ପଛୁଆ ଜିଲ୍ଲାରେ ଯେପରି ଶିଳ୍ପାନୁଷ୍ଠାନ ଖୋଲିବ, ସେଥିପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ଏଥିପାଇଁ ବିଭିନ୍ନ ସ୍ଥାନରେ ଏମ୍ଏସ୍ଏମ୍ଇ ପାର୍କ କରିବାକୁ ଯୋଜନା ହୋଇଛି। ଏହି ଅଧିବେଶନକୁ କନକ ନ୍ୟୁଜ୍ର ଇନପୁଟ୍ ମୁଖ୍ୟ ସ୍ବୟଂପ୍ରକାଶ ମହାପାତ୍ର ସଂଯୋଜନା କରିଥିଲେ।