ଦ୍ରୌପଦୀ ଏବେ ବି ପ୍ରାସଙ୍ଗିକ: ପ୍ରତିଭା ରାୟ

ଯାଜ୍ଞସେନୀ ଶ୍ରେଷ୍ଠ କୃତି ନୁହେଁ; ଶ୍ରେଷ୍ଠ କୃତି ଆସିବାକୁ ବାକି ଅଛି

ଭୁବନେଶ୍ବର: ମହାଭାରତରେ ଦ୍ରୌପଦୀ ୫ଜଣ ସ୍ବାମୀଙ୍କ ସହ ଚଳୁଥିଲେ। ମାତ୍ର ଆଜିର ସମୟରେ ଗୋଟିଏ ସ୍ବାମୀକୁ ନେଇ ଚଳିବା ମହିଳାଙ୍କ ପାଇଁ କଷ୍ଟକର ହୋଇ ପଡ଼ୁଛି। ବିବାହ ବେଶୀଦିନ ତିଷ୍ଠୁ ନାହିଁ। ପରିବାର ଭିତରେ ସନ୍ତୁଳନ ରକ୍ଷା କରିବା ସହିତ ନିଜର ହକ୍ ମଧ୍ୟ ଆଦାୟ କରିବାକୁ ହେବ। ଜଣେ ମହିଳାର ନିଷ୍ପତ୍ତି ନେବାର କ୍ଷମତା ନ ଥିଲେ ତାହାର ମାନବିକ ଅଧିକାର ନାହିଁ ବୋଲି ଧରିବାକୁ ହେବ। ତେଣୁ ଆଜିର ସମୟରେ ମଧ୍ୟ ମହାଭାରତ ଓ ଦ୍ରୌପଦୀ ଅଧିକ ପ୍ରାସଙ୍ଗିକ ବୋଲି କହିଛନ୍ତି ବିଶିଷ୍ଟ ଲେଖିକା ପଦ୍ମଶ୍ରୀ ପ୍ରତିଭା ରାୟ।
ଆଜି ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ମିଳିତ ସହଯୋଗରେ ହୋଟେଲ ନ୍ୟୁ ମାରିଅନ୍‌ରେ ଅନୁଷ୍ଠିତ ହୋଇଥିଲା ‘ଅନନ୍ୟା’। ଏହାର ପ୍ରଥମ ଅଧିବେଶନରେ ପ୍ରତିଭା ରାୟ ନିଜ ଝିଅ ଆଦ୍ୟାଶା ଦାସଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଶ୍ରୀମତୀ ରାୟ କହି‌ଥିଲେ, ଦେଶରେ ଏମିତି ସ୍ଥାନ ରହିଛି ଯେଉଁଠାରେ ଆଜି ମଧ୍ୟ ଜଣେ ମହିଳା ୫ଜଣ ପୁରୁଷଙ୍କୁ ବିବାହ କରୁଛନ୍ତି। ସେଠାରେ ‘ପାଞ୍ଚାଳୀ’ ବୋଲି ପତ୍ରିକା ମଧ୍ୟ ବାହାରୁଛି। ମାତ୍ର ଏଭଳି ଘଟଣା ଘଟିବା ଉଚିତ୍ ନୁହେଁ। ବିବାହ ଦୁଇଟି ଭିନ୍ନ ମନୁଷ୍ୟକୁ ଏକାଠି କରିଥାଏ। ବିବାହ ରେଳ ଧାରଣା ଭଳି। ମହିଳା ନିଜତ୍ବ, ଶକ୍ତି ଓ ପ୍ରତିଭାକୁ ବଜାୟ ରଖିବା ଦରକାର। ସ୍ତ୍ରୀ ଉପରେ ପ୍ରଭାବ ବିସ୍ତାର କରିବା ବଦଳରେ ତାକୁ ପରିପ୍ରକାଶ କରିବାର ସୁଯୋଗ ଦିଆଯିବା ଆବଶ୍ୟକ। ରୂଢ଼ିବାଦକୁ ତ୍ୟାଗ କରିବା ଓ ମୂଲ୍ୟବୋଧକୁ ଜାବୁଡ଼ି ଧରିବା ଆବଶ୍ୟକ। ଏହାକୁ କରିପାରୁଥିବା ମହିଳା ହିଁ ଦ୍ରୌପଦୀ।

ଆଗେ ସ୍ବାମୀମାନେ ଖଟୁଳିର ଦିଅଁ ଥିଲେ
‌େଲଖକମାନେ ଜଣେ ଜଣେ ଅର୍ଦ୍ଧନାରୀଶ୍ବର

ଯ‌ାଜ୍ଞସେନୀ ପୁସ୍ତକରେ ଦ୍ରୌପଦୀ ଚରିତ୍ର କିଭଳି ଆସିଲା ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ୮/୯ମ ଶ୍ରେଣୀରେ ପଢ଼ିବା ସମୟରେ ଗାଁ ଯାତ୍ରାରେ ଦ୍ରୌପଦୀ ବସ୍ତ୍ରହରଣ ନାଟକ ଦେଖୁଥିଲି। ଦ୍ରୌପଦୀର ବସ୍ତ୍ରହରଣ ଚାଲିଥିବା ବେଳେ କିଛି ଲୋକ ଏହି ଦୃଶ୍ୟର ମଜା ନେଉଥିଲେ ଆଉ ବାପା ନାଟକର ବିଚାରକ ହୋଇଥିଲେ। ଏହାକୁ ନେଇ ପ୍ରତିବାଦ କରିବା ସହିତ ବାପାଙ୍କୁ କାହିଁକି ଏହି ନାଟକର ବିଚାରକ ହୋଇଛନ୍ତି ବୋଲି ପ୍ରଶ୍ନ କରିଥିଲି। ହେଲେ ବାପା ଏହାର କିଛି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ପ୍ରତିବାଦ କରୁ କରୁ ଅବଚେତନରେ ଦ୍ରୌପଦୀ ମନ ଭିତରେ ପଶି ଯାଇଥିଲା। ଧୀରେ ଧୀରେ ଦ୍ରୌପଦୀ ଚରିତ୍ର କବଳିତ କରି ନେଇଥିଲା। ଯ‌ାଜ୍ଞସେନୀର ୧୦୦ତମ ସଂସ୍କରଣ ପ୍ରକାଶ ପାଇଥିବା ବେଳେ ଏହା ଶ୍ରେଷ୍ଠ କୃତି କି ପ୍ରଶ୍ନରେ ଶ୍ରୀମତୀ ରାୟ କହିଥିଲେ, ଯାଜ୍ଞସେନୀ ଶ୍ରେଷ୍ଠ କୃତି ନୁହେଁ, ଏ ପର୍ଯ୍ୟନ୍ତ ନିଜର ଶ୍ରେଷ୍ଠ କୃତି ରଚନା କରିନାହିଁ। ହୁଏତ ଏହା ସର୍ବାଧିକ ପାଠକୀୟ ଆଦୃତି ଲାଭ କରିଛି। ଗାଁ ଗାଁରେ ପାଲା, ଓଡ଼ିଶୀ ନୃତ୍ୟ ଓ ଟିଭି ପରଦାରେ ଯାଜ୍ଞସେନୀ ସ୍ଥାନ ପାଇଛି। ତେବେ ଏହା କାଳଜୟୀ କି ନୁହେଁ ତାହା କାଳ ବିଚାର କରିବ। ଜଣେ‌ ଲେଖକ ନିଜର ବହି ବେଷ୍ଟ ସେଲର ହେବ ଭାବିକି ଲେଖି ନ ଥାଏ। ଏକାଧିକ ଉପନ୍ୟାସ ଲେଖିଥିବା ବେଳେ, ବେଳେ ବେଳେ ଯାଜ୍ଞସେନୀ‌ ସେମାନଙ୍କ ପାଇଁ ପ୍ରତିବନ୍ଧକ ବୋଲି ଅନୁଭବ ‌ହୁଏ। ସାହିତ୍ୟ ଭିତରେ ଚରିତ୍ର ନିର୍ବାଚନ କରିନି ବରଂ ଚରିତ୍ରମାନେ ମତେ ନିର୍ବାଚନ କରନ୍ତି। ଜଣେ ଲେଖକ ସମାଜ ଓ ପୃଥିବୀରୁ ଚରିତ୍ର ଆଣିଥାଏ, ଆକାଶରୁ ଆଣି ନ ଥାଏ। ଲେଖକ ଜଣେ ସର୍ଜକ, ସର୍ଜକ କେବେ ବରାଦିଆ ଲେଖା ଲେଖେନାହିଁ। ଲେଖିବା ସମୟରେ ଜଣେ‌ ଲେଖକ ଲେଖା ଭିତରେ ମଜ୍ଜି ଯାଇଥାଏ। ପ୍ରତ୍ୟେକ ଲେଖା ଏକପ୍ରକାରର ଆତ୍ମଜୀବନୀ। ଯେତେବେଳେ ଜଣେ ଯେଉଁ ଚରିତ୍ର ତିଆରି କରୁଥାଏ ସେ ସମୟରେ ସେହି ଚରିତ୍ର ହେବାକୁ ପଡ଼ିଥାଏ। କହିବାକୁ ଗଲେ ଲେଖକ ଜଣେ ଅର୍ଧନାରୀଶ୍ବର ବୋଲି ଶ୍ରୀମତୀ ରାୟ କହିଥିଲେ। ପ୍ରାରମ୍ଭରେ ‘ସମ୍ବାଦ’ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ମତ ରଖିଥିଲେ। ସେ କହିଥିଲେ, ଆଜିର ସମୟରେ ବହୁତ କ୍ଷେତ୍ରରେ ମହିଳାମାନେ ନେତୃତ୍ବ ନେଉଛନ୍ତି। ମହିଳାମାନେ ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବା ଆବଶ୍ୟକ। ନିଜ ଭିତରେ ମହିଳାତ୍ବକୁ ଜାଗ୍ରତ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। ସମସ୍ତ କାର୍ଯ୍ୟକ୍ରମ‌େର ‘ସମ୍ବାଦ’ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଉପସ୍ଥିତ ରହିବା ସହିତ ପ୍ରତିଭା ରାୟ ଏବଂ ଆଦ୍ୟଶା ଦାସଙ୍କୁ ସମ୍ବର୍ଧିତ କରିଥିଲେ। ଅନ୍ତରା ଚକ୍ରବର୍ତୀ ସଂଗୀତ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର