ଦୁର୍ବଳ ପାଟ୍ରୋଲିଂକୁ ଦାୟୀ କଲେ ସ୍ଥାନୀୟ ବାସିନ୍ଦା

କାନନବିହାର ଫେଜ୍‌-୨ରେ ବରିଷ୍ଠ ନାଗରିକଙ୍କ ଘରୁ ଲୁଟ୍‌ ଘଟଣା

ଚନ୍ଦ୍ରଶେଖରପୁର: କାନନବିହାର ଫେଜ୍‌-୨ ଏମ୍‌ଆଇଜି-୮ରେ ରହୁଥିବା ବରିଷ୍ଠ ନାଗରିକ ଦମ୍ପତି ସୁବାସ ଚନ୍ଦ୍ର ନାୟକ ଓ ପତ୍ନୀ ମୀରାଙ୍କ ହାତଗୋଡ଼ ବାନ୍ଧି ଲୁଟ୍‌ ଘଟଣାକୁ ୪ଦିନ ବିତିଯାଇଥିଲେ ମଧ୍ୟ ପୁଲିସ୍‌ ହାତ ଖାଲି ରହିଛି। ଇନଫୋସିଟି ପୁଲିସ ଲୁଟେରାଙ୍କ କୌଣସି ଟେର୍‌ ପାଇନି। ଦିନ ଦ୍ୱିପ୍ରହରରେ ଘଟିଥିବା ଏହି ଲୁଟ୍‌ ସଂପର୍କରେ କୌଣସି ଠୋସ୍‌ ସୂଚନା ନପାଇ ଅନ୍ଧାରେ ବାଡ଼ି ବୁଲାଉଥିବା ଇନ୍‌ଫୋସିଟି ଥାନା ପୁଲିସ୍‌ ଏବେ ଓଷଧ ବିକଳରେ ତାଟିଆ କାମୁଡ଼ୁଛି। ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ଆଳରେ ନାଁକୁ ମାତ୍ର ପାଟ୍ରୋଲିଂ କରି ପିସିଆର୍‌ ବିଭିନ୍ନ ଛକରେ ଗାଡ଼ି ଠିଆକରି ଟାଇମ୍‌ପାସ୍‌ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଞ୍ଚଳ ବାସିନ୍ଦା। ଏହି ଲୁଟ୍‌ ଘଟଣାରେ ପୁଲିସ୍‌ ଦୁଇ ଜଣଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି। ହେଲେ ସେମାନଙ୍କଠାରୁ ଏମିତି କିଛି ତଥ୍ୟ ଆଦାୟ କରିପାରି ନାହିଁ ଯାହା ଲୁଟ୍‌ କିମ୍ବା ଲୁଟେରାଙ୍କୁ ଧରିବାରେ ବାଟ କଢ଼େଇବ। ତେବେ ଏହି ଘଟଣାକୁ ଗୁରୁତର ସହିତ ନେଇଛି କମିସନରେଟ୍‌ ପୁଲିସ୍‌। ଗତକାଲି ଲୁଟ୍‌ ପରେ ପୁଲିସ୍‌ର ଏକ ସ୍ୱତନ୍ତ୍ର ଦଳ ରାଜଧାନୀରେ ରହୁଥିବା ବିଭିନ୍ନ ଦାଗୀଙ୍କ ଠିକଣାରେ ଚଢ଼ାଉକରିଥିବା ସୂଚନା ମିଳିଛି। ଏହି ଲୁଟ୍‌ କାର୍ଯ୍ୟ ନିର୍ଦ୍ଦିଷ୍ଟ ଏକ ଗ୍ୟାଙ୍ଗର ବୋଲି ଅନୁମାନ କରି ସ୍ୱତନ୍ତ୍ର ପୁଲିସ୍‌ ଦଳ ଗୁରୁବାର ରାତିରେ ରାଜଧାନୀର ଏକ ଅଜ୍ଞାତ ସ୍ଥାନରେ ଚଢ଼ାଉ କରିଛି। ହେଲେ ସେଠାରୁ ମଧ୍ୟ କିଛି ତଥ୍ୟ ମଳିପାରିନାହଁ। ଅନ୍ୟ ପକ୍ଷରେ ଏହି ଘଟଣାରେ ସୁବାସଙ୍କ ବିଷୟରେ ଜାଣିଥିବା କେହି ଜଣାଶୁଣା ବ୍ୟକ୍ତିଙ୍କ ହାତ ରହିଥାଇ ପାରେ ବୋଲି ସନ୍ଦେହ ପ୍ରକାଶ ପାଇଛି। ସବୁ ଦିଗକୁ ତନତନ କରି ପୁଲିସ୍‌ ତଦନ୍ତ କରୁଥିଲେ ମଧ୍ୟ ଠିକ୍‌ ସ୍ଥାନରେ ପହଞ୍ଚିପାରୁ ନଥିବା ପୁଲିସ୍‌ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି। ଲୁଟ୍‌ର ଶିକାର ହୋଇଥିବା ସୁବାସଙ୍କ ଘର ନିକଟରେ ଥିବା ଦୁଇଟି ବ୍ୟବସାୟିକ ଅନୁଷ୍ଠାନର ସିସିଟିଭି ଫୁଟେଜ୍‌କୁ ମଧ୍ୟ ଆଜି ପୁଲିସ୍‌ ଯାଞ୍ଚ୍‌ କରି ତଦନ୍ତ ଜାରି ରଖିଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ।

କମିସନର୍‌ଙ୍କୁ ଦାବିପତ୍ର ଦେବେ କାନନବିହାର ବାସିନ୍ଦା
ଜନଗହଳିପୂର୍ଣ୍ଣ ସ୍ଥାନରେ ସ୍ପଷ୍ଟ ଦିବାଲୋକରେ ଏମିତି ଢଙ୍ଗରେ ଲୁଟ୍‌ ପରେ ବରିଷ୍ଠ ନାଗରିକଙ୍କ ଜୀବନପ୍ରତି ଭୟଥିବା ଦର୍ଶାଇ କାନନବିହାର ବାସିନ୍ଦା ପୁଲିସ୍‌ କମିସନରଙ୍କୁ ଏକ ଦାବିପତ୍ର ଦେବା ନେଇ ସ୍ଥିର କରିଛନ୍ତି। ଏନେଇ ସ୍ଥାନୀୟ ଥାନାରେ ମଧ୍ୟ ଅଭିଯୋଗ କରାଯାଇଛି। ଏକୁଟିଆ ଘରେ ରହୁଥିବା ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ସେମାନେ ପୁଲସ୍‌ କମିସନରଙ୍କୁ ଅନୁରୋଧ କରିବା ନେଇ ସୂଚନା ମିଳିଛି। ପୁଲିସ୍‌ ପକ୍ଷରୁ ବରିଷ୍ଠନାଗରିକମାନଙ୍କୁ ସୁରକ୍ଷା ଯୋଗାଇଦେବା ବଦଳରେ ପାଲଟା ଅଜଣା ଲୋକଙ୍କୁ କାହିଁକି ଘର ଭିତରକୁ ପଶିବାପାଇଁ ଦେଉଛ ବୋଲି ଅଭିଯୋଗ କରୁଛି ପୁଲିସ୍‌।

ସମ୍ବନ୍ଧିତ ଖବର