ରିଆକ୍ଟ୍‌

ସଚିବାଳୟ ମାର୍ଗ। ରାତି ପ୍ରାୟ ୯ଟା। ଏକୁଟିଆ ଝିଅଟିଏ ସ୍କୁଟିରେ ଘରକୁ ଫେରୁଥାଏ। ହଠାତ୍‌ ୩ ଜଣ ଦୁର୍ବୃତ୍ତ ଆସି ଝିଅଟିର ମୋବାଇଲ୍‌, ଚେନ୍‌ ଛଡ଼ାଇ ନେଇ ପଳାଇଗଲେ। ଝିଅଟି କିନ୍ତୁ ହାର୍‌ ମାନିନଥିଲା। ପ୍ରତ୍ୟାକ୍ରମଣ ପୂର୍ବକ ଦୁର୍ବୃତ୍ତଙ୍କ ବାଇକ୍‌କୁ ତଳେ ପକାଇ ନିସ୍ତୁକ ପିଟିଥିଲେ। ଯୁବକମାନେ ଖସି ପଳାଇଲେ ସତ, କିନ୍ତୁ ବାଇକ୍‌ ରହିଗଲା। ବାଇକ୍‌ ଜରିଆରେ ଯୁବକମାନଙ୍କୁ ଗିରଫ କରାଗଲା। ସେଦିନ ଝିଅଟିର ସେ ବୀରତ୍ୱର କାହାଣୀ ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲା। ଆତ୍ମରକ୍ଷା ପାଇଁ ‘ରିଆକ୍ଟ’ କୌଶଳକୁ ଆପଣେଇ ସେଦିନ ରାତିରେ ଚର୍ଚିତ ଚେହେରା ପାଲଟିଥିବା ଝିଅ ହେଉଛନ୍ତି ଚିନ୍ମୟୀ ଭୂୟାଁ। ଖାଲି ସେ ଚର୍ଚିତ ହେଲେ ନାହିଁ, ସ୍ପେସାଲ୍‌ ପୁଲିସ୍‌ ଅଫିସର ହେବାର ସୁଯୋଗ ବି ପାଇଲେ। ତେବେ ଖାଲି ଚିନ୍ମୟୀ ନୁହନ୍ତି, ତାଙ୍କ ଭଳି ଅନେକ ଝିଅ ଏବେ ଆତ୍ମରକ୍ଷା କୌଶଳକୁ ନିଜ ଜୀବନରେ ଆପଣେଇ ନେଇଛନ୍ତି।

ଉପସ୍ଥାପନା:ସସ୍ମିତା ସାହୁ

‘ରିଆକ୍ଟ’ କ’ଣ?

ଆକ୍ରମଣର ସଙ୍ଗେ ସଙ୍ଗେ ପ୍ରତ୍ୟୁତ୍ତର ଦେବାର ପ୍ରତିକ୍ରିୟା ହେଉଛି ‘ରିଆକ୍ଟ’। ଆତ୍ମରକ୍ଷା କୌଶଳର ୩ଟି ପ୍ରକ୍ରିୟା ରହିଛି। ପ୍ରଥମ ‘ମାଇଣ୍ଡ ଟ୍ରେନିଂ’। ତାଲିମ୍‌ ନେଉଥିବା ଯୁବତୀଙ୍କୁ ମାନସିକସ୍ତରରେ ସବଳ କରିବା ତଥା ମନରେ ସାହସ ଓ ଆତ୍ମବିଶ୍ୱାସ ଭରି ଦେବା ହେଉଛି ପ୍ରଥମ ପାହଚ। ଦ୍ୱିତୀୟ ‘ଫିଜିକାଲ୍‌ ଟ୍ରେନିଂ’। ଏଥିରେ ଯୁବତୀଙ୍କ ଶରୀରକୁ ଶକ୍ତ କରିବା ସହ ତାଙ୍କ ଶକ୍ତି, ସହନଶୀଳତା ଓ ନମନୀୟତା ବଢ଼ାଇବା ପାଇଁ ଏହି ତାଲିମ୍‌ ଦିଆଯାଏ। ଏହା ଫଳରେ ଯୁବତୀଙ୍କ ଶରୀର ଗଠନ ସୁନ୍ଦର ହେବା ସହ ପ୍ରତିଦିନ ଅଭ୍ୟାସ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼େ। ଶେଷ ପାହାଚ ହେଉଛି ମାର୍ସାଲ ଆର୍ଟ। ଏଥିରେ ଆକ୍ରମଣର ୪୦ଟି ରାସ୍ତାରୁ କିପରି ନିଜକୁ ରକ୍ଷା କରାଯାଇ ପାରିବ ତାହା ତାଲିମ୍‌ ଦିଆଯାଏ। ଏହି ତାଲିମ୍‌ ଦିନକୁ ୨ ଘଣ୍ଟା ଲେଖାଏଁ ୧୨ ଦିନ ଦିଆଯାଏ। ଏଥିସହ ପ୍ରତିଦିନ ୪୫ ମିନିଟ୍‌ ପାଇଁ ଏହାକୁ ଅଭ୍ୟାସ କଲେ ଆକ୍ରମଣକାରୀକୁ ପ୍ରତିରୋଧ କରିବା ସହଜ ହୁଏ। ଆମେ କେବଳ ବଳ ଓ କୌଶଳ ପ୍ରୟୋଗ ଦ୍ୱାରା ଜିତିବା ସମ୍ଭବ ବୋଲି ହରିପ୍ରସାଦ ପଟ୍ଟନାୟକ କହିଛନ୍ତି।

କରାଟେର ନିଜସ୍ୱ କୌଶଳ ରହିଛି

କରାଟେ, ଜୁଡୋ, ମାର୍ସାଲ ଆର୍ଟ, କୁସ୍ତି ଓ ବକ୍ସିଂକୁ ସାଧାରଣତଃ ଆମେ ଆତ୍ମରକ୍ଷା କୌଶଳ ବୋଲି ଭାବି ନେଉ। କିନ୍ତୁ ବାସ୍ତବରେ ଏସବୁ କ୍ରୀଡ଼ା। ନୃତ୍ୟ ଭଳି ଏହାର ନିଜସ୍ୱ କୌଶଳ ରହିଛି। କିନ୍ତୁ ରାସ୍ତା ଉପରେ ହେଉଥିବା ଆକ୍ରମଣ ସମ୍ପୂର୍ଣ୍ଣ ଭିନ୍ନ। ଏହା କୌଣସି ଟେକ୍‌ନିକ୍‌କୁ ଅନୁକରଣ କରେ ନାହିଁ। ତେଣୁ କ୍ରୀଡ଼ା ଓ ଆତ୍ମରକ୍ଷା କୌଶଳ ଯେ ଭିନ୍ନ, ତାହାକୁ ଆମେ ଭଲ ଭାବେ ହୃଦୟଙ୍ଗମ କରିବା ଉଚିତ ବୋଲି କହିଛନ୍ତି ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠାତା ହରିପ୍ରସାଦ ପଟ୍ଟନାୟକ।

‘ରିଆକ୍ଟ’ରେ ୧୫ଲକ୍ଷ ଯୁବତୀ ଉପକୃତ

ମହିଳାଙ୍କ ଉପରେ ବଢ଼ୁଥିବା ଅତ୍ୟାଚାରକୁ ଦୃଷ୍ଟିରେ ରଖି ୯୦ ଦଶକରେ ଆରମ୍ଭ ହୋଇଥିଲା ‘ରିଆକ୍ଟ’। ମାର୍ସାଲ ଆର୍ଟର ଭିନ୍ନ ଭିନ୍ନ କୌଶଳକୁ ନେଇ ଏହାର ସୃଷ୍ଟି। ଇସ୍ରାଏଲ୍‌ରେ କର୍ଭ ମାଗା, ଋଷ୍‌ରେ ସିଷ୍ଟେମା ଭଳି ଭାରତରେ ଆରମ୍ଭ ହୋଇଥିଲା ‘ରିଆକ୍ଟ’। ୨୦୧୩ ନିର୍ଭୟା ଗଣଦୁଷ୍କର୍ମ ମାମଲା ପରେ ‘ଷ୍ଟେଟ୍‌ ୟୁଥ୍‌ ପଲିସି’ରେ ଏହା ଆତ୍ମରକ୍ଷା କୌଶଳ ଭାବେ ସ୍ଥାନ ପାଇଲା। ବର୍ତ୍ତମାନ ସୁଦ୍ଧା ଉଚ୍ଚଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଗୃହ ବିଭାଗ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ସହଯୋଗରେ ସରକାରୀ ଖର୍ଚ୍ଚରେ ୧୫ ଲକ୍ଷରୁ ଊର୍ଧ୍ୱ ଝିଅଙ୍କୁ ଏହି ଆତ୍ମରକ୍ଷା କୌଶଳ ଶିକ୍ଷା ଦିଆଯାଇଛି। ଏ ପର୍ଯ୍ୟନ୍ତ ୪୦ରୁ ଊର୍ଧ୍ୱ ସଫଳ କାହାଣୀ ସାମ୍ନାକୁ ଆସିଛି। ଏସବୁ କାହାଣୀକୁ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପୁସ୍ତକ ଲୋକାର୍ପଣ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର