କଥାଶିଳ୍ପୀ ସାରଦା ମିଶ୍ରଙ୍କ ସ୍ମୃତିସଭା

ଭୁବନେଶ୍ୱର: ଅପହଞ୍ଚ ଇଲାକାର ଅଧୀଶ୍ୱର ଚର୍ଚିତ ପୁସ୍ତକର ଲେଖକ ତଥା ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ବିଜେତା ସ୍ୱର୍ଗତଃ ସାରଦା ପ୍ରସାଦ ମିଶ୍ରଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ରୋଟାରି ଭବନରେ ଅନୁଷ୍ଠିତ ଏହି ସଭାକୁ ରାଜ୍ୟସଭା ଏମ୍‌ପି ଅଚ୍ୟୁତ ସାମନ୍ତ ଉଦ୍‌ଘାଟନ କରି ଶ୍ରୀ ମିଶ୍ରଙ୍କର ସ୍ମୃତିଚାରଣ କରିଛନ୍ତି। ଗୋଲାପି ସ୍ମୃତିର କବିତା, ରାତିର ଅଜବ ଦୃଶ୍ୟ ପ୍ରଭୃତି ଜୀବନ୍ତ ଲେଖାର ଅବତାରଣା କରିଛନ୍ତି। ତାଙ୍କ ସ୍ମୃତିରେ ଏକ ଜଣାଣ କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଛି। ଡ.ବିଜୟାନନ୍ଦ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଡ ପ୍ରବୋଧ ମିଶ୍ର, ରତ୍ନାକର ରାଉତ, ଅରୁଣ ପଣ୍ଡା, ପ୍ରଦୀପ୍ତ ପଣ୍ଡା, ଅରବିନ୍ଦ ରାୟ, ମନୋଜ ତ୍ରିପାଠୀ, ନେତାଜୀ ଅଭିନନ୍ଦନ ପ୍ରମୁଖଙ୍କ ସମେତ ଶତାଧିକ ସାରଦା ପ୍ରେମୀ ଉପସ୍ଥିତ ରହି ତାଙ୍କୁ ମନେ ପକାଇଛନ୍ତି। ସାହିତ୍ୟ ଛଡ଼ା ମାଇଁ ଓ୍ଵାର୍ଡ ବୁକ୍‌, ଇଂଗ୍ଲିସ୍‌ ଟେନ୍‌ସ୍‌ ଉଇଥ୍‌ ନିୟୁ ଟେଷ୍ଟ, ଡାଇନାମିକ୍‌ ଏସେଜ୍‌ ଆଣ୍ଡ ଲେଟର୍ସ ପ୍ରଭୃତି ମଧ୍ୟ ବେଶ ଲୋକାଦୃତ ହୋଇଥିବା ସେମାନେ କହିଛନ୍ତି। ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ଭାବରେ ସରକାରୀ କାମ ତୁଲାଉଥିଲେ ମଧ୍ୟ ଲେଖାଲେଖିରେ ସାହିତ୍ୟ ଏକାଡେମି ପୁରସ୍କାର ସହ ଅନ୍ୟାନ୍ୟ ପୁରସ୍କାର ପାଇବା ତାଙ୍କ ଦକ୍ଷତାକୁ ପ୍ରମାଣିତ କରିଛି ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର