‘କଥା’ଉତ୍ସବରେ ଖୋଲିବ ଆମ ଓଡ଼ିଶା ବିକ୍ରୟ କେନ୍ଦ୍ର

ଚର୍ଚ୍ଚିତ ‘ସାହିତ୍ୟକୋଷ’ ଓ ଅନ୍ୟ ଗଳ୍ପ ବହିରେ ମିଳିବ ସ୍ବତନ୍ତ୍ର ରିହାତି

ଭୁବ‌ନେଶ୍ୱର: ଗଳ୍ପ ପତ୍ରିକା ‘କଥା’ର ଦ୍ୱାତ୍ରିଂଶତ୍‍ ବାର୍ଷିକ ଉତ୍ସବ ଅବସରରେ ‘ଆମ ଓଡ଼ିଶା’ ପକ୍ଷରୁ ଏକ ପୁସ୍ତକ ବିକ୍ରୟ କେନ୍ଦ୍ର ଖୋଲାଯିବ। ୯ ତାରିଖ, ଶନିବାର ସାଢ଼େ ୧୦ଟା ବେଳେ ଜୟଦେବ ଭବନରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମ ଅବସରରେ ‘ଆମ ଓଡ଼ିଶା’ ପ୍ରକାଶନୀର ତିନିଟି ନୂଆ ପୁସ୍ତକ ସ୍ୱତନ୍ତ୍ର ରିହାତି ମୂଲ୍ୟରେ ଉପଲବ୍ଧ ହେବ। ଓଡ଼ିଆ ସାହିତ୍ୟର ପ୍ରଥମ ସର୍ବବୃହତ୍‌ ଗ୍ରନ୍ଥ ତଥା ଏନ୍‌ସାଇକ୍ଲୋପିଡିଆ ‘ସାହିତ୍ୟକୋଷ’ ସମେତ ‘ନିର୍ବାଚିତ କଥା’ ଏବଂ ‘ପ୍ରେମକଥା’ର ଦ୍ବିତୀୟ ପର୍ବ ରିହାତି ଦରରେ ଯୋଗାଇ ଦିଆଯିବ। ଏଥିସହ ଅନ୍ୟାନ୍ୟ ପୁସ୍ତକରେ ମଧ୍ୟ ଆକର୍ଷଣୀୟ ରିହାତି ଦିଆଯିବ। ‘ସାହିତ୍ୟକୋଷ’ର ମୂଲ୍ୟ ୧୮୦୦ ଟଙ୍କା ରଖାଯାଇଥିଲେ ହେଁ ସେଠାରେ ଏହା ୧୨୫୦ ଟଙ୍କାରେ ଉପଲବ୍ଧ ହେବ। ଏଥିସହ ‘କଥା’ର ବାର୍ଷିକ ଉତ୍ସବରେ ଉନ୍ମୋଚିତ ହେଉଥିବା ଅନ୍ୟ ଦୁଇଟି ନୂଆ ଗଳ୍ପ ପୁସ୍ତକ ‘ନିର୍ବାଚିତ କଥା’ ଓ ‘ପ୍ରେମ କଥା’ରେ ମଧ୍ୟ ସ୍ୱତନ୍ତ୍ର ରିହାତି ମିଳିବ। ୩୬୦ ପୃଷ୍ଠା ବିଶିଷ୍ଟ ‘ନିର୍ବାଚିତ କଥା’ ହେଉଛି ସମ୍ୱାଦ ବାର୍ଷିକ ବିଶେଷାଙ୍କଗୁଡ଼ିକରେ ପ୍ରକାଶିତ ଗଳ୍ପର ଏକ ସୁନିର୍ବାଚିତ ସଂକଳନ। ସେହିପରି ୨୬୦ ପୃଷ୍ଠା ବିଶିଷ୍ଟ ‘ପ୍ରେମ କଥା’ ହେଉଛି ‘କଥା’ର ପ୍ରେମ ବିଶେଷାଙ୍କଗୁଡ଼ିକରେ ପ୍ରକାଶିତ ଗଳ୍ପର ନିର୍ବାଚିତ ସଂକଳନ। ସେଦିନ ଏହି ଷ୍ଟଲ୍‌ରେ ‘କଥା’ର ସ୍ବନକ୍ଷତ୍ର ସଂଖ୍ୟା ଏବଂ ‘ପୌରୁଷ’ର ଫେବ୍ରୁଆରି ସଂଖ୍ୟା ମଧ୍ୟ ରିହାତି ଦରରେ ମିଳିବ। ସୂଚନାଯୋଗ୍ୟ ଯେ ପୂର୍ବରୁ ‘ନିର୍ବାଚିତ କଥା’ ଓ ‘ପ୍ରେମ କଥା’ର ପ୍ରଥମ ପର୍ବ ପ୍ରକାଶ ପାଇ ପାଠକପାଠିକାଙ୍କ ଦ୍ୱାରା ଆଦୃତ ହେବା ସହିତ ଇତିମଧ୍ୟରେ ତାହାର ଏକାଧିକ ପୁନର୍ମୁଦ୍ରଣ ହୋଇଛି। ଏଣୁ ‘ସାହିତ୍ୟକୋଷ’ ସହିତ ଏହି ଦୁଇ ନୂଆଗଳ୍ପ ସଂକଳନ ରିହାତି ଦରରେ ସଂଗ୍ରହ କରିବାକୁ ‘ଆମ ଓଡ଼ିଶା’ ପକ୍ଷରୁ ଅନୁରୋଧ କରାଯାଉଛି।

ସମ୍ବନ୍ଧିତ ଖବର