କବିତା ଦ୍ୱିବେଦୀଙ୍କୁ ‘ପରିପୂର୍ଣ୍ଣା’ ସମ୍ମାନ

ଭୁବନେଶ୍ୱର : ନାୟିକାଟିଏ ନାୟକର ଅପେକ୍ଷାରେ ରହିଛି। କିନ୍ତୁ ନାୟକ ଆସୁନାହାନ୍ତି। ଦୁଃଖରେ ମ୍ରିୟମାଣ ନାୟିକାର ମନ ଅଭିମାନରେ ଭରି ଯାଇଛି। ଖଣ୍ଡିତା ନାୟିକାର ଏହି ମର୍ମସ୍ପର୍ଶୀ କଥାକୁ ଓଡ଼ିଶୀ ନୃତ୍ୟରେ ପରଶି ଦେଇଥିଲେ ବିଶିଷ୍ଟ ନୃତ୍ୟଶିଳ୍ପୀ କବିତା ଦ୍ୱିବେଦୀ। ଗୁରୁ ଦେବପ୍ରସାଦ ଦାସ ଫାଉଣ୍ଡେସନ୍‌ ପକ୍ଷରୁ ଭଂଜକଳା ମଣ୍ଡପରେ ଆୟୋଜିତ ନୃତ୍ୟ କାର୍ଯ୍ୟକ୍ରମ ‘ପରିପୂର୍ଣ୍ଣା’ରେ ଦେଖିବାକୁ ମିଳିଥିଲା ଏହି ନୃତ୍ୟ। ଏହି ଅବସରରେ କବିତା ଦ୍ୱିବେଦୀଙ୍କୁ ‘ପରିପୂର୍ଣ୍ଣା ସମ୍ମାନ’ ପ୍ରଦାନ କରାଯାଇଥିଲା।

ପରେ ଗାୟତ୍ରୀ ଖୁଣ୍ଟିଆ, କାକଳି ପରମଗୁରୁ ‘ତୋରେ ଶରଣ ଗଲିରେ ମୂରତି… ଗୀତରେ ନୃତ୍ୟ ପରିବେଷଣ କରିଥିବା ବେଳେ ମୂର୍ଚ୍ଛନା ମହାନ୍ତି ଏବଂ ସସ୍ମିତା ମହାନ୍ତି ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ବିଶିଷ୍ଟ କବି ରମାକାନ୍ତ ରଥ, ଦେବେନ୍ଦ୍ର ମିଶ୍ର, ସମାଜସେବୀ ନମ୍ରତା ଚଢ଼ା, ଅର୍ଚନା ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଫାଉଣ୍ଡେସନ୍‌ର ସଭାପତି ସନ୍ତୋଷ ପ୍ରଧାନ, ସମ୍ପାଦିକା ବିପଞ୍ଚି ଦାସ ଉପସ୍ଥିତ ଥିଲେ। ଡ.ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର