ଖଣ୍ଡଗିରି ମେଳା ୧୨ରୁ ଏଥର ବି ୧୦ଦିନିଆ

ଭୁବ‌େନଶ୍ବର: ଆସନ୍ତା ଫେବ୍ରୁଆରି ୧୨ତାରିଖରୁ ଖଣ୍ଡଗିରିରେ ଆରମ୍ଭ ହେବ ପ୍ରସିଦ୍ଧ ମାଘ ସପ୍ତମୀ ମେଳା ବା ଖଣ୍ଡଗିରି ମେଳା। ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଏଥର ବି ମେଳା ଗତବର୍ଷ ଭଳି ୧୦ଦିନ ହେବ। ଅଧିକ ବ୍ୟବସାୟୀ ଯେପରି ସୁଯୋଗ ପାଇବେ, ସେଥିପାଇଁ ଖଣ୍ଡଗିରି ଛକରୁ ଜୟଦେବ ବାଟିକା ଛକ ଯାଏଁ ‌ଷ୍ଟଲ୍ ପଡ଼ିବ। ମେଳା ଭିତରକୁ କୌଣସି ପ୍ରକାରର ଯାନବାହନ ଛଡ଼ାଯିବନି ବୋଲି ନିଷ୍ପତ୍ତି ହୋଇଛି। ଖଣ୍ଡଗିରି ମେଳା ପାଇଁ ଆଜି ବିଏମ୍‌ସି ପକ୍ଷରୁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କମିସନରେଟ୍ ପୁଲିସ ସହ ଆଲୋଚନା କରି ମେଳାକୁ ୧୦ଦିନିଆ କରିବାକୁ ନିଷ୍ପତ୍ତି ହୋଇଛି। ମେଳା ଯେପରି ସୁରୁଖୁରରେ ଆୟୋଜନ ହେବ, କୌଣସି ପ୍ରକାରର ବିଶୃଙ୍ଖଳା ଦେଖାଯିବନି, ସେନେଇ ବିଏମ୍‌ସି ପକ୍ଷରୁ କମିସନରେଟ୍ ପୁଲିସ, ବିଭିନ୍ନ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, ସ୍ଥାନୀୟ କର୍ପୋରେଟର, ସ୍ବାସ୍ଥ୍ୟ ବିଭାଗ, ଜନସ୍ବାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗର ଅଧିକାରୀଙ୍କ ସହ ଆଲୋଚନା ହୋଇଛି। ଚଳିତବର୍ଷ ମେଳାରେ ଯେପରି କୌଣସି ପ୍ରକାରର ଦୁର୍ଘଟଣା ନ ଘଟିବ, ମେଳା ସୁରୁଖୁରରେ ହେବ, ସେଥିପାଇଁ ବିଏମ୍‌ସି ପକ୍ଷରୁ ବ୍ୟାପକ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି। ଖଣ୍ତଗିରି ମେଳା ପାଇଁ ମେୟର ଅନନ୍ତ ନାରାୟଣ ଜେନାଙ୍କ ଅଧୢକ୍ଷତାରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଲକ୍ଷାଧିକ ଲୋକଙ୍କ ଭିଡ଼କୁ ନଜରରେ ରଖି ମେଳାକୁ ସୁରକ୍ଷା ବଳୟରେ ରଖିବାକୁ ନିଷ୍ପତ୍ତି ହୋଇଛି। ଖଣ୍ତଗିରି ମେଳା ଯାତ୍ରା ପାଇଁ ବି ପ୍ରସିଦ୍ଧ ହୋଇଥିବାରୁ ଏଠାରେ ଦୈନିକ ହଜାର ହଜାର ଯାତ୍ରାପ୍ରେମୀଙ୍କର ଭିଡ଼ ଜମିଥାଏ। ତେଣୁ ଏହାକୁ ନଜରରେ ରଖି ଖଣ୍ତଗିରିରେ ବ୍ୟାପକ ପ୍ରସ୍ତୁତି କରିବାକୁ ପ୍ରସ୍ତୁତି ବୈଠକରେ ସ୍ଥିର ହୋଇଛି। ମେଳା ସମେତ ଯାତ୍ରା ପଡ଼ିଆରେ ବି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ। ବ୍ୟାପକ ଆଲୋକୀକରଣ ହେବ। ଚଳିତବର୍ଷ ମେଳା ସମୟରେ ପକେଟମାର‌୍‌, ଲୁଟ୍‌, ଅସଦାଚରଣ, ଗଣ୍ତଗୋଳ ଭଳି ସ୍ଥିତିକୁ ନଜରରେ ରଖିବା ପାଇଁ ଖଣ୍ତଗିରି ଓ ଉଦୟଗିରି ପାହାଡ଼ ପାଦଦେଶରୁ ଆରମ୍ଭ କରି ଜାଗମରା ଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯିବ। ଏହାସହ ୨୪ ଘଣ୍ଟା ସଫେଇ, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟସେବା ମଧ୍ୟ ଉପଲବ୍ଧ ହେବ। ମେୟର ଶ୍ରୀ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରଥମ ପ୍ରସ୍ତୁତି ବୈଠକରେ ଡେପୁଟି ମେୟର କେ.ଶାନ୍ତି, ବିଏମ୍‌ସି ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର, ବିଏମ୍‌ସି ଡେପୁଟି କମିସନର (ରାଜସ୍ବ) ଶ୍ରୀମନ୍ତ ମିଶ୍ର ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଖଣ୍ଡଗିରି ଛକରୁ ଜୟଦେବ ବାଟିକା ଯାଏଁ ଷ୍ଟଲ୍‌ ପଡ଼ିବ
ସିସିଟିଭି ନଜରରେ ରହିବ ମେଳା

ପିଣ୍ଡି ଭଡ଼ା ୧୦% ବଢ଼ିବ: ଆସନ୍ତା ମେଳାରେ କେତେ ପିଣ୍ଡି ଆବଣ୍ଟନ ହେବ, ତାହା ସ୍ଥିର ହୋଇନି। କିନ୍ତୁ ଯେତିକି ପିଣ୍ଡି ହେବ, ତାହା ପୂର୍ବ ବର୍ଷର ମୂଲ୍ୟଠାରୁ ୧୦% ଅଧିକ। ଗତବର୍ଷ ପିଣ୍ଡି ମୂଲ୍ୟ ୫୫୦୦ଟଙ୍କା ଥିବା ବେଳେ ଏଥର ୬୦୫୦ଟଙ୍କା ହେବ ବୋଲି ଜଣାପଡ଼ିଛି। ସେହିପରି ଏଥର ମଧ୍ୟ ୩୫୦ଟି ପିଣ୍ତି ଆବଣ୍ଟନ ହେବାର ସମ୍ଭାବନା ଅଛି। ପିଣ୍ଡି ଆବଣ୍ଟନ ବିଏମ୍‌ସି କାର୍ଯ୍ୟାଳୟରୁ ହେବ। କୌଣସି ଦଲାଲ୍‌ ବା ମଧ୍ୟସ୍ଥିଙ୍କ ମାଧ୍ୟମରେ ପିଣ୍ଡି ଆବଣ୍ଟନ ହେବନି। ବ୍ୟବସାୟୀମାନେ ସୁବିଧାରେ ଯେପରି ପିଣ୍ତି ପାଇବେ, ସେଥିପାଇଁ ଅଧିକ ପ୍ରଚାରପ୍ରସାର କରାଯିବ। ମେଳାକୁ ଆସୁଥିବା ଲୋକ ଓ ବ୍ୟବସାୟୀଙ୍କର ସୁରକ୍ଷାକୁ ନଜରରେ ରଖି ବିଭିନ୍ନ ଷ୍ଟଲ ମଧୢରେ ପ୍ରତି ୧୫ଫୁଟ ବ୍ୟବଧାନରେ ଯାତାୟାତ ପାଇଁ ରାସ୍ତା ରହିବ ବୋଲି ନିଷ୍ପତ୍ତି ହୋଇଛି। ଚଳିତବର୍ଷ କେତେ ପିଣ୍ତି ଆବଣ୍ଟନ ହେବ, ତାହା ଆସନ୍ତା ବୈଠକରେ ନିଷ୍ପତ୍ତି ହେବ। ଏଥିପାଇଁ ବିଏମ୍‌ସିର ଜୋନାଲ ଡେପୁଟି କମିସନରଙ୍କ ନେତୃତ୍ବରେ ଅଗ୍ନିଶମ ବିଭାଗ, କମିସନେରଟ୍‌ ପୁଲିସର ଅଧିକାରୀ ଖୁବ୍ ଶୀଘ୍ର କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବେ। ଏହାବାଦ୍‌ ପାର୍କି˚ସ୍ଥଳୀ, ଯାତ୍ରା ସ୍ଥାନ, ଜବରଦଖଲ ଆଦି ଚିହ୍ନଟ ହେବ। ପ୍ରତିଦିନ ସିଲିଣ୍ତର ଯାଞ୍ଚ୍‌ ହେବ: ମେଳାରେ ଯେପରି ନିମ୍ନମାନର ଗ୍ୟାସ୍‌ ସିଲିଣ୍ତର ବ୍ୟବହାର ନ ହେବ, ସେଥିପାଇଁ ବିଏମ୍‌ସି ପକ୍ଷରୁ ପଦକ୍ଷେପ ନିଆଯାଇଛି। ମେଳାରେ ଷ୍ଟଲ ପକାଉଥିବା ଫାଷ୍ଟଫୁଡ୍‌, ଚାଟ୍‌, ପପ୍‌କର୍ଣ୍ଣ, ମଥୁରା କେକ୍‌ ବିକ୍ରି ହେଉଥିବା ଦୋକାନଗୁଡ଼ିକରେ ନିମ୍ନମାନର ସିଲିଣ୍ତର ଲାଗୁଥିବାରୁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ହେଉଛି। ତେଣୁ ଏହାକୁ ନଜରରେ ରଖି ମେଳାରେ ନିମ୍ନମାନର ସିଲିଣ୍ତରକୁ ବେଆଇନ ଘୋଷଣା କରାଯାଇଛି। ମେଳାରେ ସିଲିଣ୍ତର ଯାଞ୍ଚ ପାଇଁ ବିଏମ୍‌ସି ଓ ଅଗ୍ନିଶମ ବିଭାଗର ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ହେବ। ଏହା ଟିମ୍ ପ୍ରତିଦିନ ବିଭିନ୍ନ ଷ୍ଟଲ୍‌ରେ ଅଚାନକ ଚଢ଼ଉ କରିବ। ଏହାସହ ମେଳାରେ ଦୁଇଟି ସ୍ବତନ୍ତ୍ର ଦମକଳ ଗାଡ଼ି ୨୪ଘଣ୍ଟିଆ ମୁତୟନ ହେବ।

ଡାକ୍ତରୀ ଦଳ ରହିବେ: ମେଳାରେ ଭିଡ଼କୁ ନଜରରେ ରଖି ବିମ୍‌ସି ପକ୍ଷରୁ ସ୍ବତନ୍ତ୍ର ଡାକ୍ତରୀ ଦଳ ମେଳା ପରିସରରେ ନିୟୋଜିତ ହେବେ। ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ପକ୍ଷରୁ ମେଳାରେ ସ୍ବତନ୍ତ୍ର ଶିବିର ଖୋଲାଯିବ। ଯେ କେହି ବି ଆସି ଏଠାରେ ମାଗଣାରେ ସ୍ବାସ୍ଥ୍ୟ ପରୀକ୍ଷା କରିପାରିବେ। ଲୋକଙ୍କୁ ଆଶୁ ଚିକିତ୍ସା ଯୋଗାଇବା ପାଇଁ ବିଭିନ୍ନ ସ୍ଥାନରେ ଆମ୍ବୁଲାନ୍ସ ରହିବ। ମେଳା ପରିସରରେ ଅସ୍ଥାୟୀ ଶୌଚାଳୟ ଏବ˚ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ବି ହେବ। ହୋର୍ଡି˚ ଉପରେ ଲାଗିବ କଟକଣା: ଖଣ୍ତଗିରି ମେଳା ଆସିଲେ ଖଣ୍ତଗିରି ଦେଇ ଯାଇଥିବା ଜାତୀୟ ରାଜପଥ କଡ଼ ବିଭିନ୍ନ ଯାତ୍ରା ପାର୍ଟିଙ୍କ ହୋର୍ଡି˚ରେ ଛାଇଯାଏ। ଏପରିକି ଯାତ୍ରା ପାର୍ଟି ଷ୍ଟ୍ରିଟ ଲାଇଟ୍‌ ଖୁଣ୍ଟରୁ ଆରମ୍ଭ କରି ରାସ୍ତା ପାର୍ଶ୍ବରେ ବାଉଁଶ ପୋତି ଅସ୍ଥାୟୀ ହୋର୍ଡି˚ ଲଗାଇ ଦିଅନ୍ତି। ରାସ୍ତା କଡ଼ରେ ହୋର୍ଡି˚ ଲାଗିବା ଦ୍ବାରା ଦୁର୍ଘଟଣା ବଢ଼ୁଥିବାରୁ ଏବ˚ ଏବେ ସମସ୍ତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡ଼ ହୋର୍ଡି˚ମୁକ୍ତ ଅଞ୍ଚଳ ଘୋଷଣା ହୋଇଥିବାରୁ ଖଣ୍ତଗିରି ମେଳା ସମୟରେ ଏହି ନିୟମ କଡ଼ାକଡ଼ି ପାଳନ ହେବ। ଏହାବାଦ୍‌ ସମସ୍ତ ବେଆଇନ ଜବରଦଖଲ ତୁରନ୍ତ ଉଚ୍ଛେଦ କରାଯିବ। ଏଥିପାଇଁ ବିଏମ୍‌ସିର ଜୋନାଲ ଡେପୁଟି କମିସନରଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର