ଖଣ୍ଡଗିରି ଯାତ୍ରା ମହାକୁମ୍ଭ : ଆଜି ବିଦାୟ ରଜନୀ

ଭୁବନେଶ୍ୱର : ଶେଷ ପାହାଚରେ ଖଣ୍ଡଗିରି ଯାତ୍ରା ମହାକୁମ୍ଭ। ଦ୍ୱିତୀୟ ପର୍ଯ୍ୟାୟ ଲଢ଼େଇରେ ୪ଟି ଯାତ୍ରା ଦଳ ରିପିଟ୍‌ ନାଟକରେ ବିଦାୟ ନେବାକୁ ବସିଥିବା ବେଳେ ୩ଟି ଯାତ୍ରା ଦଳ ନାଟକ ପରିବର୍ତନ କରିଛନ୍ତି। ଆଜି ଏକମାତ୍ର ଯାତ୍ରା ଦଳ ଭାବେ ଜାଗମରା ମେଳଣ ପଡ଼ିଆରେ ନାଟକ ମଞ୍ଚସ୍ଥ କରୁଥିବା ‘ଇଷ୍ଟର୍ଣ୍ଣ ବ୍ଲୁ’ ତା’ର ଆଉ ଏକ ଚର୍ଚିତ ନାଟକ ‘ବାଘ ବାଘୁଣୀ’ ମଞ୍ଚସ୍ଥ କରିଛି। ସଂଜୟ ଭୋଳ ଓ ଉଷସୀଙ୍କ ଦମ୍‌ଦାର ଅଭିନୟ ସାଙ୍ଗକୁ ଅନ୍ୟ କଳାକାରଙ୍କ ଅଭିନୟରେ ଦର୍ଶକ ରୋମାଞ୍ଚିତ ହୋଇଛନ୍ତି। ଆସନ୍ତାକାଲି ଖଣ୍ଡଗିରି ଯାତ୍ରା ମହାକୁମ୍ଭର ବିଦାୟ ରଜନୀରେ ତୁଳସୀ ଗଣନାଟ୍ୟ ନାଟକ ପରିବର୍ତନ କରିବାର ଇସାରା ଦେଇଥିବା ବେଳେ ଅନ୍ୟ ସମସ୍ତ ଦଳ ସେଇ ନାଟକକୁ ନେଇ ଯାତ୍ରା ମହାକୁମ୍ଭରୁ ବିଦାୟ ନେବେ ବୋଲି ସୂଚନା ମିଳିଛି। ଯାତ୍ରା ମହାକୁମ୍ଭ ଶେଷ ସୋପାନରେ ପହଞ୍ଚିଥିବାରୁ ଆଜି ହାଉଜାଉ ଭିଡ଼ ପରିଲକ୍ଷିତ ହୋଇଛି। ପରଦିନ ଛୁଟିବାର ନଥିଲେ ହେଁ ରସିକ ଦର୍ଶକଙ୍କ ପ୍ରବଳ ସମାଗମ ହୋଇଛି।

ପରୀକ୍ଷା ସମୟରେ ୨୨ ଦିନ ଯାତ୍ରା ବନ୍ଦ

ଏଥର ଯାତ୍ରା ଋତୁରେ ଫେବ୍ରୁଆରି ୨୩ରୁ ମାର୍ଚ ୧୬ ପର୍ଯ୍ୟନ୍ତ ଯାତ୍ରା ବନ୍ଦ ରହିବ। ଏହି ସମୟ ମଧ୍ୟରେ ଦଶମ ଓ +୨ ପରୀକ୍ଷା ରହୁଥିବାରୁ ଯାତ୍ରା ବନ୍ଦ ପାଇଁ ନିର୍ଦେଶ ଦେଇଛନ୍ତି ସରକାର। ଦଶମ ଓ +୨ ପରୀକ୍ଷା ଛାତ୍ରଛାତ୍ରୀଙ୍କ ପାଠ୍ୟ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମୟ ହୋଇଥିବାରୁ ପିଲାମାନେ ଯେପରି ଯାତ୍ରା ପରିବେଷଣ ଯୋଗୁଁ କୌଣସି ବି ସମସ୍ୟା ନ ଭୋଗନ୍ତି ସେଇ ଦୃଷ୍ଟିରୁ ଡୁମୁଡୁମା ଅଞ୍ଚଳର ଅକ୍ଷୟ କୁମାର ପଟ୍ଟନାୟକ ଗତବର୍ଷ ନଭେମ୍ବର ୨୪ ତାରିଖରେ ଏନେଇ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହାକୁ ଗୁରୁତ୍ୱର ସହ ବିଚାର କରି ରାଜ୍ୟପାଳ ସେଇ ସମୟ କାଳ ମଧ୍ୟରେ ଯାତ୍ରା ବନ୍ଦ ପାଇଁ ରାଜ୍ୟ ସରକାରଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ। ରାଜ୍ୟ ସରକାର ଏ ବାବଦରେ ନିଷ୍ପତ୍ତି ନେବା ପରେ ପୁଲିସ ମହାନିର୍ଦେଶକ ସମସ୍ତ ଏସ୍‌ପି ଏବଂ ଡିଆଇଜିଙ୍କୁ ଉକ୍ତ ସମୟ ଅବଧି ମଧ୍ୟରେ ଯାତ୍ରା ପାଇଁ ଅନୁମତି ନଦେବାକୁ ଚିଠି କରିଛନ୍ତି। ଏହା ପୂର୍ବରୁ ଭଦ୍ରକର ବୈକୁଣ୍ଠ ପାକଳ ମଧ୍ୟ ଗତବର୍ଷ ଜୁଲାଇ ୧୪ ତାରିଖରେ ଯାତ୍ରା ପରିବେଷଣ ପାଇଁ ଉକ୍ତ ସମୟ ମଧ୍ୟରେ ଅନୁମତି ନଦେବାକୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଥିଲେ। ଏହି ନିର୍ଦେଶକୁ ଯାତ୍ରା ଆୟୋଜକ କମିଟି ଓ ପରିଚାଳକମାନେ ଯେପରି ଧ୍ୟାନ ଦିଅନ୍ତି, ସେ ଦିଗରେ ଯଥେଷ୍ଟ ଗୁରୁତ୍ୱ ଦେବାକୁ ଚିଠିରେ ନିର୍ଦେଶ ଦିଆଯାଇଛି।

ମେଳଣ ପଡ଼ିଆ ମଞ୍ଚରେ ସମ୍ବର୍ଧନା ପର୍ବ

ଖଣ୍ଡଗିରି ସାଂସ୍କୃତିକ ପରିଷଦ ପକ୍ଷରୁ ଜାଗମରା ମେଳଣ ପଡ଼ିଆରେ ଚାଲିଥିବା ଯାତ୍ରା ସମାରୋହରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଧିତ କରାଯାଇଛି। ମଞ୍ଚରେ ଅଭିନେତ୍ରୀ ଉଷସୀ ମିଶ୍ର, ବରିଷ୍ଠ ନାଗରିକ ରାମଚନ୍ଦ୍ର ପ୍ରଧାନ, ସମାଜସେବୀ କାର୍ତିକ ଜେନା, ବିଜୟ ଜେନାଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହ ଖଣ୍ଡଗିରିରେ ଯାତ୍ରା ଆୟୋଜନ ପଛରେ ବିନ୍ଧାଣି ସାଜିଥିବା ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ସୁନ୍ଦରାୟ, ସ୍ୱର୍ଗତ ଅଇଁଠୁ ଜେନା ଏବଂ ସ୍ୱର୍ଗତ ହୃଷୀକେଶ ଗୁରୁଙ୍କୁ ମରଣୋତ୍ତର ସମ୍ମାନରେ ସମ୍ମାନିତ କରାଯାଇଥିଲା। ପ୍ଲାନେଟାରିୟମର ଉପନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ଏବଂ ଜାଗମରା ଗ୍ରାମ କମିଟି ସଭାପତି ସଂଜୀବ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ସମ୍ବର୍ଧିତ କରିଥିଲେ। କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର କୁମାର ସାହୁ, ସମ୍ପାଦକ ମହେନ୍ଦ୍ର କୁମାର ଗୁରୁ, କୋଷାଧ୍ୟକ୍ଷ ତ୍ରିଲୋଚନ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର