ଖଣ୍ଡଗିରି ଯାତ୍ରା : ୪ ବିଦାୟ ନେବେ, ଆସିବେ ଆଉ ୪

ଭୁବନେଶ୍ବର : ଖଣ୍ଡଗିରି ଯାତ୍ରା ମହାକୁମ୍ଭର ପ୍ରଥମ ପର୍ଯ୍ୟାୟ ଲଢ଼େଇ ଶେଷ ହୋଇଛି। ଆସନ୍ତାକାଲିଠୁ ଆରମ୍ଭ ହେବ ଅସଲ ଲଢ଼େଇ। ଦ୍ବିତୀୟ ପର୍ଯ୍ୟାୟ ଲଢ଼େଇ‌ ଦେଖିବାକୁ ବିପୁଳ ସମାଗମ ହେବ। ଆଜି ଯାତ୍ରା ମଇଦାନରୁ ଶେଷ ନାଟକ ମଂଚସ୍ଥ କରି ବିଦାୟ ନେଇଛି ୪ ଯାତ୍ରା ଦଳ। ଆସନ୍ତାକାଲି ସାମିଲ୍‌ ହେବେ ଆଉ ୪ ଯାତ୍ରା ଦଳ।

ମହତାବ ପେଣ୍ଡାଲ୍‌ରେ ସ୍ବର୍ଣ୍ଣମହଲ ‘ମୋ ଗାଁ ଜଗନ୍ନାଥ ତୋ ଗାଁ ଆଲ୍ଲା’ ୫ ଦିନ ଲଗାତାର ପରିବେଷଣ କରି ଆଜି ବିଦାୟ ନେଇଛି। ଆସନ୍ତାକାଲି ଏହି ପେଣ୍ଡାଲ୍‌ରେ ସାମିଲ୍‌ ହେବ ଯାତ୍ରାଶ୍ରୀ ବିଶ୍ବଦରବାର। ପ୍ରଥମ ରାତିରେ ଦରବାର ଭେଟିଦେବ ‘ଭଲ ପାଇବାକୁ ଭୟ ଲାଗୁଛି’। ଦୀପକ ଜେନାଙ୍କ ରଚିତ ଏବଂ ଗୁରୁ ମିଶ୍ରଙ୍କ ନିର୍ଦେଶିତ ଏହି ନାଟକ କାଲି ଦେଖିବାକୁ ମିଳିବ। ଘାଟିକିଆ ପେଣ୍ଡାଲ୍‌ରେ ଧଉଳି ‘କହ ଗୌର ଦାସ କାହାର ଦୋଷ’ ନାଟକକୁ ୫ ରାତି ମଂଚସ୍ଥ କରି ବିଦାୟ ନେଇଥିବା ବେଳେ ଆସନ୍ତାକାଲି ଏହି ମଂଚରେ ଯାତ୍ରା ପରିବେଷଣ କରିବ ତୁଳସୀ ଗଣନାଟ୍ୟ। ଗୋଲକ ମହାରଣା ଏବଂ ସୀତାକାନ୍ତ ମହାନ୍ତିଙ୍କ ନିର୍ଦେଶିତ ନାଟକ ‘ହସୁଛି କେବଳ କାନ୍ଦିବା ପାଇଁ’ ମଂଚସ୍ଥ ହେବ। ଇନ୍ଦିରା ସାଂସ୍କୃତିକ ମଣ୍ଡପ ପଡ଼ିଆରେ ଗୌରୀ ଗଣନାଟ୍ୟ ଆଜି ‘ବ୍ରହ୍ମଅସ୍ତ୍ର’ ନାଟକ ପରିବେଷଣ କରି ବିଦାୟ ନେଇଥିବା ବେଳେ ଆସନ୍ତାକାଲି ଏହି ମଞ୍ଚରେ ନାଟକ ପରିବେଷଣ କରିବ କଳିଙ୍ଗ ଗଣନାଟ୍ୟ। ଲିଲି ଦାସଙ୍କ ରଚିତ ଏବଂ ଆଶୁତୋଷ ମହାପାତ୍ରଙ୍କ ନିର୍ଦେଶିତ ନାଟକ ‘ସ୍ବାମୀ ଆସିଥିଲା ରାତିକ ପାଇଁ’ ନାଟକ ମଂଚସ୍ଥ ହେବ। ଏଥିସହ ଆସନ୍ତାକାଲି କେସିଏ ପଡ଼ିଆରେ ଦ୍ବିତୀୟ ଯାତ୍ରା ଦଳ ଭାବେ ସାମିଲ୍‌ ହେବ ଇନ୍ଦ୍ରମହଲ। ସୁକାନ୍ତ ମଲ୍ଲିକଙ୍କ ରଚିତ ଏବଂ ଯୋଗେନ୍ଦ୍ର ମଲ୍ଲିକଙ୍କ ନିର୍ଦେଶିତ ନାଟକ ‘ଉର୍ବଶୀ ଆସୁଛି ଇନ୍ଦ୍ରମହଲ’ ନାଟକ ଆସନ୍ତାକାଲି ମଂଚସ୍ଥ ହେବ।

ଆସନ୍ତା ୨୦ ତାରିଖରେ ଜାଗମରା ମେଳଣ ପଡ଼ିଆରେ ଯାତ୍ରା ସଚ୍ଚିଦାନନ୍ଦ ‘ମଝିଆ ପୁଅ କାହାରି ନୁହଁ’ ନାଟକ ନେଇ ମଇଦାନକୁ ଓହ୍ଲାଇବ ବୋଲି ଖଣ୍ଡଗିରି ସାଂସ୍କୃତିକ ପରିଷଦର ମହେନ୍ଦ୍ର ଗୁରୁ ସୂଚନା ଦେଇଛନ୍ତି। ଏଥିସହ ଖଣ୍ଡଗିରି ପାର୍କିଂ ପଡ଼ିଆରେ ଶିବାନୀ ଗଣନାଟ୍ୟ ଗତକାଲି ଶେଷ ନାଟକ ମଂଚସ୍ଥ କରି ବିଦାୟ ନେବା ପରେ ଆସିବ କୋଣାର୍କ ଗଣନାଟ୍ୟ।

ଆଜିର ନାଟକ

ମହତାବ ପେଣ୍ଡାଲ୍‌ ପାଇବାକୁ ଭୟ ଲାଗୁଛି, ବିଶ୍ବ ଦରବାର
କଳିଙ୍ଗ ପଡ଼ିଆ ପେଣ୍ଡାଲ୍‌ ସ୍ବାମୀ ଆସିଥିଲା ରାତିକ ପାଇଁ, କଳିଙ୍ଗ ଗଣନାଟ୍ୟ
ଘାଟିକିଆ ପେଣ୍ଡାଲ୍‌ ହସୁଛି କେବଳ କାନ୍ଦିବା ପାଇଁ, ତୁଳସୀ
ଖଣ୍ଡଗିରି ପାର୍କିଂ ପଡ଼ିଆ ରଜନୀ ସଜନୀ ରାତି ପାହିଲା, ଶିବାନୀ
କେସିଏ ପଡ଼ିଆ ଅଧେ ତୋର, ଅଧେ ମୋ’ର, ରଙ୍ଗମହଲ
କେସିଏ ପଡ଼ିଆ(୨) ଉର୍ବଶୀ ଆସୁଛି ଇନ୍ଦ୍ରମହଲ, ଇନ୍ଦ୍ରମହଲ

ସମ୍ବନ୍ଧିତ ଖବର