ଖଣ୍ଡଗିରି ମାଘ ସପ୍ତମୀ ମେଳା ଏଥର ପ୍ରଶାସନର ଚିନ୍ତା ବଢ଼ାଇବ। ଖଣ୍ଡଗିରି ଛକରେ ନିର୍ମାଣାଧୀନ ଓଭରବ୍ରିଜ୍ ଭିଡ଼ ନିୟନ୍ତ୍ରଣରେ ବାଧକ ସାଜିବ। ଫେବ୍ରୁଆରି ୧ରୁ ଖଣ୍ଡଗିରି ମେଳା ଆରମ୍ଭ ହେଉଥିବା ବେଳେ ୧୬ ତାରିଖ ପର୍ଯ୍ୟନ୍ତ ଯାତ୍ରା ମଞ୍ଚସ୍ଥ ହେବ। ଫଳରେ ଏଇ ୧୬ ଦିନ ଟ୍ରାଫିକ୍ ନିୟନ୍ତ୍ରଣ ପୁଲିସ୍ ପାଇଁ ଆହ୍ବାନ ପାଲଟିବ। ଡୁମଡୁମା ଛକରୁ ଖଣ୍ଡଗିରି ହନୁମାନ ମନ୍ଦିର ପର୍ଯ୍ୟନ୍ତ ଜାତୀୟ ରାଜପଥର ମଧ୍ୟଭାଗ ଓଭରବ୍ରିଜ୍ ପାଇଁ ଘେରାଇ ଦିଆଯାଇଥିବାରୁ ସର୍ଭିସ୍ ରୋଡ୍ ହିଁ ଏବେ ଜାତୀୟ ରାଜପଥ ପାଲଟିଛି। ତେଣୁ ଗାଡ଼ି ମୋଟର ଯା’ଆସଠୁ ନେଇ ପାର୍କିଂ କ୍ଷେତ୍ରରେ ସମସ୍ୟା ସାମ୍ନା କରିବାକୁ ପଡ଼ିବ। ତେବେ ପରମ୍ପରା ଓ ଐତିହ୍ୟକୁ ବଜାୟ ରଖି ଯେଭଳି ଶାନ୍ତି ଶୃଙ୍ଖଳାରେ ଏହି ବୃହତ୍ ମେଳାକୁ ଆୟୋଜନ କରାଯିବ, ସେନେଇ ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ମାନସ ମନ୍ଥନ ଆରମ୍ଭ ହୋଇଛି। ଆସନ୍ତାକାଲିଠୁ ଖଣ୍ଡଗିରି ଛକରୁ ଜୟଦେବ ବାଟିକା ଛକ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହେବ। ମେଳା ସ୍ଥଳରେ ଥିବା ଖାଲଖମାର ମରାମତି କରାଯିବ। ଦୋକାନ ପାଇଁ ଜାଗା ଓ ପାର୍କିଂ ଜାଗା ଚିହ୍ନଟ କରାଯିବ। ଟ୍ୟୁବ୍ୱେଲ୍ଗୁଡ଼ିକ ଅଚଳ ହୋଇ ପଡ଼ିଥିବାରୁ ସେଗୁଡ଼ିକର ମରାମତି କରାଯିବ। ଅସ୍ଥାୟୀ ପାଇଖାନା ଓ ଶୌଚାଳୟର ବ୍ୟବସ୍ଥା ହେବ। ପାନୀୟ ଜଳର ସ୍ବତନ୍ତ୍ର ସୁବିଧା କରାଯିବ ବୋଲି ବିଏମ୍ସି ପ୍ରଶାସକ ସଂଗ୍ରାମଜିତ ନାୟକ ସୂଚନା ଦେଇଛନ୍ତି।
ଏଥର ମାତ୍ର ୨ଟି ପାର୍କିଂ ସ୍ଥଳ
ଲକ୍ଷାଧିକ ପର୍ଯ୍ୟଟକ ଓ ଯାତ୍ରା ଦର୍ଶକଙ୍କ ଆଗମନକୁ ଦୃଷ୍ଟିରେ ରଖି ପୂର୍ବବର୍ଷ ବିଏମ୍ସି ପକ୍ଷରୁ ୩ଟି ପାର୍କିଂ ସ୍ଥଳ ପାଇଁ ଅନୁମତି ମିଳିଥିଲା। ମାତ୍ର ଓଭରବ୍ରିଜ୍ ନିର୍ମାଣ ଚାଲିଥିବାରୁ ଜାଗା ଅଭାବରୁ ଏଥର ମାତ୍ର ୨ଟି ସ୍ଥାନରେ ପାର୍କିଂ ସୁବିଧା ମିଳିବ। ସମ୍ଭବତଃ ଜାଗମରା କେସିଏ ପଡ଼ିଆ ଓ କେନ୍ଦ୍ରୀୟ ଭୂତଳ ଜଳ ଆୟୋଗ କାର୍ଯ୍ୟାଳୟ ନିକଟରେ ପାର୍କିଂ ବ୍ୟବସ୍ଥା କରାଯିବାର ସମ୍ଭାବନା ରହିଥିଲେ ହେଁ ସ୍କେଚ୍ ମ୍ୟାପ୍ ପ୍ରସ୍ତୁତି ବେଳେ ସେ ସମ୍ବନ୍ଧରେ ନିଷ୍ପତ୍ତି ନିଆଯିବ ବୋଲି ବିଏମ୍ସିର ଉପଆୟୁକ୍ତ ରବିନାରାୟଣ ଜେଠୀ କହିଛନ୍ତି।
ମୁତୟନ ହେବେ ୫ ପ୍ଲାଟୁନ୍ ପୁଲିସ୍, ବଢ଼ିବ ସିସିଟିଭି
ମେଳା ସ୍ଥଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ କମିସନରେଟ୍ ପୁଲିସ୍ ପକ୍ଷରୁ ୫ ପ୍ଲାଟୁନ୍ ପୁଲିସ୍ ମୁତୟନ ହେବେ। ଓଭରବ୍ରିଜ୍ ଯୋଗୁଁ ଜାତୀୟ ରାଜପଥ ବନ୍ଦ ଥିବାରୁ ଏବେ ସର୍ଭିସ୍ ରୋଡ୍ ହିଁ ଯାତାୟାତର ଏକମାତ୍ର ବିକଳ୍ପ ପାଲଟିଛି। ତେଣୁ ଯେମିତି କୌଣସି ଦୁର୍ଘଟଣା ନ ଘଟିବ, ସେନେଇ ଟ୍ରାଫିକ୍ ପୁଲିସ୍ ବିଳମ୍ବିତ ରାତି ପର୍ଯ୍ୟନ୍ତ ଟ୍ରାଫିକ୍ ପରିଚାଳନା କରିବେ। ପ୍ରତି ଯାତ୍ରାସ୍ଥଳରେ ଉଭୟ ପୁରୁଷ ଓ ମହିଳା ପୁଲିସ୍ ଦାୟିତ୍ବ ତୁଲାଇବେ। ଯେପରି ଚୋରି ଓ ଛିନ୍ତାଇ ନ ବଢ଼େ, ସେଥିପାଇଁ ଜାଗମରାରୁ ଜୟଦେବ ବାଟିକା ଓ କୋଳଥିଆକୁ ଯାଇଥିବା ରାସ୍ତାରେ ପୁଲିସ୍ ମୁତୟନ ହେବେ। ଏଥିସହ ଏହି ରାସ୍ତାମାନଙ୍କରେ ମଧ୍ୟ ଯଥେଷ୍ଟ ଆଲୋକ ବ୍ୟବସ୍ଥା ସହ ସିସିଟିଭି ଲଗାଯିବ ବୋଲି ଖଣ୍ଡଗିରି ଥାନା ଆଇଆଇସି ରଶ୍ମିରଂଜନ ମହାପାତ୍ର କହିଛନ୍ତି।
ନଗ୍ନତାକୁ ପ୍ରଶ୍ରୟ ଦିଆଯିବନି
ଗତବର୍ଷ ରାନୀ ପଣ୍ଡାଙ୍କ ନୃତ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ତେଣୁ ଏଥର ଯେମିତି ନୃତ୍ୟରେ ଯେପରି କୌଣସି ନଗ୍ନତା ଦେଖିବାକୁ ନ ମିଳେ, ସେଥିପାଇଁ ଯାତ୍ରା କମିଟିମାନଙ୍କୁ ସତର୍କ କରାଯାଇଛି। ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପ୍ରଶାସକ ସଂଗ୍ରାମଜିତ ନାୟକ ଖଣ୍ଡଗିରି ଯାତ୍ରା କମିଟିକୁ ନିର୍ଦେଶ ଦେଇଥିବା ବେଳେ ଏଥିରେ ଯାତ୍ରା କମିଟି ସମ୍ମତି ଜଣାଇଛି। ଏଥିସହ ଆସନ୍ତାବର୍ଷଠୁ ମାଘ ସପ୍ତମୀ ମେଳା ଦିନଠୁ ଯାତ୍ରା ଆରମ୍ଭ କରି ଅଳ୍ପ ଦିନର ବ୍ୟବଧାନରେ ସାରିବାକୁ ନିର୍ଦେଶ ଦେଇଥିବାରୁ ଏହାକୁ ପରବର୍ତୀ ବର୍ଷମାନଙ୍କରେ କାର୍ଯ୍ୟକାରୀ କରିବାକୁ କମିଟି ସହଯୋଗ କରିବ ବୋଲି କହିଛି।
କମିବ ଦୋକାନ, ବଢ଼ିବ ଜାଗା ମୂଲ୍ୟ
ଓଭରବ୍ରିଜ୍ର ପ୍ରଭାବ ଏଥର ବ୍ୟବସାୟୀଙ୍କ ଉପରେ ମଧ୍ୟ ପଡ଼ିବ। ପୂର୍ବଥର ୩୬୯ଟି ଦୋକାନ ପାଇଁ ଜାଗା ମିଳିଥିବା ବେଳେ ଏଥର ଏହା ୩୦୦କୁ ଖସି ଆସିପାରେ ବୋଲି ବିଏମ୍ସିର ଅତିରିକ୍ତ କମିସନର ସୁରଥ ଚନ୍ଦ୍ର ମଲ୍ଲିକ କହିଛନ୍ତି। ତେବେ ଜାଗା ମୂଲ୍ୟ କିନ୍ତୁ ବୃଦ୍ଧି ପାଇବ। ଗତବର୍ଷ ୬ ଫୁଟର ଜାଗା ପାଇଁ ଦିନକୁ ୫ଶହ ଟଙ୍କା ହିସାବରେ ବିଏମ୍ସି ନିକଟରେ ୧୨ ଦିନକୁ ୬ ହଜାର ଟଙ୍କା ପଇଠ କରିବାକୁ ପଡ଼ିଥିଲା। ମାତ୍ର ଏଥର ଜାଗା ଦରରେ ୫ ପ୍ରତିଶତ ବୃଦ୍ଧି ପାଇବ। ଏଥର ପୁଣି ମେଳା ଓ ଯାତ୍ରା ମିଶି ୧୬ ଦିନ ହେଉଥିବା ବେଳେ ଦୋକାନ ଜାଗା ପିଛା ୧୬ଦିନ ପାଇଁ ୮ ହଜାର ୪ଶହ ଟଙ୍କା ପଇଠ କରିବାକୁ ପଡ଼ିବ ବୋଲି ବିଏମ୍ସିର ଉପ ଆୟୁକ୍ତ ଶ୍ରୀମନ୍ତ ମିଶ୍ର କହିଛନ୍ତି।
ଅନନ୍ତ କେଶରୀଙ୍କ ଯାତ୍ରା ପାଇଁ ମିଳିବ ୭୦ ହଜାର
ମାଘ ସପ୍ତମୀ କୁମ୍ଭ ମେଳା ଅବସରରେ ଆସନ୍ତା ୧ ତାରିଖରେ ଶ୍ରୀଶ୍ରୀ ଅନନ୍ତ କେଶରୀ ଦେବଙ୍କ ଯାତ୍ରାର ଆୟୋଜନ କରାଯିବ। ଏହି ଅବସରରେ ପ୍ରଭୁ ଖଣ୍ଡଗିରିସ୍ଥିତ ରାଣୀହଂସପୁରରେ ବିଜେ ହୋଇ ରତ୍ନବେଦିରେ ମାଘ ସ୍ନାନ କରିବେ। ଗତବର୍ଷ ଅନନ୍ତକେଶରୀଙ୍କ ଯାତ୍ରା ପାଇଁ ବିଏମ୍ସି ପକ୍ଷରୁ ୭୦ ହଜାର ଟଙ୍କା ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲେ ହେଁ ଦିଆଯାଇ ନ ଥିବାରୁ ଏନେଇ ପୂର୍ବତନ କର୍ପୋରେଟର ରଘୁନାଥ ମହାନ୍ତି କ୍ଷୋଭ ପ୍ରକାଶ କରିଥିଲେ। ଚଳିତ ବର୍ଷ ଏହି ଅର୍ଥ ଦେବା ପାଇଁ ଦାବି କରିବା ପରେ ବିଏମ୍ସି ଏଥର ଅନନ୍ତକେଶରୀଙ୍କ ଯାତ୍ରା ପାଇଁ ୭୦ ହଜାର ଟଙ୍କା ଦେବାକୁ ସମ୍ମତି ଜଣାଇଛି। ।
ଉଚ୍ଚ ନ୍ୟାୟାଳୟ ନିର୍ଦେଶ ମାନୁନି ବିଏମ୍ସି
ଖଣ୍ଡଗିରି ମେଳାରେ ଯାତ୍ରା ଆୟୋଜନ କରୁଥିବା କମିଟିଠାରୁ ବିଏମ୍ସି ରାତି ପିଛା ୬ ହଜାର ଟଙ୍କା ଟିକସ ବାବଦକୁ ଆଦାୟ କରୁଥିଲେ ହେଁ ମୌଳିକ ସୁବିଧା ଦେଉନାହିଁ ବୋଲି ଆଜି ବୈଠକରେ ଖଣ୍ଡଗିରି ଯାତ୍ରା କମିଟି ନିଜର ପ୍ରତିକ୍ରିୟା ରଖିଥିଲା। ବାରମ୍ବାର ଏପରି କରିବାରୁ କମିଟି ପକ୍ଷରୁ ଏନେଇ ଗତବର୍ଷ ଅର୍ବାନ ସେକ୍ରେଟେରିଙ୍କୁ ଲିଖିତ ଭାବେ ଜଣାଯାଇଥିଲା। ଅର୍ବାନ ସେକ୍ରେଟାରି ଏହାର ତଦନ୍ତ କରିବାକୁ ଲେଖିଥିଲେ। ତଥାପି ବିଏମ୍ସି ଏହା ନ ଶୁଣିବାରୁ କମିଟିର ସମ୍ପାଦକ ନୃସିଂହ ପ୍ରସାଦ ସୁନ୍ଦରାୟ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ଦେଢ଼ ସପ୍ତାହ ମଧ୍ୟରେ ଏହାର ତଦନ୍ତ କରି କମିଟିର ସମ୍ପାଦକଙ୍କୁ ଜଣାଇବାକୁ ନିର୍ଦେଶ ଦେଇଥିଲେ। ମାତ୍ର ଗତବର୍ଷ ଜୁଲାଇ ୭ ତାରିଖରୁ ଏନେଇ ନିର୍ଦେଶ ଦିଆଯାଇଥିଲେ ମଧ୍ୟ ଏଯାଏ ଏ ସମ୍ପର୍କରେ ବିଏମ୍ସି ତଦନ୍ତ କଲା ନାହିଁ କି ରିପୋର୍ଟ ଦେଲା ନାହିଁ। ତେଣୁ ଏହାକୁ ନେଇ ଆଜି କମିଟିର ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/khandagiri-2.jpg)