ରାତି ପାହିଲେ ଖଣ୍ଡଗିରି କୁମ୍ଭମେଳା : ଆଧ୍ୟାତ୍ମିକତା ଓ ଆଧୁନିକତାର ମହାମିଳନ

ଖଣ୍ଡଗିରି : ବିଲୁପ୍ତ ହୋଇଯାଇଛି ପୁଣ୍ୟତୋୟା ଯୋଗ ନଦୀ। କିନ୍ତୁ ମୁଣ୍ଡ ଟେକି ରହିଛନ୍ତି କୁମାର ଗିରି ଓ କୁମାରୀ ଗିରି। ଆଜିର ଖଣ୍ଡଗିରି ଓ ଉଦୟଗିରି। ପୂରା ବଦଳି ଯାଇଛି ପରିବେଶ ଓ ପରିସ୍ଥିତି। ସେଦିନର ଯୋଗପୀଠର ମାହାତ୍ମ୍ୟ ଆଜି ନାହିଁ। କିନ୍ତୁ ଆଜି ବି ଏହି ଯୋଗପୀଠରେ ପୁରୁଣା ସ୍ମୃତି ସାଇତି ହୋଇ ରହିଛି। କୁମ୍ଭମେଳା ବଞ୍ଚିଛି। ଏହି ଯୁଗଳ ପାହାଡ଼ ପାଦଦେଶର ପ୍ରସିଦ୍ଧ ଯୋଗ ପୀଠରେ ପ୍ରତିବର୍ଷ ଅନୁଷ୍ଠିତ ହେଉଛି ପବିତ୍ର କୁମ୍ଭମେଳା। ମାଘ ସପ୍ତମୀ ଅବସରରେ ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ ଏହି ପ୍ରସିଦ୍ଧ ମେଳା। ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ଭୁବନେଶ୍ୱର ମହାନଗର ନିିଗମ ଓ କମିସନରେଟ୍‌ ପୁଲିସ ସବୁସ୍ତରରେ ପ୍ରସ୍ତୁତିି ଚୂଡ଼ାନ୍ତ ରୂପରେଖ ନେଇ ସାରିଛି।

ସନ୍ଥ ସେବା ମହାପୁଣ୍ୟ

ଏହି ମେଳାର ଜନ୍ମ ବୃତ୍ତାନ୍ତକୁ ନେଇ କୌଣସି ପ୍ରାମାଣିକ ତଥ୍ୟ କେଉଁଠାରେ ଲିପିବଦ୍ଧ ହୋଇନାହିଁ। କିନ୍ତୁ କିମ୍ବଦନ୍ତୀର କଥା ଗଡ଼ିଆସିଛି କେଉଁ ଆବହମାନ କାଳରୁ। ଅଭିଶାପରୁ ମହାବ୍ୟାଧିଗ୍ରସ୍ତ କୃଷ୍ଣ କୁମାର ଶାମ୍ବ ଏଠାରେ ସୂର୍ଯ୍ୟ ପୂଜା କରି ମହାବ୍ୟାଧିରୁ ମୁକ୍ତି ପାଇଥିଲେ। ଅର୍କ କ୍ଷେତ୍ର କୋଣାର୍କର ମହୋଦଧିରେ ବୁଡ଼ ପକାଇବା ପରେ ଏହି ଯୁଗଳ ପାହାଡ଼ରେ ଅବସ୍ଥାନ କରି ସେ ସୂର୍ଯ୍ୟ ଆରାଧନା କରିଥିଲେ। ସେହି କାଳରୁ ମୁନିଋଷିମାନେ ଏହି ପବିତ୍ର ସ୍ଥାନକୁ ଏକ ତପଭୂମିଭାବେ ଗ୍ରହଣ କରି ଆସିଛନ୍ତି ଓ ମାଘ ସପ୍ତମୀରେ ଏଠାରେ ଅବସ୍ଥାନ କରି ଯୋଗ ବା ତପ ସାଧନ କରି ଆସୁଛନ୍ତି।

ଏହି ପୌରାଣିକ କିମ୍ବଦନ୍ତୀକୁ ପ୍ରମାଣିତ କରିବା ପାଇଁ ଐତିହାସିକ ତଥ୍ୟାବଳୀ ମଧ୍ୟ ଖୋରାକ ଯୋଗାଇଥାଏ। କଳିଙ୍ଗ ସମ୍ରାଟ୍‌ କରକନ୍ଦୁଙ୍କଠାରୁ ଆରମ୍ଭ କରି ମହାମେଘବାହନ ଐର ଖାରବେଳଙ୍କ ପର୍ଯ୍ୟନ୍ତ ସବୁ ରାଜାଙ୍କ ରାଜୁତି ସମୟରେ ତତ୍କାଳୀନ ଜୈନ ମହାମୁନିମାନେ ଏଠାରେ ତପ ସାଧନ କରିବା ଲିପିବଦ୍ଧ ହୋଇଛି। ମହାମୁନି ଆଦିନାଥ(ଶ୍ରୀ ଅଧିଶ୍ୱର ଭଗବାନ)ଙ୍କଠାରୁ ଆରମ୍ଭ କରି ପାର୍ଶ୍ୱନାଥ ଭଗବାନ ଓ ମହାବୀର ଭଗବାନଙ୍କ ପର୍ଯ୍ୟନ୍ତ ସମସ୍ତ ମହାନ ଜୈନ ମୁନିମାନେ ଏହି ଯୋଗ ପୀଠରେ ଯୋଗ ସାଧନା କରିଛନ୍ତି। ଏମିତିକି ବର୍ଷ ବର୍ଷ ଧରି ଏଠାରେ ଅବସ୍ଥାନ କରିଛନ୍ତି।

ତେଣୁ ଐତିହାସିକ ମତବାଦ ଅନୁସାରେ ପ୍ରାୟ ଅଢ଼େଇ ହଜାର ବର୍ଷ ତଳୁ ଏହା ଏକ ତପଭୂମିଭାବେ ପରିଗଣିତ ହୋଇ ଆସୁଛି। ଏହି ତପସ୍ୱୀମାନଙ୍କ ଦର୍ଶନ ଓ ସେବା କଲେ ମହାପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ। କାରଣ ସନ୍ଥ ମହାତ୍ମାମାନଙ୍କ ଭିତରେ ଭଗବାନ ବିରାଜମାନ କରିଥାଆନ୍ତି ବୋଲି ସାଧାରଣରେ ବିଶ୍ୱାସ କରାଯାଏ। ତେଣୁ ଏଠାକୁ ତପସାଧନା ପାଇଁ ଆସୁଥିବା ସାଧୁସନ୍ଥଙ୍କ ଦର୍ଶନ କରିବା ସହ ସେମାନଙ୍କ ସେବା କରିବାକୁ ସ୍ଥାନୀୟ ଲୋକେ ଭିଡ଼ ଜମାନ୍ତି ଓ ଏଥିରୁ ଜନ୍ମ ନିଏ ଖଣ୍ଡଗିରି କୁମ୍ଭ ମେଳା। ଏମିତି ବିଶ୍ୱାସ ଆଜି ବି ରହିଛି। ମେଳାକୁ ସାଧୁସନ୍ଥମାନେ ଆସୁଛନ୍ତି ଓ ଲୋକେ ସେମାନଙ୍କ ଦର୍ଶନ କରିବା ସହ ସେବା ମଧ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର