ଖଣ୍ଡଗିରି ଯାତ୍ରା ମହାକୁମ୍ଭ ଆଉ ୨ ଦିନ : ରାତିରେ ଟାଣୁଛି ଖଣ୍ଡଗିରି ଯାତ୍ରା

ଭୁବନେଶ୍ୱର: ଶନିବାରିଆ ଯାତ୍ରା ମଉଜ ପରେ ଖଣ୍ଡଗିରି ଯାତ୍ରା ପଡ଼ିଆକୁ ସୁଅ ଛୁଟିଛି। ଯାତ୍ରା ଲଢ଼େଇ ଆଉ ମାତ୍ର ୨ ଦିନ ଥିବାରୁ ରସିକ ଦର୍ଶକଙ୍କ ମନ ଏଇଠି ଲାଖି ଯାଇଛି। ଦିନରେ ଯେତେ ଯୋଉଠି ଥିଲେ ବି ରାତିରେ ଖଣ୍ଡଗିରି ଟାଣି ଆଣୁଛି। ଦ୍ୱିତୀୟ ପର୍ଯ୍ୟାୟ ଲଢ଼େଇ ଶେଷ ପର୍ଯ୍ୟାୟରେ ପାଦ ଥାପିଛି। ହେଲେ ୫ଟି ପାର୍ଟି ରିପିଟ୍‌ ନାଟକ ଜାରି ରଖିଥିବା ବେଳେ ୨ଟି ପାର୍ଟି ନିଜର ନାଟକ ବଦଳାଇଛନ୍ତି। ଶନିବାର ସମସ୍ତ ସୋ ହାଉସ୍‌ଫୁଲ୍‌ ହୋଇଥିବା ବେଳେ ଟିକେଟ୍‌ ନପାଇ ଶେଷରେ ଅନେକ ଲୋକଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଛି। ଫଳରେ ଆଜି ସକାଳୁ ଅନେକ ଟିକେଟ୍‌ କାଉଣ୍ଟର ଆଗେ ଭିଡ଼ ଜମେଇଥିବା ପରିଲକ୍ଷିତ ହୋଇଥିଲା। ତୁଳସୀ ଗଣନାଟ୍ୟ ‘ରୁଷନା ମୋ ସୁନା ଭଉଣୀ’ ନେଇ ଗତକାଲି ମଞ୍ଚକୁ ଓହ୍ଲେଇଥିବା ବେଳେ ରଂଜିତ (ନଣ୍ଡା) ଓ ଜୁଲି ପଣ୍ଡାଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଛି। ନାଟକ ବଦଳେଇଥିବା ସ୍ୱର୍ଣ୍ଣମହଲ ନାଟକ ପରିବର୍ତନ କରି ଗତକାଲିଠୁ ‘ନିଜ ଶବ ପାଇଁ ନିଜେ କୋକେଇ’ ନାଟକ ଗତକାଲିଠୁ ମଞ୍ଚସ୍ଥ କରିଛି। ଇଷ୍ଟର୍ଣ୍ଣ ବ୍ଲୁ ‘ନାରୀ ତୁ କୋଉ ଧାତୁରେ ଗଢ଼ା’କୁ ରିପିଟ୍‌ କରିଥିବା ବେଳେ କଳିଙ୍ଗ ଗଣନାଟ୍ୟ ‘ରାଧା ହଜିଗଲା ଅଧାବାଟରେ’, ଇନ୍ଦ୍ରଭୁବନ ‘ସୁନା ହରିଣୀ’, ରଙ୍ଗମହଲ ‘ମିଛୁଆ ରାଧୁଆ ଗପ ସରିଲା’, ଶିବାନୀ ଗଣନାଟ୍ୟ ‘ରୂପ ରାଇଜର ରାଜକୁମାରୀ’ ନାଟକ ପୁଣି ମଞ୍ଚସ୍ଥ କରିଛି। ନାଟକ ରିିପିଟ୍‌ ହୋଇଥିଲେ ସୁଦ୍ଧା ରୋମାଞ୍ଚ କମିନାହିଁ।

ସମ୍ବନ୍ଧିତ ଖବର