ଖଣ୍ଡଗିରି-ଉଦୟଗିରି ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା

ଆଷାଢ଼େ ଫୁଟିଲା ଛତି ଲୋ ମକର...

ଖଣ୍ଡଗିରି: ‘ଆଷାଢ଼େ ଫୁଟିଲା ଛତି ଲୋ ମକର… ଭଳି ପଶ୍ଚିମ ଓଡ଼ିଶାର ନଚ୍‌ନିଆ ନାଚ୍ ଯେତିକି ନଚେଇଲା, ମହାରାଷ୍ଟ୍ରର ପ୍ରସିଦ୍ଧ ଲୋକନୃତ୍ୟ ଲାବ୍‌ନି(ମେଁ କୋହ୍ଲାପୁରୀ ସେ ଆୟା ହୁଁ) ଦର୍ଶକଙ୍କୁ ସେତିକି ଝୁମେଇଲା। ଦର୍ଶକମାନେ ଭରପୂର ମଜା ଉଠାଇଥିଲେ ମଞ୍ଚ ଦୁଲୁକାଇଥିବା ଏହି ଦୁଇ ଲୋକନୃତ୍ୟର ସମ୍ଭାରରୁ। ନୃତ୍ୟ ପରେ ପରେ ଦୁଇ ଓଲିଉଡ୍‌ କଳାକାରଙ୍କ ସୁପରହିଟ୍‌ ସଂଗୀତ କାର୍ଯ୍ୟକ୍ରମ ମଧ୍ୟ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା ଶେଷ ପର୍ଯ୍ୟନ୍ତ। ଖଣ୍ଡଗିରି-ଉଦୟଗିରି ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଆଜି ଖଣ୍ଡଗିରି ବ୍ୟାଖ୍ୟାନ କେନ୍ଦ୍ର ପରିସରରେ ଏମିତି ଧମାକାଦାର ଥିଲା ମାହୋଲ। ବଲାଙ୍ଗୀର ଲୋଇସିଂହାର ସଙ୍ଗୀତ ସାଧନା ଗ୍ରୁପ୍ ଦ୍ବାରା ପରିବେଷଣ ହୋଇଥିବା ରଙ୍ଗବତୀ ସାଙ୍ଗକୁ ବାରମାସୀ ଗୀତ ଓ ନୃତ୍ୟର ତାଳେ ତାଳେ ଦର୍ଶକମାନେ ବି ଗ୍ୟାଲେରିରେ ଝୁମି ଉଠିଥିଲେ। ମଝିରେ କୁନି କଳାକାର ଦେବଦାସ ଓ ରାଧାଙ୍କ ‘ଡୋଲା ଡୋଲରେ…’ ଗୀତରେ ନୃତ୍ୟ ବହୁ ପ୍ରଶଂସିତ ହୋଇଥିଲା। ଏଥିସହିତ ଓଲିଉଡ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ସତ୍ୟଜିତ୍ ପ୍ରଧାନଙ୍କ ଶ୍ରୀମାନ ସୁରଦାସ ଚଳଚ୍ଚିତ୍ରର ଗୀତ(ବ୍ୟାଣ୍ଡ ବାଜିଗଲା) ଓ ଅମ୍ରିତା ଭାରତୀ ପଣ୍ଡାଙ୍କ(ମୁଁ ଚୁଲ୍‌ବୁଲି ପ୍ରଜାପତି) ଭଳି ଲୋକପ୍ରିୟ ଗୀତକୁ ନେଇ ମେଲୋଡି କାର୍ଯ୍ୟକ୍ରମ ଦର୍ଶକମାନଙ୍କ ମନରେ ଖୁସି ଭରି ଦେଇଥିଲା। ସତ୍ୟଜିତ୍ ଦର୍ଶକ ଗ୍ୟାଲେରିରେ ପଶି ଦର୍ଶକମାନଙ୍କୁ ନଚେଇଥିଲେ। ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସହ ବିଏମ୍‌ସିର ମିଳିତ ଉଦ୍ୟମରେ ଚାଲିଥିବା ଏହି ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମ‌‌ନୋରଂଜନ ପାଣିଗ୍ରାହୀ, ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ ଓ ଅଜୟ ରାଉତ ଅତିଥି ଭାବେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର