ଖାରବେଳ ଭବନକୁ ନେଇ ବିବାଦ : କହୁଥିଲେ ୧୨୮ କୋଟି, ଏବେ କହୁଛନ୍ତି ୧୫୯କୋଟି, ପୁଣି ମାଗୁଛନ୍ତି ୬‌କୋଟି

ଭୁବନେଶ୍ବର : ଅଗଷ୍ଟ ୧୫ରେ ଉଦ୍‌ଘାଟନ ହୋଇଥିବା ଖାରବେଳ ଭବନକୁ ନେଇ ଏବେ ନୂଆ ବିବାଦ ମୁଣ୍ଡ ଟେକିଛି। ଏହି ୯ମହଲା ବିଶିଷ୍ଟ କୋଠା ଉଦ୍‌ଘାଟନ ହେବା ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଏଥିପାଇଁ ୧୨୮କୋଟି ‌ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ଏବେ ପୂର୍ତ୍ତ ବିଭାଗ କହିଲାଣି ଏହି କୋଠା ନିର୍ମାଣ ପାଇଁ ୧୫୯କୋଟି ଖର୍ଚ୍ଚ ହୋଇଛି। ଏହାବାଦ୍ ଖାରବେଳ ଭବନରେ ଅତିରିକ୍ତ କାମ ବାବଦକୁ ଆଉ ୬କୋଟି ଖର୍ଚ୍ଚ ହେଲାଣି। ଏହିପରି ଅଧିକ ୩୭କୋଟି ଟଙ୍କା ଦେବାକୁ ପୂର୍ତ୍ତ ବିଭାଗ ରାଜ୍ୟ ସରକାରଙ୍କୁ ଚିଠି ଲେଖିବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି।

ପୂର୍ତ୍ତ ବିଭାଗ ଏଲ୍‌ଆଣ୍ଡଟିକୁ ଟର୍ଙ୍କି ବେସିସ୍‌ରେ ଖାରବେଳ ଭବନ ନିର୍ମାଣ କରିବାକୁ ଦେବା ସମୟରେ ଏହାକୁ ନେଇ ବିବାଦ ଉଠିଥିଲା। ଏହାପୂର୍ବରୁ ରାଜ୍ୟ ସରକାର ସମସ୍ତ ଟର୍ଙ୍କି ବେସିସ୍ ପ୍ରକଳ୍ପ ପାଇଁ ବର୍ଗଫୁଟ ପିଛା ୧୭୦୦ରୁ ୧୮୦୦ଟଙ୍କା ହିସାବରେ ଦେଉଥିବାବେ‌େଳ ଖାରବେଳ ଭବନ ପାଇଁ ବର୍ଗଫୁଟ ପିଛା ପ୍ରାୟ ୨୫୦୦ଟଙ୍କା ହିସାବରେ ଦେଇଥିଲେ। ରାଜ୍ୟ ବାହାରର ସଂସ୍ଥାକୁ କାହିଁକି ମାତ୍ରାଧିକ ଟଙ୍କାରେ ପ୍ରକଳ୍ପ ନିର୍ମାଣ କରିବାକୁ ଦିଆଗଲା ସେନେଇ ବିବାଦ ଉଠିଥିଲା। ହେଲେ ଏହାକୁ ବିଭାଗୀୟ ଅଧିକାରୀମାନେ ଚାପି ଦେଇଥିଲେ। ସେତେବେଳେ କହିଥିଲେ ଯେ, ଏଲ୍‌ଆଣ୍ଡଟି କୋଠା ନିର୍ମାଣ ସହ ସମସ୍ତ ଆନୁଷଙ୍ଗିକ ସାମଗ୍ରୀ ଦେବାକୁ ଥିବାରୁ ଅଧିକ ଟଙ୍କା ଦିଆଯାଇଛି। ଖାରବେଳ ଭବନ ନିର୍ମାଣ ପାଇଁ ୧୨୮କୋଟି ୪୨ଲକ୍ଷ ଟଙ୍କା ଖର୍ଚ୍ଚ ହେଲା ବୋଲି ପୂର୍ତ୍ତ ବିଭାଗ କହିଥିଲା। କିନ୍ତୁ ଉଦ୍‌ଘାଟନ ସରିବା ପରେ ପୂର୍ତ୍ତ ବିଭାଗ ଏହି କୋଠା ପାଇଁ ୧୫୯କୋଟି ୩୧ଲକ୍ଷ ୩୮ହଜାର ୬୩ଟଙ୍କା ଖର୍ଚ୍ଚ ହୋଇଛି ବୋଲି ରିପୋର୍ଟ ଦେଇଛି।

ଅଧିକ ୩୧କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ପୂର୍ତ୍ତ ବିଭାଗ ପକ୍ଷରୁ କୁହାଗଲା ଯେ, ସ୍ଥାନାନ୍ତର ହେବାକୁ ଥିବା ବିଭିନ୍ନ ବିଭାଗର ଫର୍ଣ୍ଣିଚର, ବିଲଡିଂର ଆନୁଷଙ୍ଗିକ ଖର୍ଚ୍ଚ, ଅଫିସ୍‌ ଭିତରର ଇଣ୍ଟେରିୟର ଡିଜାଇନିଂ ପାଇଁ ଖର୍ଚ୍ଚ ବଢ଼ିଲା। ଏଠାରେ ପ୍ରଶ୍ନ ଉଠୁଛି ଯଦି ନିର୍ମାଣକାରୀ ସଂସ୍ଥା ଟର୍ଙ୍କି ବେସିସ୍‌ରେ କାମ କଲା ତେବେ ଆନୁଷଙ୍ଗିକ ସାମଗ୍ରୀ କିଣିବା ପାଇଁ ଅଧିକ ୩୧କୋଟି କିପରି ଖର୍ଚ୍ଚ ହେଲା। ସାଧାରଣ ପ୍ରଶାସନ ବିଭାଗ ବି ଏହାର ତର୍ଜମା ନକରି ଏହି ସଂଶୋଧିତ ଖର୍ଚ୍ଚକୁ ପ୍ରଶାସନିକ ଅନୁମତି ଦେଲା।

କିନ୍ତୁ ଏହାପରେ ପୂର୍ତ୍ତ ବିଭାଗର ଭୁବନେଶ୍ବର ଡିଭିଜନ-୫ ନିର୍ବାହୀ ଯନ୍ତ୍ରୀ ପୁଣି ଅତିରିକ୍ତ ଖର୍ଚ୍ଚ ବାବଦକୁ ୨କୋଟି ୧୪ଲକ୍ଷ ୯ହଜାର ୬୪୪ଟଙ୍କା ମାଗିଲେ। ଏହାପରେ ସାଧାରଣ ପ୍ରଶାସନ ବିଭାଗ ନିଦ ଭାଙ୍ଗିଲା। ଯଦି ଅତିରିକ୍ତ ଖର୍ଚ୍ଚ ବାବଦକୁ ୩୧କୋଟି ଖର୍ଚ୍ଚ ହେଲା ତେବେ ପୁଣି ଏ ୨କୋଟି ୧୪ଲକ୍ଷ ଟଙ୍କା କେଉଁ ବାବଦକୁ ଖର୍ଚ୍ଚ ହେଲା ବୋଲି ସାଧାରଣ ପ୍ରଶାସନ ବିଭାଗ ପ୍ରଶ୍ନ କରିଛି। ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ (କୋଠାବାଡ଼ି)ଙ୍କୁ ଏନେଇ ସ୍ପଷ୍ଟୀକରଣ ମାଗିଛି। ଏବେ ଯେଉଁ ୨କୋଟି ୧୪ଲକ୍ଷ ଖର୍ଚ୍ଚ ହେଲା ତାହା ଅତିରିକ୍ତ ଖର୍ଚ୍ଚ ହୋଇଥିବା ୩୧କୋଟିରେ ଅଛି ନା ନାହିଁ। ଯଦି ନାହିଁ ତେବେ ୩୧କୋଟି କେଉଁଥିପାଇଁ ଖର୍ଚ୍ଚ ହେଲା, ଏହି ୨କୋଟି ୧୪ଲକ୍ଷ କେଉଁଥିପାଇଁ ଖର୍ଚ୍ଚ ହୋଇଛି ତା’ର ରିପୋର୍ଟ ମାଗିଛି।

ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଡିସ୍କସନ୍ ରୁମ୍, ପିଏ/ପିଏସ୍‌ ଏବଂ ପ୍ରତୀକ୍ଷା ଗୃହ, ପ୍ରଥମ ମହଲା ଲାଉଞ୍ଜ୍ ପାଇଁ ଏହି ୨କୋଟି ୧୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହାବାଦ୍ ଫର୍ଣ୍ଣିଚର୍ ଏବଂ ଅପ୍ଟିମାଇଜର୍ (ଷ୍ଟୋରେଜ୍) ପାଇଁ ୩କୋଟି ୮୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଅତିରିକ୍ତ ଖର୍ଚ୍ଚ ବାବଦକୁ ମୋଟ୍‌ ୩୬କୋଟି ୯୯ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ରାଜ୍ୟ ସରକାର ଚଳିତ ବଜେଟ୍‌ରେ ୩କୋଟି ଟଙ୍କା ଦେଇଛନ୍ତି। ତେଣୁ ବାକି ୩୩କୋଟି ୯୯ଲକ୍ଷ ଟଙ୍କା ତୁରନ୍ତ ଦେବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି।

ଏଠାରେ ପ୍ରଶ୍ନ ଉଠୁଛି ଟର୍ଙ୍କି ବେସିସ୍ ପ୍ରକଳ୍ପରେ ଉପରୋକ୍ତ ନିର୍ମାଣ ଥିବାବେଳେ କାହା ସ୍ବାର୍ଥରେ ନିର୍ବାହୀ ଯନ୍ତ୍ରୀ ପ୍ରାୟ ୩୭କୋଟି ଅଧିକ ଖର୍ଚ୍ଚ କଲେ।

ଏପଟେ ରାଜ୍ୟ ସରକାରଙ୍କ ଠାରୁ ଆବଶ୍ୟକ ଅନୁମତି ନନେଇ ଇଞ୍ଜିନିୟରମାନେ ୩୭କୋଟିର ଅଧିକ କାମ କରିଦେଇଥିବାରୁ ଯେଉଁ ସଂସ୍ଥାମାନେ କାମ କରିଥିଲେ ଏବେ ସେମାନେ ବିଲ୍‌ ପୈଠ କରିବାକୁ କହୁଛନ୍ତି। ଅତିରିକ୍ତ ଖର୍ଚ୍ଚ ହୋଇଥିବା ୩୧କୋଟି ଦେବାକୁ ରାଜ୍ୟ ସରକାର ରାଜି ହୋଇଯାଇଛନ୍ତି। କିନ୍ତୁ ବାକି ୬କୋଟିକୁ ନେଇ ଟଣାଓଟରା ଆରମ୍ଭ ହୋଇଗଲାଣି।

ସମ୍ବନ୍ଧିତ ଖବର