ଭୁବନେଶ୍ୱର: ଜଙ୍ଗଲରୁ ଡାଳ କାଟି ସେମାନେ ତିଆରି କରୁଥିଲେ ହକି ଷ୍ଟିକ୍। ପାହାଡ଼ ତଳେ ଫୁଙ୍ଗୁଳା ଦେହରେ ଜମେଇ ଦେଉଥିଲେ ଖେଳର ଆସର। ହକି ଟୁର୍ଣ୍ଣାମେଣ୍ଟ୍ ଜିତିବା ପରେ ଯେବେ ପୁରସ୍କାରରେ ‘ଖାସି’ ମିଳୁଥିଲା ତାଙ୍କ ଖୁସି କହିଲେ ନସରେ। ଦିନରେ ହକି ଟୁର୍ଣ୍ଣାମେଣ୍ଟ ଜିତିବା ପରେ ରାତିରେ ସେଇ ଜିତିଥିବା ଖାସି ମାଂସରେ ଆପ୍ୟାୟିତ ହେଉଥିଲେ। ହେଲେ କେହି କେବେ କଳ୍ପନା ବି କରିନଥିଲା ସୁନ୍ଦରଗଡ଼ରେ ଗାଁ ଗାଁରେ ହେଉଥିବା ସେଇ ଖାସି କପ୍୍୍ରୁ ଅନ୍ତର୍ଜାତୀୟ ହକି ହିରୋମାନଙ୍କ ଆବିର୍ଭାବ ହେବ। ପୁଣି ଏହି ହକି ହିରୋଙ୍କ ପାଇଁ ଓଡ଼ିଶା ବିଶ୍ୱ ଦରବାରରେ ପରିଚିତ ହୋଇ ବିଶ୍ୱ କପ୍ ଆୟୋଜନର ସୌଭାଗ୍ୟ ପାଇବ। ପ୍ରାମାଣିକ ଚିତ୍ର ‘ଦି ଟ୍ରାଇବାଲ୍ ସ୍କୁପ୍’ ପ୍ରଚ୍ଛଦପଟରେ ଲୁଚି ରହିଥିବା ଏହି ରହସ୍ୟକୁ ଉନ୍ମୋଚନ କରିଛି। ହୁଏତ ଅନେକ ଭାବୁଥିବେ, ହକି ବିଶ୍ୱକପ୍ ଆୟୋଜନକୁ ଏହି ଖାସି କପ୍କୁ ଯୋଡ଼ିବାର ପ୍ରାସଙ୍ଗିକତା କ’ଣ? କିନ୍ତୁ ବାସ୍ତବ କଥା ହେଉଛି, ହକି ବିଶ୍ୱକପ୍ରେ ସୁନ୍ଦରଗଡ଼ର ହକି ତାରକା, ଦିଲ୍ଲୀପ ତିର୍କୀ, ପ୍ରବୋଧ ତିର୍କୀ, ଲାଜରୁସ ବାର୍ଲା, ଓ୍ଵିଲିୟମ ଖାଲ୍କୋ, ଦୀପସାନ ତିର୍କୀଙ୍କ ସମେତ ଏମିତି ଅନେକ ଜାତୀୟସ୍ତରର ଖେଳାଳି ଦିନେ ଖାସି କପ୍ ଜିତି ଭାରତ ପାଇଁ ଖେଳିବାକୁ ସୁଯୋଗ ପାଇଥିଲେ। ଫଳରେ ହକି ତାରକାଙ୍କ ଯୋଗୁଁ ଭୁବନେଶ୍ୱରରେ ହକି ଷ୍ଟାଡିୟମ ନିର୍ମାଣ ପାଇଁ ସରକାର ଚିନ୍ତା କରିପାରିଥିଲେ। ସେ ଯାହା ବି ହେଉ ହକି ବିଶ୍ୱକପ୍ ଆୟୋଜନ ପଛରେ ଯେ ଖାସି କପ୍ର ସଂଯୋଗ ଅଛି, ଏହାକୁ ଅସ୍ୱୀକାର କରିହେବ ନାହିଁ ବୋଲି କହିଛନ୍ତି ହକି ଅଲିମ୍ପିଆନ୍ ଲାଜରୁସ୍ ବାର୍ଲା।
Sambad is now on WhatsApp
Join and get latest news updates delivered to you via WhatsApp
ଖାଲି ଖାସି କପ୍ ନୁହେଁ, କୁକୁଡ଼ା ଟୁର୍ଣ୍ଣାମେଣ୍ଟ୍ ବି ଆୟୋଜନ ହେଉଥିଲା। ମାତ୍ର ଅନେକ ହୁଏତ ଶୁଣି ଆଶ୍ଚର୍ଯ୍ୟ ହେବେ, ଦିନେ ହକି ନଡ଼ିଆ କପ୍ ବି ଖେଳା ଯାଉଥିଲା। ଟୁର୍ଣ୍ଣାମେଣ୍ଟ୍ରେ ୩ଟି ନଡ଼ିଆ ରହୁଥିଲା। ଯିଏ ଜିତୁଥିଲା ସେ ୨ଟି ନଡ଼ିଆ ପାଉଥିଲା। ହାରିବା ଟିମ୍ ଗୋଟିଏ ନଡ଼ିଆ ସନ୍ତୁଷ୍ଟ ରହୁଥିଲା ବୋଲି କହିଛନ୍ତି ଭାରତର ପୂର୍ବତନ ହକି କ୍ୟାପ୍ଟେନ୍ ପ୍ରବୋଧ ତିର୍କୀ। ନଁପରା, ସୋନମରା, ସୁଣ୍ଡ୍ରୁ, ନାମ୍ନୀରେ ସେ ମଧ୍ୟ ନିଜେ ୧୫ଟି ଖାସି ଟୁର୍ଣ୍ଣାମେଣ୍ଟ୍ ଜିତି ପାରିଥିଲେ ବୋଲି କହିଛନ୍ତି। ତାଙ୍କ କହିବା ମୁତାବକ, ସେତେବେଳେ ଆଦିବାସୀ ପରିବାରରେ ୪-୫ଟି ସନ୍ତାନସନ୍ତତି ଥିଲେ। ତେଣୁ ପ୍ରତ୍ୟେକଙ୍କୁ ପାଠ ପଢ଼ାଇବା ସମ୍ଭବ ହେଉନଥିଲା। ତେଣୁ ଆମ ପାଇଁ ହକି ଏକ ଲାଇଫ୍ ଲାଇନ୍ ପାଲଟି ଯାଇଥିଲା। ଏବେ ମଧ୍ୟ ହକି ଅନେକଙ୍କ ପାଇଁ ଲାଇଫ୍ ଲାଇନ୍ର ପ୍ରମୁଖ ବିକଳ୍ପ ବୋଲି ସେ କହିଛନ୍ତି। ସୁନ୍ଦରଗଡ଼ର ଆଦିବାସୀମାନେ ଆଜି ଯେତେ ବି ସରକାରୀ ଚାକିରିରେ ଭର୍ତି ହୋଇଛନ୍ତି ସେମାନଙ୍କ ମଧ୍ୟରେ ୮୦ ଭାଗ ହକି ଖେଳାଳି। ସୋନ୍ମରା ହେଉ ଅବା ଆଖପାଖ ଗାଁରେ ଦୀପସାନ ତିର୍କୀ ଖାସି ଟୁର୍ଣ୍ଣାମେଣ୍ଟ୍ ଜିତିବା ପରେ କ୍ରୀଡ଼ା ହଷ୍ଟେଲ୍ରେ ତାଲିମ୍ ନେଇ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖେଳିବାର ସୌଭାଗ୍ୟ ଅର୍ଜନ କରିପାରିଥିବା ସ୍ୱୀକାର କରିଛନ୍ତି। ହକି ଗାଙ୍ଗପୁର ଓଡ଼ିଶା ପକ୍ଷରୁ ଜୟଦେବ ଭବନରେ ପ୍ରଦର୍ଶିତ କୋଡ୍ ରେଡ୍ ଫିଲ୍ମସ୍ର ଏହି ଚଳଚ୍ଚିତ୍ରରେ ବହୁ ଅକୁହା ରୋଚକ କଥା ଉନ୍ମୋଚିତ ହୋଇଛି। ନଭେମ୍ବରରେ ହକି ବିଶ୍ୱକପ୍ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବିଶ୍ୱରଂଜନ ପ୍ରଧାନଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ହକି ତାରକାଙ୍କ ସମ୍ପର୍କରେ ବହୁ ଅନାଲୋଚ୍ୟ କଥାକୁ ଉନ୍ମୋଚିତ କରିଛି। ଏହି ଅବସରରେ ହକି ଗାଙ୍ଗପୁର ଓଡ଼ିଶାର ଦେବାଶିଷ ଗୌଡ଼ଙ୍କ ସମେତ ବହୁ ହକି ତାରକା ଉପସ୍ଥିତ ଥିଲେ।