ଜେଲ୍‌ ଗଲା ଜ୍ୟୋତିଷ

ଭୁବନେଶ୍ବର : ଧରମ ମା’କୁ ଅପହରଣ କରିବା ତଥା ୧୯ ଲକ୍ଷ ୫୦ ହଜାର ଟଙ୍କା ଠକିନେବା ଅଭି‌ଯୋଗରେ ଗିରଫ ଅଭିଯୁକ୍ତ କଟକ ନରସିଂହପୁର ଡମକଟା ଅଞ୍ଚଳର ବିଶ୍ବ ମହାନ୍ତି ଜେଲ୍‌ ଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି। ତା’ଠାରୁ ଗତକାଲି କାର ଜବତ କରାଯାଇଥିବା ବେଳେ ଧରମ ମା’କୁ ଅପହରଣ କରିଥିବା ନେଇ ଯେଉଁ ଅଭିଯୋଗ ଥିଲା ତାହା ମିଥ୍ୟା ବୋଲି ପୁଲିସ ଜାଣିବାକୁ ପାଇଛି। ଅଭିଯୁକ୍ତର ଧରମ ମା’ ତଥା ଅଭିଯୋଗକାରୀଙ୍କ ପତ୍ନୀ ଘରେ ଥିବା ପୁଲିସ ଜାଣିବାକୁ ପାଇଛି।

ଘଟଣାରୁ ପ୍ରକାଶ ଯେ, ଅଭିଯୋଗକାରୀ ହେଉଛନ୍ତି ସହିଦନଗର ପ୍ଲଟ ନମ୍ବର ୧୦୯(ପି)ର ବାସିନ୍ଦା ଗିରିଧାରୀ ଲାଲ ଅଗ୍ରୱାଲ। ସେ ସାଂସାରିକ ହୋଇଥିଲେ ମଧ୍ୟ କିଛି ଦିନ ହେବ ସନ୍ନ୍ୟାସୀ ଭାବରେ ଚଳୁଥିଲେ। ନରସିଂହପୁରର ବିଶ୍ବ ଟଙ୍କପାଣି ରୋଡ୍‌ର ବୃନ୍ଦାବନ କଳସରେ ରହି ବେଶ୍‌ କିଛି ଦିନ ହେବ ଅଭିଯୁକ୍ତ ବିଶ୍ବ ମହାନ୍ତି ତାଙ୍କ ସହ ସମ୍ପର୍କ ଯୋଡ଼ିଥିଲା। ସେ ତାଙ୍କ ପରିବାରର ଘନିଷ୍ଠ ହୋଇଯାଇଥିଲା। ସନ୍ନ୍ୟାସୀ ମଧ୍ୟ ତାଙ୍କୁ ଧରମ ପୁଅ କରିଥିଲେ। ସନ୍ନ୍ୟାସୀଙ୍କ ପାଖରେ ମୋଟା ଅଙ୍କର ଟଙ୍କା ଥିବା ଦେଖି ବିଶ୍ବ ଏହାକୁ ଲୁଟିବାର ଯୋଜନା କରିଥିଲା। ଏଣୁ ସେ ସନ୍ନ୍ୟାସୀଙ୍କୁ ଟଙ୍କା ରଖି ଲାଭ ନାହିଁ, ତାକୁ ସୁଧ ଲଗେଇଲେ ମୋଟା ଅଙ୍କର ଅର୍ଥ ଆସିବ ବୋଲି ପ୍ରସ୍ତାବ ଦେଇଥିଲା। ପ୍ରସ୍ତାବରେ ରାଜି ହେବା ପରେ ସେ ୧୯ ଲକ୍ଷ ୫୦ ହଜାର ଟଙ୍କା ଓ ଗାଡ଼ି ନେଇ ଫେରାର ହୋଇଯାଇଥିଲା। ଏନେଇ ସନ୍ନ୍ୟାସୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଚଢ଼ଉ କରି ବିଶ୍ବକୁ ଗିରଫ କରିବା ସହ କାର୍‌କୁ ଜବତ କରିଥିଲା।

ସମ୍ବନ୍ଧିତ ଖବର