ବିଫଳ ପ୍ରେମରୁ ଅପହରଣ ନାଟକ : ଅପହୃତ ନାବାଳକ ଉଦ୍ଧାର

ପୁରୁଣା ଭୁବନେଶ୍ୱର : ଗୁରୁବାର ସକାଳେ ଟଙ୍କପାଣି ରୋଡ୍‌ରୁ ଅପହରଣ ହୋଇଥିବା ଜଣେ ନାବାଳକକୁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଅପରାହ୍ଣରେ ଖୋର୍ଦ୍ଧା ଜଙ୍କିଆରୁ ଉଦ୍ଧାର କରିବାରେ ସଫଳ ହୋଇଛି। ନାବାଳକର ମୋବାଇଲ୍‌ ଫୋନ୍‌ ଟ୍ରାକିଂ କରି ପୁଲିସ ତାକୁ ଉଦ୍ଧାର କରିଛି। କିନ୍ତୁ ଏହା ଏକ ନାଟକ ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିବା ପରେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରେମରେ ବିଫଳ ହୋଇଥିବା ନାବାଳକ ଜଣଙ୍କ ପ୍ରତିଦ୍ବନ୍ଦ୍ବୀ ପ୍ରେମିକକୁ ବଦ୍‌ନାମ କରି ପ୍ରେମିକାର ସହାନୁଭୂତି ସାଉଁଟିବା ଆଶାରେ ଏଭଳି କାଣ୍ଡ କରିଥିବା ଜଣାପଡ଼ିଛି।

ସୂଚନାନୁସାରେ ଆଜି ସକାଳ ପ୍ରାୟ ୧୦ଟାବେଳେ ନାବାଳକ ଜଣଙ୍କ ତାଙ୍କ ଘର ପାଖ ଜଣେ ମହିଳାଙ୍କୁ ଫୋନ୍‌ କରିଥିଲା। ଟଙ୍କପାଣି ରୋଡ୍‌ରେ ମର୍ଣିଂ ୱାକ୍‌ରେ ଯାଉଥିବା ବେଳେ କେତେକ ଦୁର୍ବୃତ୍ତ ତାଙ୍କୁ ଅପହରଣ କରି ନେଇଛନ୍ତି ବୋଲି କହିଥିଲା। ବାପାଙ୍କ ଫୋନ୍‌ ଲାଗୁନଥିବାରୁ ସେ ତାଙ୍କ ଘରେ ଜଣାଇଦେବାକୁ ମହିଳାଙ୍କୁ କହିଥିଲା। ତେଣୁ ମହିଳା ଜଣଙ୍କ ନାବାଳକର ବାପାଙ୍କୁ ଏ ସମ୍ପର୍କରେ ତୁରନ୍ତ ଜଣାଇଥିଲେ। ପୁଅର ଅପହରଣ ଖବର ପାଇ ବାପା ବିବ୍ରତ ହୋଇପଡ଼ିଥିଲେ ଓ ତୁରନ୍ତ ଶ୍ରୀଲିଙ୍ଗରାଜ ଥାନାର ଦ୍ବାରସ୍ଥ ହୋଇଥିଲେ। ଅଭିଯୋଗ ପାଇ ପୁଲିସ ତୁରନ୍ତ ନାବାଳକର ମୋବାଇଲ୍‌ ଫୋନ୍‌ ନମ୍ବରକୁ ଟ୍ରାକିଂ କରିଥିଲା। ନାବାଳକ ଜଣଙ୍କ ଖୋର୍ଦ୍ଧା ଜଙ୍କିଆରେ ଥିବା ଟ୍ରାକିଂରୁ ଜଣାପଡ଼ିବା ପରେ ପୁଲିସ ତାଙ୍କ ବାପାଙ୍କୁ ନେଇ ଜଙ୍କିଆ ଯାଇଥିଲେ ଓ ସେଠାରୁ ତାକୁ ଉଦ୍ଧାର କରାଯାଇଥିଲା।

ପ୍ରଥମରୁ ଏହି ଅପହରଣ ଏକ ନାଟକ ବୋଲି ସନ୍ଦେହ କରାଯାଇଥିଲା। ଅପହର୍ତ୍ତାମାନେ ନାବାଳକର ପରିବାରକୁ ସିଧାସଳଖ ଯୋଗାଯୋଗ କରି କିଛି ଡିମାଣ୍ଡ ରଖିବା କଥା। ମାତ୍ର ଏ କ୍ଷେତ୍ରରେ ନାବାଳକ ପାଖ ଘର ମହିଳାଙ୍କୁ କାହିଁକି ଫୋନ୍‌ କରିଥିଲା ବୋଲି ପୁଲିସ ସନ୍ଦେହ କରିଥିଲା। ତେଣୁ ତାକୁ ଉଦ୍ଧାର କରାଯିବା ପରେ ପୁଲିସ ଥାନାରେ ପଚରାଉଚରା କରିଥିଲା। ପୁଲିସ ଚାପରେ ନାବାଳକ ହଡ଼ବଡ଼େଇ ଯାଇ ସତ କହି ପକାଇଥିଲା। ସେ ଭଲ ପାଉଥିବା ଝିଅଟି ଅନ୍ୟ ଜଣଙ୍କ ପ୍ରେମରେ ପଡ଼ି ଯାଇଥିବାରୁ ସେ ଏଭଳି ନାଟକ ରଚିଥିବା ମାନି ଯାଇଥିଲା। ପ୍ରତିପକ୍ଷ ପ୍ରେମିକକୁ ବଦନାମ୍‌ କରିବା ସହ ପ୍ରେମିକାର ସହାନୁଭୂତି ମିଳିବା ଆଶାରେ ସେ ନିଜେ ଜଙ୍କିଆ ପଳାଇ ଯାଇ ଅପହରଣ ହୋଇଥିବା ମିଛ କହିଥିଲା। ଶେଷ ଖବର ଅନୁସାରେ ନାବାଳକର ବାପା ପୁଲିସକୁ ଅନୁରୋଧ କରିବା ପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।

ସମ୍ବନ୍ଧିତ ଖବର