ଅପହର୍ତ୍ତା ଗିରଫ, ଯୁବତୀ ଉଦ୍ଧାର

ବସ୍‌ ଧକ୍କାରେ ବୃଦ୍ଧ ମୃତ, ଚାଳକ ଗିରଫ, ତୃପ୍ତି ହୋଟେଲ ମାଲିକଙ୍କୁ ଆକ୍ରମଣ ଘଟଣା, ସୁଧାର ଗୃହକୁ ଗଲା ନାବାଳକ

ଭୁବନେଶ୍ବର : ଯୁବତୀଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ଶିବୁ ଚରଣ ପରିଡ଼ା(୨୧)କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହାସହ ପୁଲିସ ଅପହୃତ ଯୁବତୀଙ୍କୁ ଉଦ୍ଧାର କରି ତାଙ୍କ ପରିବାର ଲୋକଙ୍କ ଜିମା ଦେଇଛି।

ପୁଲିସ ସୂଚନା ମୁତାବକ, ଦୀର୍ଘ ଦିନ ହେବ ଶିବୁ ଘର ପାଖ ଜଣେ ଯୁବତୀଙ୍କୁ ଏକତରଫା ଭଲ ପାଉଥିଲା। ତାଙ୍କୁ ବିଭିନ୍ନ ସମୟରେ ପିଛା କରିବା ସହ ହଇରାଣ ହରକତ କରୁଥିଲା। ବାଟରେ ଅଟକାଇ ପ୍ରେମ ନିବେଦନ କରୁଥିଲା। ହେଲେ ଯୁବତୀଜଣଙ୍କ ଶିବୁ କଥାରେ ରାଜି ହେଉନଥିଲେ। ପରେ ଯୁବତୀଜଣଙ୍କ ଭୁବନେଶ୍ୱର ଚାଲି ଆସି ୟୁନିଟ୍‌-୩ ଅଞ୍ଚଳରେ ରହିଲେ। ଏକଥା କୌଣସି ସୂତ୍ରରୁ ଜାଣିବା ପରେ ତାଙ୍କୁ ଅପହରଣ କରିବା ପାଇଁ ଯୋଜନା କରିଥିଲା। ଗତ ଜୁଲାଇ ୧୫ ତାରିଖରେ ଯୁବତୀଜଣକ ‌କୌଣସି କାମରେ ବାହାରକୁ ଯାଇଥିବା ବେଳେ ଶିବୁ ତାଙ୍କୁ ଅପହରଣ କରି ବେଙ୍ଗାଲୁରୁ ନେଇଯାଇଥିଲା। ଅପରପକ୍ଷେ ଯୁବତୀଙ୍କ ଖୋଜଖବର ନ ପାଇ ପରିବାରଲୋକେ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ତେବେ ଗତ ରବିବାର ଶିବୁ ଭୁବନେଶ୍ବର ଆସିଥିବା ଖବର ପାଇ ପୁଲିସ ତାକୁ ଗିରଫ କରିଥିଲା। ଏହାସହ ତା’ ପାଖରୁ ଅପହୃତ ଯୁବତୀଙ୍କୁ ଉଦ୍ଧାର କରିଥିଲା।

ବସ୍‌ ଧକ୍କାରେ ବୃଦ୍ଧ ମୃତ, ଚାଳକ ଗିରଫ
ଭୁବନେଶ୍ବର : ଶ୍ରୀୟା ଛକ ନିକଟରେ ଏକ ଘରୋଇ ବିଶ୍ବବିଦ୍ୟାଳୟ ବସ୍‌ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ, ସତ୍ୟନଗର ଅଞ୍ଚଳର ଭି. ଦଣ୍ଡପାଣି ରାଜୁ(୭୮)। ପୁଲିସ ସୂଚନା ମୁତାବକ, ସୋମବାର ସକାଳ ପ୍ରାୟ ସାଢ଼େ ୮ଟାରେ ବୃଦ୍ଧଜଣଙ୍କ ଶ୍ରୀୟା ଛକ ଟ୍ରାଫିକ୍‌ ପାର୍‌ ହେଉଥିବା ବେଳେ ଏହି ଅଘଟଣ ଘଟିଥିଲା। ରାମ ମନ୍ଦିର ପଟୁ ଆସୁଥିବା ବସ୍‌ଟି ୟୁ-ଟର୍ଣ୍ଣ ନେବା ସମୟରେ ଭାରସାମ୍ୟ ହରାଇ ବୃଦ୍ଧଙ୍କୁ ଧକ୍କା ଦେଇଥିଲା। ଏଥିରେ ବୃଦ୍ଧଜଣଙ୍କ ଛିଟିକି ଯାଇ କିଛି ଦୂରରେ ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ଖାରବେଳନଗର ଥାନା ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇବା ସହ ବସ୍‌କୁ ଜବତ କରିଥିଲା। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତେବ‌େ ସନ୍ଧ୍ୟାରେ ଚାଳକକୁ ଗିରଫ କରାଯାଇଛି ଓ ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ପକ୍ଷରୁ କୁହାଯାଇଛି।

ତୃପ୍ତି ହୋଟେଲ ମାଲିକଙ୍କୁ ଆକ୍ରମଣ ଘଟଣା, ସୁଧାର ଗୃହକୁ ଗଲା ନାବାଳକ
ଭୁବନେଶ୍ବର : ତୃପ୍ତି ରେସ୍ତୋରାଁ ମାଲିକଙ୍କୁ ଆକ୍ରମଣ ଘଟଣାରେ ପୁଲିସ ଆଜି ଜଣେ ନାବାଳକକୁ ଗିରଫ କରି ବାଳସୁଧାର ଗୃହକୁ ପଠାଇଛି। ମଞ୍ଚେଶ୍ବର ଥାନା ପୁଲିସ ଆଜି ଭୋର୍‌ରେ ତାକୁ ଗିରଫ କରିଥିଲା। ସୂଚନା ଅନୁଯାୟୀ, ଗତ ଜୁଲାଇ ୩୦ ତାରିଖ ରାତିରେ ରେସ୍ତୋରାଁର ମାଲିକ ବୁଲୁ ସାମନ୍ତରାୟ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ କେତେକ ଦୁର୍ବୃତ୍ତ ତାଙ୍କୁ ପିଛା କରି ଖଣ୍ଡା ଓ ଭୁଜାଲିରେ ହାଣି ପକାଇଥିଲେ। ଏହାସହ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ପାଖରୁ ଟଙ୍କା ଲୁଟି ନେଇଥିଲେ। ଏହାର ଠିକ୍‌ ପରଦିନ ଶତାଧିକ ସ୍ଥାନୀୟ ବାସିନ୍ଦା ରସୁଲଗଡ଼ଠାରେ ରାସ୍ତାରୋକ କରିଥିଲେ। ଏହି ମାମଲାରେ ସଂପୃକ୍ତ ନାବାଳକର ସଂପୃକ୍ତି ଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର