କିମ୍‌ସରେ ରାଜ୍ୟର ପ୍ରଥମ ଏକ୍‌ମୋ ଓ ଇପି ଲ୍ୟାବ୍‌ ବ୍ୟବସ୍ଥା

ହୃଦ୍‌ରୋଗୀଙ୍କ ନିମନ୍ତେ ଖୁସି ଖବର

ଚନ୍ଦ୍ରଶେଖରପୁର: କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ (କିମ୍‌ସ)ରେ ଏକ୍‌ମୋ ଓ ଇପି ଲ୍ୟାବ୍‌ ବ୍ୟବସ୍ଥା ଉପଲବ୍‌ଧ ହୋଇଛି। ଚଳିତମାସଠାରୁ ରାଜ୍ୟର ହୃଦ୍‌ରୋଗୀମାନେ ଏହାର ସୁବିଧା ପାଇପାରୁଛନ୍ତି। ଓଡ଼ିଶାରେ ପ୍ରଥମ ଥର ଲାଗି ଏକ୍‌ମୋ ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ସମଗ୍ର ପୂର୍ବାଞ୍ଚଳରେ ଇପି ଲ୍ୟାବ୍‌ ବ୍ୟବସ୍ଥା ଉପଲବ୍‌ଧ କରାଇବାରେ କିମ୍‌ସ ପ୍ରଥମ ମେଡିକାଲ କଲେଜ ହୋଇଥିବା କୁହାଯାଉଛି। ଏକ୍‌ସଟ୍ରା ମେମ୍ବ୍ରାନ୍‌ ଅକ୍‌ସିଜେନ୍‌ ମେସିନ୍‌ ବା ଏକ୍‌ମୋ ହେଉଛି ଜଟିଳ ଅବସ୍ଥାରେ ଥିବା ହୃଦ୍‌ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଏକ ଅତ୍ୟାଧୁନିକ ବ୍ୟବସ୍ଥା। ଏହାକୁ ଏକ୍‌ସଟ୍ରାକର୍ପୋରିଏଲ୍‌ ଲାଇଫ୍‌ ସପୋର୍ଟ ସିଷ୍ଟମ ବୋଲି ମଧ୍ୟ କୁହାଯାଇଥାଏ। ଯେଉଁ ରୋଗୀଙ୍କଠାରେ ରକ୍ତ ସଞ୍ଚାଳନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇ ଫୁସ୍‌ଫୁସ୍‌କୁ ଅମ୍ଳଜାନ ଓ ହୃଦ୍‌ପିଣ୍ଡକୁ ଠିକ୍‌ ଭାବେ ରକ୍ତ ସଞ୍ଚାଳନ ହୋଇପାରୁ ନଥିବ, ଏହି ପଦ୍ଧତିରେ ରୋଗୀକୁ ତୁରନ୍ତ ମୃତ୍ୟୁମୁଖରୁ ଫେରାଇ ଆଣିହେବ। ହୃଦ୍‌-ଅସ୍ତ୍ରୋପଚାର ପରବର୍ତ୍ତୀ ଅବସ୍ଥା, ହୃଦ୍‌ ପ୍ରତିରୋପଣ ଏବଂ ଏହାର ପରବର୍ତ୍ତୀ ଅବସ୍ଥା, ଫୁସ୍‌ଫୁସ୍‌ରେ ଜଟିଳତା ଆଦି କ୍ଷେତ୍ରରେ ଏହି ବ୍ୟବସ୍ଥା ବେଶ୍‌ ଉପଯୋଗୀ। ଯେଉଁ ହୃଦ୍‌ରୋଗୀଙ୍କଠାରେ ଔଷଧ କୌଣସି ପ୍ରଭାବ ପକାଇ ପାରୁ ନଥିବ, ସେ କ୍ଷେତ୍ରରେ ଏହି ପଦ୍ଧତି ଚମତ୍କାର ପ୍ରଦର୍ଶନ କରିଥାଏ ବୋଲି କିମ୍‌ସର ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହି ମେସିନ୍‌କୁ ପରିଚାଳନା କରିବା ପାଇଁ କିମ୍‌ସରେ ସ୍ୱତନ୍ତ୍ର ତାଲିମ୍‌ପ୍ରାପ୍ତ ଦକ୍ଷ ଡାକ୍ତର ମଧ୍ୟ ରହିଛନ୍ତି।

ସେହିପରି ଇପି ଷ୍ଟଡି ପାଇଁ କିମ୍‌ସରେ ଏକ ଇପି ଲ୍ୟାବ ବ୍ୟବସ୍ଥା ମଧ୍ୟ ଉପଲବ୍‌ଧ କରାଯାଇଛି। ଏଥିରେ ଇଲେକ୍ଟେାଫିଜିଓଲୋଜି (ଇପିଏସ୍‌) ଏବଂ ରେଡିଓ ଫ୍ରିକ୍ୟୁଏନ୍‌ସି ଆବ୍ଲେସନ୍‌ (ଆରଏଫ୍‌ଏ) ଆଦି ଜରିଆରେ ପରୀକ୍ଷା କରାଯାଇ ହୃଦ୍‌ପିଣ୍ଡର କେଉଁ କାରଣରୁ ଓ କେଉଁ ସ୍ଥାନରେ ଅସ୍ୱାଭାବିକ ହୃଦ୍‌କମ୍ପନ ସୃଷ୍ଟି ହେଉଛି ତାହା ଜଣାପଡ଼ିଥାଏ। ସଂପ୍ରତି କିମ୍‌ସରେ ଅତ୍ୟାଧୁନିକ ୩ଡି ଇପି ଲ୍ୟାବ୍‌ ଉପଲବ୍‌ଧ ହୋଇପାରିଛି। ଏହି ପଦ୍ଧତିରେ ହୃଦ୍‌ରୋଗୀ ଖୁବ୍‌ କମ୍‌ ସମୟ ଓ ସ୍ୱଳ୍ପ ଖର୍ଚ୍ଚରେ ଆରୋଗ୍ୟ ଲାଭ କରିପାରିବା ନେଇ କିମ୍‌ସ ପକ୍ଷରୁ ପ୍ରକାଶ। ଏନେଇ କିମ୍‌ସ ମେଡିକାଲ୍‌ ସୁପରିଟେଣ୍ଡେଣ୍ଟ୍‌ ଡ. ପି. କେ. ପଟ୍ଟନାୟକ, ହୃଦ୍‌ରୋଗ ବିଶେଷଜ୍ଞ ଡ. ପଞ୍ଚାନନ ସାହୁ, ହୃଦ୍‌ଶଲ୍ୟ ବିଶାରଦ ଡ. ବନ ବିହାରୀ ମିଶ୍ର ଏବଂ ଡା ଅନୁପମ ଜେନା ପ୍ରମୁଖ ଉପସ୍ଥିତ ରହି ଉଭୟ ବ୍ୟବସ୍ଥା ସଂପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର