କିଟ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଷୋଡ଼ଶ ପ୍ରତିଷ୍ଠା ଦିବସ

‘ଶିକ୍ଷାର୍ଥୀମାନେ ପାଞ୍ଚଟି ‘ନି’ ସାଧନା କରନ୍ତୁ’

ଚନ୍ଦ୍ରଶେଖରପୁର: ପ୍ରତ୍ୟେକ ଛାତ୍ର ପାଞ୍ଚଟି ‘ନି’କୁ ସାଧନା କରିପାରିଲେ ଜୀବନର ଲକ୍ଷ୍ୟ ହାସଲ କରିବା ସହିତ ସାମାଜିକ ଓ ପାରିବାରିକ ଶ୍ରେଷ୍ଠତ୍ୱ ଲାଭ କରି ପାରିବେ। କିଟ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଷୋଡ଼ଶ ପ୍ରତିଷ୍ଠା ଦିବସ ଓ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି। ଶ୍ରୀ ପଟ୍ଟନାୟକ କହିଲେ, ଶିକ୍ଷାର୍ଥୀ ମୁଖ୍ୟତଃ କିଶୋର ଓ ଯୁବାବସ୍ଥାରେ ଥିବାରୁ ସେମାନେ ନିରୋଗ ଜୀବନ ଯାପନ କରିବା ଦରକାର। ସଫଳତା ଓ ବିଫଳତାରେ ଆତ୍ମହରା ନହୋଇ ନିରହଙ୍କାରୀ ହେବା ସହ ନିଶାମୁକ୍ତ ସମାଜକୁ ଆଦର୍ଶ ଭାବେ ଗ୍ରହଣ କରିବା ଉଚିତ। ନିଜ କାମରେ ନିଷ୍ଠାପରତା ପ୍ରଦର୍ଶନ କରିବା ସହ ଏକ ନିଡର ବା ନିର୍ଭୟ ଜୀବନାଦର୍ଶ ଗ୍ରହଣ କରିବାକୁ ସେ ଛାତ୍ର ଓ ଯୁବଶକ୍ତିଙ୍କୁ ପରାମର୍ଶ ଦେଇଥିଲେ। ମା’ ଓ ମାତୃଭାଷାକୁ ପ୍ରାଥମିକତା ଦେଇ ମାଉସୀର ଭାଷା ଇଂରାଜୀ ବା ଅନ୍ୟ ଭାଷାକୁ ଆପଣେଇଲେ ଯାଇ ଆମର ଗୋଟିଏ ସୁସଂହତ ଜାତି ଗଠନ ହୋଇ ପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସଭାରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା ଯୋଗଦେଇ ଜୀବନ ପାଇଁ ବିଦ୍ୟାର ଆବଶ୍ୟକତା କେତେ ଗୁରୁତ୍ୱପୂର୍ଣ୍ଣ ତା’ର ଆଲୋଚନା କରିଥିଲେ। ବିଦ୍ୟାଳୟର ପ୍ରତିଷ୍ଠାତା ଡ. ଚିତ୍ତରଞ୍ଜନ ମିଶ୍ର ମଞ୍ଚାସୀନ ଅତିଥିଙ୍କୁ କୃତଜ୍ଞତା ଜଣାଇ ଛାତ୍ରଛାତ୍ରୀମାନଙ୍କୁ ସନ୍ମାର୍ଗୀ ହେବାର ଦିଗ୍‌ଦର୍ଶନ ଦେଇଥିଲେ। ସହ ପ୍ରତିଷ୍ଠାତା ଡ. ପ୍ରଶାନ୍ତ କୁମାର ମିଶ୍ର ମଦନ ମୋହନ ମାଲବ୍ୟଙ୍କ ଦୃଷ୍ଟାନ୍ତ ଦେଇ ଛାତ୍ରଛାତ୍ରୀମାନଙ୍କୁ ସୃଜନଶୀଳ, ଅଧ୍ୟବସାୟୀ ହେବାକୁ ପରାମର୍ଶ ଦେଇଥିଲେ। ଅଧ୍ୟକ୍ଷ ଡ. ପାଠାଣି ସୁନ୍ଦର ମାନସିଂହ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା। ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଉପାଧ୍ୟକ୍ଷ ଡ. ରୁଦ୍ରମୋହନ ନନ୍ଦ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର