କିଟ୍ ବିଶ୍ୱବିଦ୍ୟାଳୟର ଚତୁର୍ଦଶ ସମାବର୍ତ୍ତନ ଉତ୍ସବ, ଅନ୍ୟମାନଙ୍କ ପାଇଁ ଉଦାହରଣ ହୁଅ: ରାଜ୍ୟପାଳ

ଭୁବନେଶ୍ୱର: ଅନ୍ୟକୁ ଅନୁକରଣ ନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ହେବାକୁ ରାଜ୍ୟାପାଳ ପ୍ରଫେସର ଗଣେଶୀ ଲାଲ୍‌ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଆଜି ‘କିଟ୍‌’ ବିଶ୍ୱବିଦ୍ୟାଳୟର ଚତୁର୍ଦଶ ସମାବର୍ତ୍ତନ ସମାରୋହରେ ଯୋଗଦେଇ ରାଜ୍ୟପାଳ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଅଜ୍ଞତା, ଛଳନା, ଦୁର୍ନୀତି, ଭ୍ରଷ୍ଟାଚାର ଓ ଅସହିଷ୍ଣୁତାଠାରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ରହି ନିଷ୍ଠାପର ଭାବେ ନିଜ ଦାୟିତ୍ବ ପାଳନ କର। ଛାତ୍ରଛାତ୍ରୀମାନେ ବର୍ତ୍ତମାନ ଏଭଳି ଏକ ବିଶ୍ୱର ସମ୍ମୁଖୀନ ହେବାକୁ ଯାଉଛନ୍ତି ଯାହା କି ଜାତି, ଧର୍ମ, ବର୍ଣ୍ଣ, ଭାଷା ଆଧାରରେ ବିଭାଜିତ ହୋଇରହିଛି। ଏହି ବିଭାଜନକୁ କିଭଳି ପରାହତ କରିହେବ, ତାହା ବଡ଼ ଚ୍ୟାଲେଞ୍ଜ। ସବୁବେଳେ ଦୟାବାନ୍‌ ଓ ଅନ୍ୟମାନଙ୍କ ହୃଦୟରେ ସ୍ନେହ ଭରିଦେବା ପାଇଁ ଛାତ୍ରଛାତ୍ରୀ ଧ୍ୟାନ ଦେବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ରାଜ୍ୟପାଳ ଆହୁରି କହିଲେ ଯେ ଭାରତ ମଧ୍ୟରେ ଓଡ଼ିଶା ହେଉଛି ମାନବିକାତାର ରାଜ୍ୟ। ଏଠି ଅନେକ ମହାପୁରୁଷ ନିଜ ଜୀବନକୁ ଜଳାଞ୍ଜଳି ଦେଇ ସମାଜର ହିତ ପାଇଁ କାର୍ଯ୍ୟ କରିଛନ୍ତି। ଓଡ଼ିଶା ମାଟି ନମସ୍ୟ ବୋଲି ରାଜ୍ୟପାଳ କହିଥିଲେ। ସମାବର୍ତ୍ତନ ଉତ୍ସବରେ କିଟ୍‍ ବିଶ୍ୱବିଦ୍ୟାଳୟର ୨୦୧୭-୧୮ ଶିକ୍ଷାବର୍ଷରେ ଉତ୍ତୀର୍ଣ୍ଣ ୫୬୯୫ଜଣ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଡିଗ୍ରି ଏବଂ ୭୭ଜଣଙ୍କୁ ପିଏଚ୍‍ଡି ପ୍ରଦାନ କରାଯାଇଥିଲା। ଏହି ଅବସରରେ ‘ୱାର୍ଲ‌୍ଡ ଏକାଡେମି ଅଫ୍‍ ଆର୍ଟସ୍‌ ଆଣ୍ଡ କଲ୍‍ଚର’ର ବରିଷ୍ଠ ଉପସଭାପତି ପ୍ରଫେସର ଅର୍ନଷ୍ଟ କାହାନ, ସୁଇଜରଲାଣ୍ଡ ସାଂସଦ ନିକଲାସ ସାମୁଏଲ୍‍ ଗଗର୍‍, ‘ବ୍ରିଟେନ୍‍ ଜୁଡିସିଆରି ଆପଏଣ୍ଟମେଣ୍ଟ କମିସନ୍‍ର ଚେୟାରପର୍ସନ’ର ବାରୋନେସ୍‍ ଉଷାକୁମାରୀ ପ୍ରସାର, ଆଧ୍ୟାତ୍ମିକ ଗୁରୁ ପ୍ରଭୁ ଗୌରଗୋପାଳ ଦାସ, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା, ନିର୍ଦ୍ଦେଶକ କବୀର ବେଦୀ, ଇମ୍ଫାଲ୍‍ସ୍ଥିତ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ବାୟୋରିସୋର୍ସେସ୍‍ ଆଣ୍ଡ ସଷ୍ଟେନେବଲ୍‍ ଡେଭେଲପ୍‍ମେଣ୍ଟ (ଆଇବିଏସ୍‍ଡି)ର ନିର୍ଦ୍ଦେଶକ ପ୍ରଫେସର ଦୀନବନ୍ଧୁ ସାହୁ, ଢାକାସ୍ଥିତ ଡେଫୋଡିଲ୍‍ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ମହମ୍ମଦ ସବୁର ଖାନ୍‍ ପ୍ରମୁଖଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରି ପ୍ରଦାନ କରାଯାଇଥିଲା। ମୁଖ୍ୟବକ୍ତା ପ୍ରଫେସର କାହାନ କହିଲେ, ସେ ବିଶ୍ୱର ବିଭିନ୍ନ ସ୍ଥାନ ବୁଲିଛନ୍ତି, ମାତ୍ର କେଉଁଠାରେ କିଟ୍‍ ଓ କିସ୍‍ ଭଳି ଦୁଇଟି ଅନୁଷ୍ଠାନ ଦେଖିବାକୁ ପାଇନାହାନ୍ତି। ପ୍ରକୃତରେ ଏହି ଦୁଇଟି ଅନୁଷ୍ଠାନ ସମଗ୍ର ବିଶ୍ୱ ପାଇଁ ଉଦାହରଣ ବୋଲି ସେ କହିଥିଲେ। ଶ୍ରୀମତୀ ପ୍ରସାର କହିଲେ, ଏହି ଅନୁଷ୍ଠାନ ମୋର କର୍ମମୟ ଜୀବନକୁ ପ୍ରେରଣା ଯୋଗାଇଛି। ନାରୀ ସଶକ୍ତୀକରଣ ପାଇଁ ଅଚ୍ୟୁତ ସାମନ୍ତଙ୍କ ଦୂରଦୃଷ୍ଟି ଏଠାରେ ସାକାର ହୋଇଛି। ଗଗର୍‍ କହିଲେ, ତାଙ୍କୁ ତାଙ୍କ ଜୀବନରୁ ଅନେକ କିଛି ଶିଖିବାକୁ ମିଳିଛି ଏବଂ ତନ୍ମଧ୍ୟରୁ କିଟ୍‍-କିସ୍‍ରେ ତାଙ୍କର ଅଭିଜ୍ଞତା ପ୍ରମୁଖ। ଛାତ୍ରଛାତ୍ରୀମାନେ ଅଚ୍ୟୁତ ସାମନ୍ତଙ୍କ ଜୀବନରୁ ଶିକ୍ଷା ଲାଭ କରି ଦୁର୍ଦ୍ଦିନକୁ ସୁଯୋଗରେ ପରିଣତ କରିବା ଉଚିତ ବୋଲି ପ୍ରଭୁ ଗୌରଗୋପାଳ କହିଥିଲେ। ସମ୍ମାନିତ ଅତିଥି କବୀର ବେଦୀ ତାଙ୍କ ଭାଷଣରେ କିଟ୍‍, ଏହାର ପ୍ରତିଷ୍ଠାତା ଏବଂ କିଟ୍‍ର ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କୁ କୃତଜ୍ଞତା ଜଣାଇ କହିଥିଲେ, ଏଭଳି ଅନୁଷ୍ଠାନ ‌କେବଳ ଓଡ଼ିଶା କାହିଁକି ଦେଶର ଗୌରବ ବୃଦ୍ଧି କରିଛି।

ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ବେଦ ପ୍ରକାଶ, ଉପକୁଳାଧିପତି ପ୍ରଫେସର ସୁବ୍ରତ ଆଚାର୍ଯ୍ୟ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଥିବା ବେଳେ କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ। ଶେଷରେ କୁଳସଚିବ ସସ୍ମିତାରାଣୀ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ବିଭାଗରେ ଶ୍ରେଷ୍ଠ ୨୦ଜଣ ଛାତ୍ରଛାତ୍ରୀଙ୍କୁ କୁଳାଧିପତି ସ୍ୱର୍ଣ୍ଣପଦକ, ୨୧ଜଣଙ୍କୁ କୁଳପତି ରୌପ୍ୟପଦକ, ପ୍ରଦ୍ୟୁମ୍ନ ବଳ ସ୍ମୃତି ସ୍ୱର୍ଣ୍ଣ ପଦକ, ପିପିଏଲ୍‍ ସ୍ୱର୍ଣ୍ଣପଦକ ଏବଂ ନନିବାଳା ସ୍ମୃତି ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ସ୍ୱାସ୍ଥ୍ୟଗତ କାରଣରୁ ‘କିଟ୍‌’ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅନୁପସ୍ଥିତ ଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ବାର୍ତ୍ତା ଅଡିଓ ମାଧ୍ୟମରେ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର