କୋଲକାତାରେ ଖୋଲିବ କିସ୍‍ ଶାଖା

ଚନ୍ଦ୍ରଶେଖରପୁର: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ୍‍ ସାଇନ୍‍ସେସ୍‍ (କିସ)ର ଏକ ଶାଖା କୋଲକାତାରେ ଖୋଲିବ। କିସ୍‍ ଓ କୋଲକାତାର ପ୍ରତିଷ୍ଠିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ହେଲ୍‍ପ ଅସ୍‍, ହେଲ୍‍ପ ଦେମ୍‍’ (ଏଚ୍‍ୟୁଏଚ୍‍ଟି)ର ମିଳିତ ସହଯୋଗରେ ଖୋଲିବାକୁ ଯାଉଥିବା ଏହି ଶାଖାର ଭୂମି ପୂଜା ଆଜି ଅନୁଷ୍ଠିତ ହୋଇଛି। ଆଇଆଇଏମ୍‍ ଜୋକା ନିକଟରେ ୫ ଏକର ପରିମିତ ଅଞ୍ଚଳରେ ନିର୍ମିତ ହେବାକୁ ଥିବା ଏହି ଆବାସିକ ବିଦ୍ୟାଳୟ ଆସନ୍ତା ଶିକ୍ଷାବର୍ଷଠାରୁ କାର୍ଯ୍ୟକ୍ଷମ ହେବ। ଏଠାରେ ୧ ହଜାର ଗରିବ ଓ ଅବହେଳିତ ପିଲାଙ୍କୁ ନିଃଶୁଳ୍କ ଶିକ୍ଷା ପ୍ରଦାନ କରାଯିବ। ‘ହେଲ୍‍ପ ଅସ୍‍, ହେଲ୍‍ପ ଦେମ୍‍’ର ମୁଖ୍ୟ ମୁକ୍ତି ଗୁପ୍ତା କିସ୍‍-ଭୁବନେଶ୍ୱର ପରିଦର୍ଶନ ସମୟରେ କିସ୍‍ ଦେଖି ବିମୋହିତ ହେବା ସହ କିସ୍‍ ଢ଼ାଞ୍ଚାରେ ଏକ ଆବାସିକ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଆଇଆଇଏମ୍‍ ଜୋକା ନିକଟରେ ୫ ଏକର ଜମି କିଣିଥିଲେ। ଗତ ୬ ମାସ ଭିତରେ ମୁକ୍ତି ଗୁପ୍ତା ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ କିଟ୍‌-କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉପସ୍ଥିତି ଥିଲେ। ଏଥିରେ ଅନୁପ୍ରାଣିତ ହୋଇ ପ୍ରଥମ ପର୍ଯ୍ୟାୟରେ ଗୋଟିଏ କର୍ପୋରେଟ୍‍ ସେକ୍ଟର ୧୫ କୋଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ଏକ କର୍ପୋରେଟ୍‍ ସଂସ୍ଥା ୧୦ କୋଟି ଟଙ୍କା ପ୍ରଦାନ କରିଥିଲେ। ଏହି ଆର୍ଥିକ ସହାୟତାରେ ରୋଟାରି କ୍ଲବ୍‍ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଶିକ୍ଷା ମାଧ୍ୟମରେ ସମାଜର ଗରିବ ଓ ଅବହେଳିତ ଶିଶୁମାନଙ୍କୁ ସଶକ୍ତ କରିବାରେ କିସ୍‍ ଏକ ସଫଳ ମଡେଲ ହୋଇଥିବାରୁ ତାହାକୁ ବିଭିନ୍ନ ରାଜ୍ୟ ଆପଣାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଓଡ଼ିଶାର ସମସ୍ତ ଜିଲ୍ଲା, ଦେଶର ସମସ୍ତ ରାଜ୍ୟ ଓ ବିଭିନ୍ନ ଦେଶରେ କିସ୍‍ର ଶାଖା ଖୋଲିବା ପାଇଁ ଶ୍ରୀ ସାମନ୍ତ ଉଦ୍ୟମ ଜାରି ରଖିଛନ୍ତି। କୋଲକାତାରେ କିସ୍‍ର ଶାଖା ଖୋଲୁଥିବାରୁ ପଶ୍ଚିମବଙ୍ଗରେ ରହୁଥିବା ଓଡ଼ିଆ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। କାର୍ଯ୍ୟକ୍ରମରେ ଶିଳ୍ପପତି ଶ୍ୟାମ ସୁନ୍ଦର ଅଗ୍ରୱାଲ୍‍, ମହାବୀର ସେବା ସମିତିର ସଭାପତି ଜେ. ଏସ୍‍ ମେହେଟ୍ଟା, ଶିଳ୍ପପତି ଆର କେ ଗୁପ୍ତା, ଭାରତ ବିକାଶ ମଞ୍ଚର ସଭାପତି ମନୋଜ କୁମାର ଖଟୁଆ, କୋଲକାତା କଳିଙ୍ଗ କ୍ରିକେଟ ଆସୋସିଏସନ୍‍ର ସଂପାଦକ ପ୍ରଶାନ୍ତ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର