ରବୀନ୍ଦ୍ର ମଣ୍ଡପରେ ଆୟୋଜିତ, କୋରିଆ କାରାଭାନ୍‌

ଭୁବନେଶ୍ୱର: ସାଂସ୍କୃତିକ ଭାବ ବିନିମୟ ସ୍ବରୂପ ଆଜି ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ‘କୋରିଆ କାରାଭାନ୍‌’ ଓଡ଼ିଆ ଦର୍ଶକଙ୍କୁ ନିଆରା ଅନୁଭବ ଦେଇଥିଲା। କୋରିଆ ଟାଏକୋଣ୍ଡ୍‌ର ପ୍ରଦର୍ଶନ ଦର୍ଶକଙ୍କ ଆଖି ଖୋସି ଦେଇଥିଲା। ୪୬ ଜଣ ସଦସ୍ୟଙ୍କ ଦ୍ବାରା ପ୍ରେକ୍ଷାଳୟ ମଂଚରେ ଏହି ସାମରିକ କଳା କୌଶଳକୁ ଉପଭୋଗ କରିବା ସହ କେ-ପପ୍‌ ନୃତ୍ୟରେ ବିଭୋର ହୋଇଥିଲେ। କୋରିଆ ଗଣତନ୍ତ୍ରର ରାଷ୍ଟ୍ରଦୂତଙ୍କ ଦ୍ବାରା ପ୍ରତିବର୍ଷ ଭାରତର କୌଣସି ରାଜ୍ୟରେ ଏହି ଉତ୍ସବ ଆୟୋଜନ କରାଯାଉଥିବା ବେଳେ ଚଳିତ ବର୍ଷ ଭୁବନେଶ୍ବରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲା। କୋରିଆ ଟାଏକୋଣ୍ଡ୍‌ ସଂଗଠନ ପକ୍ଷରୁ ଟାଏକୋଣ୍ଡ ପ୍ରଦର୍ଶିତ ହୋଇଥିଲା। ରାଷ୍ଟ୍ରଦୂତ ସିନ୍‌ ବଙ୍ଗକିଲ୍‌ କହିଛନ୍ତି, ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଭରପୂର ରହିଛି। ଇଣ୍ଡିଆଜ୍‌ ବେଷ୍ଟ୍‌ କେପ୍ଟ ସିକ୍ରେଟ୍‌କୁ କୋରିଆ ବିଶ୍ବ ସମ୍ମୁଖକୁ ଆଣିବାକୁ ଚାହୁଁଛି। ଏଥିସହ ରାଜ୍ୟର ବାଣିଜ୍ୟ ଓ ସାଂସ୍କୃତିକ ବିଭବକୁ ଅନୁଭବ କରିବା ପାଇଁ କୋରିଆର ଭ୍ରମଣକାରୀ ପ୍ରତିନିଧି ଦଳ ରାଜ୍ୟର ବିଭିନ୍ନ ବାଣିଜ୍ୟିକ ଅନୁଷ୍ଠାନ ଓ ସାଂସ୍କୃତିକ ସ୍ଥଳ ପରିଦର୍ଶନ କରିଥିଲେ। ଆଜି ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ପିଙ୍କି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର