ବସ୍ତିରୁ ମୁମ୍ବାଇ ପର୍ଯ୍ୟନ୍ତ ଯାତ୍ରାର କାହାଣୀ ‘କ୍ରିଷ୍ଣା’, ୨୬ରେ ମୁକ୍ତିଲାଭ

ଭୁବନେଶ୍ୱର : ବସ୍ତିରେ ଘର। ବସ୍ତିରେ ହିଁ ସାଙ୍ଗଙ୍କ ମେଳରେ ନାଚ। ଏହି ନାଚରୁ ପରିଚୟ। କେବଳ ପରିଚୟ ନୁହେଁ, ବରଂ ଓଡ଼ିଶା ପାଇଁ ଗର୍ବ। ଏକ ଜାତୀୟ ଟିଭି ଚ୍ୟାନେଲ୍‌ରେ ନୃତ୍ୟରେ ପାରଦର୍ଶିତା ପ୍ରଦର୍ଶନ କରି ସାରା ଓଡ଼ିଶାରେ ତାଙ୍କର ଚର୍ଚ୍ଚା। ସେ ହେଉଛନ୍ତି ପ୍ରିନ୍ସ ଡ୍ୟାନ୍‌ସ୍‌ ଗ୍ରୁପ୍‌ର ମୁଖ୍ୟ ଟି କ୍ରିଷ୍ଣା ମୋହନ ରେଡ୍ଡୀ। ତାଙ୍କର ବସ୍ତିରୁ ମୁମ୍ବାଇ ପର୍ଯ୍ୟନ୍ତ ଏହି ସଫଳତାର କାହାଣୀକୁ ନେଇ ତିଆରି ହୋଇଥିବା ଚଳଚ୍ଚିତ୍ର ‘କ୍ରିଷ୍ଣା’ ଆସନ୍ତା ୨୬ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। ରେଡ୍‌କ୍ରସ୍‌ ଭବନରେ ୟୁଏସ୍‌ଆଇ ଫାଉଣ୍ଡେସନ୍‌ ଓ ପ୍ରିନ୍ସ ଡାନ୍ସ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ୟୁଏସ୍‌ଆଇ ଫାଉଣ୍ଡେସନ୍‌ ଅଧ୍ୟକ୍ଷ ତଥା ‘ପକ୍ଷୀଘର’ର ସମ୍ପାଦକ ବନୋଜ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରିନ୍ସ ଡ୍ୟାନ୍‌ସ୍ ଗ୍ରୁପ୍‌ର ମୁଖ୍ୟ ଟି. କ୍ରିଷ୍ଣା ମୋହନ ରେଡ୍ଡୀ, ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର, ୟୁଏସ୍‌ଆଇ ଫାଉଣ୍ଡେସନ୍‌ ଆବାହକ ପ୍ରତୀକ୍ଷା ମିଶ୍ର ଓ ଉପେନ୍ଦ୍ର ବେହେରା ପ୍ରମୁଖ ଏ ନେଇ ସୂଚନା ଦେଇଛନ୍ତି। ଖୋଦ୍‌ କ୍ରିଷ୍ଣା ମୋହନ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଓ କାହାଣୀ ରଚନା କରିଥିବା ବେଳେ ମୁଖ୍ୟ ଭୂମିକାରେ ମଧ୍ୟ ସେ ଅଛନ୍ତି। ତାଙ୍କର ଜୀବନ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ବସ୍ତିରେ ସାଙ୍ଗମାନଙ୍କ ସହ ପିଲାବେଳୁ ନାଚ, ଏହି ନାଚରୁ ମଞ୍ଚ ଏବଂ ମଞ୍ଚରୁ କିଭଳି ମୁମ୍ବାଇରେ ଆୟୋଜିତ ରିଆଲିଟି ସୋ’ରେ ପହଞ୍ଚିଲେ ଏବଂ ସଫଳତା ପାଇଲେ ତାହାର କାହାଣୀ ରହିଛି। ପିଲା ବେଳର ସ୍ବପ୍ନ କିଭଳି ସାକାର ହେଉଛି, ଅଭାବ ଅନଟନରେ ମଧ୍ୟ କିଭଳି ଶିଖର ଛୁଇଁବାର ସ୍ବପ୍ନ ମଉଳି ଯାଇନି, ତାହାର ଏକ ବାସ୍ତବ ଚିତ୍ର ରହିଛି, ଯାହା ପ୍ରତ୍ୟେକ ହୃଦୟକୁ ସ୍ପର୍ଶ କରିବ ବୋଲି କ୍ରିଷ୍ଣା ଆଶାବାଦୀ ଅଛନ୍ତି। ତା’ ଛଡ଼ା ବସ୍ତିରେ ଟ୍ୟାଲେଣ୍ଟ ରହିଛି, ତାହା କିଭଳି ଉପଯୁକ୍ତ ମାର୍ଗଦର୍ଶନ ପାଇବ, ତାହା ମଧ୍ୟ ଏହି ଚଳଚ୍ଚିତ୍ର‌ରେ ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର