କୃଷି ଓଡ଼ିଶା ଉଦ୍‌ଯାପିତ: ଚାଷୀ ଆତ୍ମହତ୍ୟା ଅତି ସମ୍ବେଦନଶୀଳ ଘଟଣା

ଖଣ୍ଡଗିରି: ଦେଶର ଅଗଣିତ ଚାଷୀ ଆତ୍ମହତ୍ୟା କରୁଛନ୍ତି। ଏହା ଏକ ଅତି ସମ୍ବେଦନଶୀଳ ମାମଲା। ଯିଏ ଖାଦ୍ୟ ଉତ୍ପାଦନ କରି ମଣିଷ ସମାଜର ଜୀବନ ରକ୍ଷା କରୁଛି, ସିଏ ପୁଣି ବଞ୍ଚିବାକୁ ସଂଘର୍ଷ କରି ହାରି ଯାଉଛି ଓ ଶେଷରେ ଆତ୍ମହତ୍ୟାର ପଥ ବାଛି ନେଉଛି। ଏହା ତୁରନ୍ତ ବନ୍ଦ ହେବା ଜରୁରି। କୃଷକର ସର୍ବାଙ୍ଗୀନ ଉନ୍ନତି କରିବା ଆମର ଗୁରୁଦାୟିତ୍ବ ହେଉ ଓ ଚାଷୀକୁ ଖୁସିରେ ଓ ସମ୍ମାନର ସହ ବଞ୍ଚିବାକୁ ଦିଆଯାଉ। ମାଟି ମା’ ଓ ଜଳ ଉପରେ ଅତ୍ୟାଚାର ବନ୍ଦ ହେଉ ଓ ସେମାନଙ୍କୁ ବିଶୁଦ୍ଧ ରଖିବାକୁ ଯଥେଷ୍ଟ ଧ୍ୟାନ ଦିଆଯାଉ। ଆଧୁନିକ ଉତ୍ପାଦନ ବୃଦ୍ଧି ଜନିତ ଚାଷକୁ ଗୁରୁତ୍ବ ଦିଆଯାଉ, କୃଷି କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ଯଥେଷ୍ଟ ଉପଯୋଗ ହେଉ, କିନ୍ତୁ ତାହା ମାଟି ମା’ର ଶୁଦ୍ଧତାକୁ ନଷ୍ଟ ନକରୁ। ଆଜି କୃଷି ଓଡ଼ିଶା-୨୦୧୯ର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କୃଷକ, କୃଷି ବୈଜ୍ଞାନିକ ଓ ବିଶେଷଜ୍ଞମାନଙ୍କୁ ଏହି ଆହ୍ବାନ ଦେଇଛନ୍ତି। ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଲେ ଯେ ବହୁ କୃଷି ଉତ୍ପାଦିତ ଜିନିଷର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଧାରଣ ହୋଇପାରିନାହିଁ। ସେଗୁଡ଼ିକୁ ଇ-ନାମ(ରାଷ୍ଟ୍ରୀୟ କୃଷି ବଜାର) ଜରିଆରେ ବିକ୍ରି କରି ଚାଷୀକୁ ଉଚିତ୍ ମୂଲ୍ୟ ଦେବାକୁ ପଦକ୍ଷେପ ଗ୍ରହଣ କରାଯାଉଛି। କାଳିଆ ଯୋଜନା ଦ୍ବାରା କ୍ଷୁଦ୍ର ଓ ଭାଗ ଚାଷୀ ଆଉ ମହାଜନ ପାଖରେ ବନ୍ଧା ପଡ଼ିବ ନାହିଁ ବୋଲି ସେ କହିଥିଲେ। କେନ୍ଦ୍ର କୃଷି ବିଭାଗର ଯୁଗ୍ମ ସଚିବ ପିକେ ସ୍ବାଇଁ ରାଜ୍ୟରେ ୧୦ଟି ଓ ଦେଶରେ ପ୍ରତିଷ୍ଠା କରାଯାଇଥିବା ୫୮୫ ଇ-ନାମ କେନ୍ଦ୍ର ଉପରେ କହିଥିଲେ। କୃଷି ଉତ୍ପାଦନ ବୃଦ୍ଧି ସହ ଯୁବପିଢ଼ି କୃଷି ଉଦ୍ୟୋଗ ପ୍ରତି ଆଗ୍ରହ ପ୍ରକାଶ କରିବାକୁ ସେ ପରାମର୍ଶ ଦେଇଥିଲେ। ରାଜ୍ୟ ଜଙ୍ଗଲ ବିଭାଗ ଅତିରିକ୍ତ ପ୍ରମୁଖ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କୃଷି କ୍ଷେତ୍ରରେ ଭୂତଳ ଜଳର ବ୍ୟବହାର ଉପରେ ଗୁରୁତ୍ବାରୋପ କରିଥିଲେ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କୃଷକର ପୁଞ୍ଜି ବୃଦ୍ଧି ଉପରେ ମତ ରଖିବା ସହ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପର୍ବ ନୂଆଖାଇଁ ଅବସରରେ ୮୫ ଦିନିଆ ସରୁ ମହକପୂର୍ଣ୍ଣ ଧାନ ଉଦ୍‌ଭାବନ ବାବଦରେ ସୂଚନା ଦେଇଥିଲେ। ସେହିଭଳି କୃଷି ବୈଜ୍ଞାନିକମାନଙ୍କ ଦ୍ବାରା ଉଦ୍‌ଭାବନ ହୋଇଥିବା ଶଙ୍କର ଜାତୀୟ ମକା ବର୍ତ୍ତମାନ ଓଡ଼ିଶାର ଚାଷୀମାନଙ୍କ ପାଇଁ ଭଲ ଲାଭଦାୟକ ହେଉଛି ବୋଲି ସେ କହିଥିଲେ। ଏହି ଅବସରରେ କୃଷି ବୈଜ୍ଞାନିକ ଟିଆର୍ କେଶବନ୍‌ଙ୍କ ଭଳି ବିଶାରଦମାନେ କମ୍ ଜଳ, କମ୍ ସାର ବିନିଯୋଗ କରି ଚାଷୀ ଅଧିକରୁ ଅଧିକ ଲାଭବାନ୍ ହେବା ପାଇଁ ହୋଇଥିବା ବହୁ ନୂତନ ଉଦ୍‌ଭାବନ ଉପରେ କହିଥିଲେ। ଶେଷରେ ପଶୁସମ୍ପଦ ଚାଷ‌ରେ ସଫଳତା ଅର୍ଜନ କରିଥିବା ଚାଷୀ ବିଳାସିନୀ ବାରିକ(କେନ୍ଦୁଝର), ପ୍ରଣତୀ ନାୟକ(ବଡ଼ମ୍ବା, କଟକ), ପ୍ରଶାନ୍ତ ମଲ୍ଲିକ(କନ୍ଧମାଳ), ରବୀନ୍ଦ୍ର ସାହୁ(ଗଞ୍ଜାମ) ଓ ଚନ୍ଦ୍ରଧ୍ବଜ ମେହେର(ନୂଆପଡ଼ା)ଙ୍କୁ ରାଜ୍ୟପାଳ ପ୍ରଫେସର ଲାଲ୍ ପୁରସ୍କାର ବାବଦରେ ୧୦ ହଜାର ଟଙ୍କା, ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ପର୍ଧିତ କରିଥିଲେ। ସୂଚନାଯୋଗ୍ୟ ଯେ କୃଷି ବିଭାଗ ଓ କନ୍‌ଫେଡେରେସନ୍ ଅଫ୍ ଇଣ୍ଡିଆନ୍‌ ଇଣ୍ଟଷ୍ଟ୍ରି(ସିଆଇଆଇ)ର ମିଳିତ ଉଦ୍ୟମରେ ଚାଲିଥିବା ଏହି ୫ଦିନିଆ କୃଷି ସମାରୋହରେ ରାଜ୍ୟର ବିଭିନ୍ନ ବର୍ଗର ପ୍ରାୟ ୧ ହଜାର ଚାଷୀ ସାମିଲ୍‌ ହୋଇଥିଲେ। କୃଷକମାନଙ୍କ ସହ କୃଷି ବୈଜ୍ଞାନିକ ଓ ଇଂଜିନିୟରମାନଙ୍କୁ ନେଇ ପ୍ରତିଦିନ ମତ ବିନିମୟ ଓ ତାଲିମ୍ କର୍ମଶାଳାମାନ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର