କୁମାର ପୂର୍ଣ୍ଣମୀରେ କୁଅାଁରୀ ବିବାହ : ଯୋଡ଼ି ମହୁରିରେ କମ୍ପିଲା ମହୁରା

ଖଣ୍ଡଗିରି : ଦିନ ତମାମ୍‌ ଚାଲିଥିଲା ବାହାଘର ପ୍ରସ୍ତୁତି। କନ୍ୟାପକ୍ଷ ବରଯାତ୍ରୀଙ୍କ ସତ୍କାର ପାଇଁ ଭୋଜିଭାତ ପ୍ରସ୍ତୁତିରେ ଲାଗି ପଡ଼ିଥିବାବେଳେ ବରପକ୍ଷ ଶୋଭାଯାତ୍ରା ରୋସଣି ପାଇଁ ଲାଗିପଡ଼ିଥିଲେ। ଗାଁ ଭଗବତ ଘର ଦାଣ୍ଡରେ ତିଆରି ହୋଇଥିବା ବିବାହ ବେଦି ପାଖରେ ବାଜୁଥିଲା ଯୋଡ଼ି ମହୁରି ଓ ଢୋଲ। ବିଧି ମୁତାବକ ବାଡ଼ୁଅ ପାଣି ଗାଧୁଆଠାରୁ ଆରମ୍ଭ କରି ଦିଅଁ ମଙ୍ଗୁଳା କାର୍ଯ୍ୟ ବି ଠିକଣା ସମୟରେ ହେଉଥିଲା। ଗାଁ ଯାକର ଝିଅମାନେ ଲାଗି ପଡ଼ିଥିଲେ ଏହି ସବୁ କାମରେ। ସଞ୍ଜ ବୁଡ଼ିଲା। ଆକାଶରେ ପୁନେଇଁ ଜହ୍ନ ଉଇଁଲା। ଯୁବତୀମାନେ ଗାଁ ମୁଣ୍ଡ ଚଉରାମୂଳେ ଏକାଠି ହୋଇ ଚାନ୍ଦପୂଜା ଶେଷ କଲେ। ଏହା ପରେ ପରେ ଆରମ୍ଭ ହେଲା ବରାନୁଗମନ। ଗାଁ ମୁଣ୍ଡରୁ ବରଯାତ୍ରୀ ଦଳ ବିରାଟ ପଟୁଆରରେ ବାହାରିଲେ। ଡିଜେ ତାଳରେ ନାଚୁଥିଲେ ସମସ୍ତେ। ଭଗବତ ଘର ନିକଟରେ ସେମାନଙ୍କୁ କନ୍ୟାପକ୍ଷରୁ ପାଛୋଟି ନିଆଗଲା। ଏହା ପରେ ବେଦି ଉପରେ ଚାଲିଲା ହୋମ କର୍ମ। କୁନି ବର ଓ କୁନି କନିଅାଁଙ୍କଠାରେ ହାତଗଣ୍ଠି ପଡ଼ିଲା, ବନ୍ଦାପନା ହେଲା। ଗୋଟିଏ ପଟେ ବେଦି ଉପରେ ବିବାହ ପର୍ବ ଚାଲିଥିବାବେଳେ ଅପରପଟେ ଭୋଜିଭାତର ଆସର ଜମି ଯାଇଥିଲା। ଏମିତିରେ ଆଜି ରାଜଧାନୀ ଉପକଣ୍ଠ ତମାଣ୍ଡୋ ଥାନା ଅନ୍ତର୍ଗତ ମହୁରା ଗାଁ ପଡ଼ୁଥିଲା ଉଠୁଥିଲା।

ବଡ଼ ମହୁରାରେ ଦେବସ୍ମିତା ଜେନା ବରପିତା ଓ ବର ସାଜିଥିଲେ ବିଦୁସ୍ମିତା ଜେନା। କନ୍ୟାପିତା ହୋଇଥିଲେ ସୁଜାତା ପଶ୍ଚିମକବାଟ ଓ କନ୍ୟା ସାଜିଥିଲେ ସାଇସ୍ମିତା ପଶ୍ଚିମକବାଟ। ବିନି, ରାନୀ, ପ୍ରଜ୍ଞା, ରୋଜି, ନିତୁ ଓ ସିତୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିଭଳି ସାନମହୁରାରେ ଶ୍ରୁତିରେଖା ବର ହୋଇଥିବାବେଳେ ମଧୁସ୍ମିତା ଭାରିମଲ୍ଲ ବରପିତା ଦାୟିତ୍ୱ ନେଇଥିଲେ। କନ୍ୟାବେଶରେ ଲିପ୍‌ସା ବସିଥିବାବେଳେ ମିଲି ଭାରିମଲ୍ଲ କନ୍ୟାଦାନ କରିଥିଲେ। ମିଲି, ମାମାଲି, ଲିପା, ରିଙ୍କି, ପୁଷ୍ପା, ମିତାଲି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବହୁ ବର୍ଷ ହେଲା ଏହି ଗାଁରେ ଏହା ଏକ ପରମ୍ପରା ପାଲଟିଛି। ଛୁଆଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ଏଥିରେ ସାମିଲ୍‌ ହୋଇ ଗାଁ ଝିଅମାନଙ୍କୁ ଉତ୍ସାହିତ କରନ୍ତି। ଏହି ପରମ୍ପରା ପଛରେ କିଛି ବିଶ୍ୱାସ ନାହିଁ, କିନ୍ତୁ ପୁରୁଣା କାଳର ବୋହୂ ଚୋରି ଭଳି ଖେଳରୁ ଏହାର ସୃଷ୍ଟି ବୋଲି କୁହାଯାଏ।

ସମ୍ବନ୍ଧିତ ଖବର