କୁଳମଣି ନାଥଶର୍ମାଙ୍କ ସ୍ମୃତିସଭା ଓ ‘ସାର୍ଥକ ସାରସ୍ୱତ’ ଲୋକାର୍ପିତ

0 10

ଭୁବନେଶ୍ୱର : ‘ବିସ୍ମୟ’ ସାପ୍ତାହିକର ପ୍ରତିଷ୍ଠାତା କୁଳମଣି ନାଥଶର୍ମାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଆଜି ୟୁନିଟ୍‌-୭ସ୍ଥିତ ମଙ୍ଗଳାମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ କୁଳମଣିଙ୍କ ସ୍ମୃତିଚାରଣ କରି ତାଙ୍କ ‘ରଚନା ସମଗ୍ର’ ପ୍ରକାଶିତ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ କବି ଡ.ଫନି ମହାନ୍ତି, ବରିଷ୍ଠ ସମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ବରିଷ୍ଠ ପ୍ରଶାସକ ତଥା କବି ରତ୍ନାକର ରାଉତ ଓ ସାମ୍ବାଦିକ ପ୍ରମୋଦ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। କୁଳମଣି ନାଥଶର୍ମାଙ୍କ ସାରସ୍ୱତ, ସମ୍ବାଦିକତା, ଶିକ୍ଷକତା ଓ ପ୍ରଶାସକ ଜୀବନର ସଫଳତା ସମ୍ପର୍କରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ତାଙ୍କର ଲେଖାକୁ ନେଇ ପ୍ରକାଶିତ ‘ସାର୍ଥକ ସାରସ୍ୱତ’ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ।

କୁଳମଣି ନାଥ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ସ୍ମୃତିସଭାରେ ଆରମ୍ଭରେ କୁଳମଣିଙ୍କ କନ୍ୟା ଆଦ୍ୟାଶା ଶର୍ମା ଟ୍ରଷ୍ଟ ଗଠନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ବରିଷ୍ଠ ସମ୍ବାଦିକ ବିଘ୍ନେଶ୍ୱର ସାହୁଙ୍କ ସଂଯୋଜନାରେ ପ୍ରମୋଦ ମଲ୍ଲିକ, ବିଧାୟକ ଦେବେନ୍ଦ୍ର ଶର୍ମା, ବନ୍ଦନା ମିଶ୍ର, ଅକ୍ଷୟ କୁମାର ବେହେରା, ଉମାକାନ୍ତ ରାଉତ ପ୍ରମୁଖ କୁଳମଣିଙ୍କ ସ୍ମୃତିଚାରଣ କରିଥିଲେ। ଶେଷରେ ଜ୍ଞାନରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.