ଶ୍ରମିକଙ୍କୁ ଶୋଷୁଛନ୍ତି ଠିକାଦାର : ଶ୍ରମିକଙ୍କୁ ସର୍ବନିମ୍ନ ମଜୁରି ଦେଉ ନାହାଁନ୍ତି, କେତେଜଣ ମଜୁରିଆଙ୍କୁ ପଇସା ଦେଇ ପରବର୍ତ୍ତୀ ସମୟରେ ସେମାନଙ୍କଠାରୁ କିଛି ଅଂଶ ଫେରସ୍ତ ନେଉଛି

ରେଳବାଇ ଭିଜିଲାନ୍ସ ଦ୍ୱାରା ମାମଲା ରୁଜୁ, ଠିକା ସଂସ୍ଥା ଦଣ୍ଡିତ

ଠିକା ସଂସ୍ଥା ନ ସୁଧୁରିଲେ ହେବ ଫୌଜଦାରୀ ମାମଲା
ସର୍ବନିମ୍ନ ମଜୁରି ଦେଉନଥିବା ସଂସ୍ଥାକୁ ଜରିମାନା କରାଯିବ

ଭୁବନେଶ୍ବର: ପୂର୍ବତଟ ରେଳପଥରେ ଠିକା ସଂସ୍ଥା ଦ୍ୱାରା ନିୟୋଜିତ ମଜୁରିଆ/ଶ୍ରମିକଙ୍କୁ ସର୍ବନିମ୍ନ ମଜୁରି ପ୍ରଦାନ କରାଯାଉ ନାହିଁ। ଏ ବିଷୟରେ ଜଣାପଡ଼ିବା ପରେ ପୂର୍ବତଟ ରେଳପଥ ପକ୍ଷରୁ ଏକ ଠିକା ସଂସ୍ଥା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୂର୍ବତଟ ରେଳପଥ ଭିଜିଲାନ୍ସ ବିଭାଗ ଦ୍ୱାରା ଅଚାନକ ଚଢ଼ଉ କରାଯିବା ପରେ ଜଣାପଡ଼ିଛି ଯେ ଉକ୍ତ ସଂସ୍ଥା ଠିକା ମଜୁରିଆଙ୍କୁ ସର୍ବନିମ୍ନ ମଜୁରି ଦେଉ ନାହିଁ। କେତେଜଣ ମଜୁରିଆଙ୍କୁ ପଇସା ଦେଇ ପରବର୍ତ୍ତୀ ସମୟରେ ସେମାନଙ୍କଠାରୁ କିଛି ଅଂଶ ଫେରସ୍ତ ନେଉଛି। ସେହି ଠିକା ସଂସ୍ଥା ମଧ୍ୟ ମଜୁରିଆଙ୍କର ବ୍ୟାଙ୍କ ଆକାଉଣ୍ଟ ରଖି ତାଙ୍କ ଜମା ଖାତାରେ ପାଉଣା ଭରିବା ପରେ ଏହାର କିଛି ଭାଗ ତୁରନ୍ତ ଉଠାଇ ନେଉଥିବା ନଜରକୁ ଆସିଛି।

ଆହୁରି ଜଣାପଡ଼ିଛି ଯେ ସଫେଇ ପାଇଁ ନିୟୋଜିତ ଠିକା ସଂସ୍ଥା ସର୍ବନିମ୍ନ ମଜୁରି ଦେଉ ନଥିଲା। ସଫେଇ ଲାଗି ନିୟୋଜିତ ହେବାକୁ ଥିବା ସଠିକ ମଜୁରିଆଙ୍କୁ ନିୟୋଜିତ କରୁ ନଥିଲା। ସମ୍ପୃକ୍ତ ଠିକା ସଂସ୍ଥା ସରକାରଙ୍କ ଧାର୍ଯ୍ୟ ସର୍ବନିମ୍ନ ମଜୁରି ବି ଠିକା କର୍ମଚାରୀଙ୍କୁ ପ୍ରଦାନ କରୁ ନଥିଲା। କାର୍ଯ୍ୟ ପରିସରରେ ମଧ୍ୟ ଉପଯୁକ୍ତ ଯନ୍ତ୍ରପାତି ଓ ଆନୁଷଙ୍ଗିକ ଦ୍ରବ୍ୟ ସହ ଠିକ୍‌ କର୍ମବଳ ବ୍ୟବହାର କରୁନଥିବା ‌ଦେଖିବାକୁ ମିଳିଥିଲା। ଏଭଳି ଘଟଣା ପଦାକୁ ଆସିବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଠିକା ସଂସ୍ଥା ବିଲ୍‌ରୁ ପଇସା ଅସୁଲ କରି ମଜୁରିଆଙ୍କୁ ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଏଥିସହ କେନ୍ଦ୍ରୀୟ ଶ୍ରମ କମିସନରଙ୍କୁ ବି ଜଣାଇବାକୁ କୁହାଯାଇଛି। ଏହା ବ୍ୟତୀତ ଠିକା ସଂସ୍ଥା ବିଲ୍‌ରୁ ପାଉଣା ନେଇ ତୁରନ୍ତ ନିୟୋଜିତ ଠିକା କର୍ମଚାରୀଙ୍କ ପାଉଣା ଭରିବାକୁ କହିଛନ୍ତି। ଏହାପରେ ମଧ୍ୟ ଉକ୍ତ ଠିକା ସଂସ୍ଥାକୁ ନିୟମରେ ଅବହେଳା ଓ ଆନୁଷଙ୍ଗିକ ଯନ୍ତ୍ରପାତି ସହ ଅନ୍ୟ ଦ୍ରବ୍ୟ ବ୍ୟବହାର କରୁ ନଥିବା ପାଇଁ ଜରିମାନା ଆଦେଶ ଦିଆଯାଇଛି। ଭବିଷ୍ୟତରେ ସମ୍ପୃକ୍ତ ସଂସ୍ଥା ଯେପରି ଟେଣ୍ଡର୍‌ ପ୍ରକ୍ରିୟାରେ ଭାଗ ନେଇ ନପାରିବ, ସେ ଦିଗରେ ଦୃଷ୍ଟି ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଯାଞ୍ଚ ସମୟରେ ବିଭାଗୀୟ ଅଧିକାରୀଙ୍କୁ ୧୫.୫୧ ଲକ୍ଷ ଟଙ୍କା ଠିକା ସଂସ୍ଥାଠାରୁ କିମ୍ବା ତା’ ବିଲ୍‌ରୁ ଆଦାୟ କରିବାକୁ କୁହାଯାଇଛି। ସେଥିମଧ୍ୟରୁ ୧୦.୯୬ ଲକ୍ଷ ଟଙ୍କା ସର୍ବନିମ୍ନ ମଜୁରି ବାବଦରେ ଓ ୪.୫୫ ଲକ୍ଷ ଟଙ୍କା ଉପଯୁକ୍ତ ଯନ୍ତ୍ରପାତି, ଆନୁଷଙ୍ଗିକ ଦ୍ରବ୍ୟ, କର୍ମବଳ ବ୍ୟବହାର ନକରିବା ବାବଦରେ ଆଦାୟ କରାଯାଇଛି। ସର୍ବନିମ୍ନ ମଜୁରି ନିୟମ ଆଧାରରେ ଠିକା କର୍ମଚାରୀଙ୍କୁ ସଠିକ ପାଉଣା ଦିଆନଯିବା ସମ୍ବନ୍ଧରେ ରେଳବାଇ ପକ୍ଷରୁ ଗୁରୁତ୍ୱ ଦିଆଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଭବିଷ୍ୟତରେ ଯଦି ଏଭଳି କୌଣସି ଅଭିଯୋଗ ଆସେ, ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଳପଥ ପକ୍ଷରୁ କୁହାଯାଇଛି। ଯଦି କୌଣସି ଅଭିଯୋଗକାରୀ ଏହି ସମ୍ବନ୍ଧରେ ଅଭିଯୋଗ କରିବାକୁ ଚାହାନ୍ତି, ସେମାନେ ରେଳବାଇ ଭିଜିଲାନ୍ସ ହେଲ୍ପ ଲାଇନ ନମ୍ବର-୮୪୫୫୮୮୫୦୩୧କୁ ଜଣାଇପାରିବେ। ତା’ ସମ୍ବନ୍ଧରେ ଅନୁସନ୍ଧାନ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ଭବିଷ୍ୟତରେ ଯଦି ଠିକା ସଂସ୍ଥା ତାର ସ୍ଥିରୀକୃତ କାର୍ଯ୍ୟ ଉପଯୁକ୍ତ ଭାବେ ନ କରେ କିମ୍ବା ସର୍ବନିମ୍ନ ମଜୁରି ପ୍ରଦାନ ନ କରେ, ଭବିଷ୍ୟତରେ ରେଳବାଇ ପକ୍ଷରୁ ଉକ୍ତ ସଂସ୍ଥାଗୁଡ଼ିକ ଉପରେ ଫୌଜଦାରୀ ମାମଲା ରୁଜୁ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର