ଗଛରୁ ପଡ଼ି ଶ୍ରମିକଙ୍କ ମୃତ୍ୟୁ

ଖଣ୍ଡଗିରି: ବୁଧବାର ଅପରାହ୍ଣ ପ୍ରାୟ ୫ଟାବେଳେ ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ ଓଗାଳପଡ଼ାରେ ଗଛରୁ ଖସି ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଯାଁଳା ଗାଁର ବଳରାମ ରାଉତଙ୍କ ପୁଅ କାବୁଲି(୩୫)। ଯାଁଳା ଫାଣ୍ଡି ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ତଦନ୍ତ ଜାରି ରଖିଛି। ଓଗାଳପଡ଼ା ମୌଜାରେ ରହୁଥିବା ଅଶୋକ ଦାସ ତାଙ୍କ ବାଡ଼ିରେ ଥିବା ଏକ ଦେବଦାରୁ ଗଛର ଡାଳ କଟାଇବା ପାଇଁ କାବୁଲିଙ୍କୁ ଶ୍ରମିକଭାବେ ନେଇଥିଲେ। କାବୁଲି ଗଛରେ ଚଢ଼ି ଡାଳ କାଟୁଥିବାବେଳେ ହଠାତ୍‌ ତଳକୁ ଖସି ପଡ଼ିଥିଲେ। ବଗିଚା ବାଡ଼ ପାଇଁ ତଳେ ଲୁହା ଆଙ୍ଗଲ୍‌ ସବୁ ପୋତା ଯାଇଥିଲା। କାବୁଲି ସିଧାସଳଖ ଗୋଟିଏ ଆଙ୍ଗ୍‌ଲ ଉପରେ ପଡ଼ି ଯାଇଥିଲେ ଓ ତାହା କାବୁଲିଙ୍କ ପେଟରେ ଗଳି ଯାଇଥିଲା। ଫଳରେ ତାଙ୍କ ପେଟରୁ ଅନ୍ତବୁଜୁଳା ବାହାରି ଆସିଥିଲା। ଅଶୋକ ବଡ଼ ପାଟିରେ ପାଖପଡ଼ୋଶୀଙ୍କୁ ଡାକ ପକାଇବା ସହ ସେମାନଙ୍କ ସହଯୋଗରେ କାବୁଲିକୁ ଲୁହା ଆଙ୍ଗଲରୁ ବାହାର କଲାବେଳକୁ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ଯାଁଳା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ହସ୍ପିଟାଲକୁ ପଠାଇଥିଲା। ଗରିବ କାବୁଲିଙ୍କରଏଭଳି ଅଭାବନୀୟ ମୃତ୍ୟୁରେ ସ୍ଥାନୀୟ  ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର