ବିଜୁଳି ବିତ୍ପାତ : ଅବହେଳା ନେଲା ଶ୍ରମିକଙ୍କ ଜୀବନ

ଅନ୍ୟ ଘଟଣାରେ ୪ ଗୁରୁତର

ଭୁବନେଶ୍ବର : ବିଜୁଳି ପୁନରୁଦ୍ଧାର କାମ ବିଳମ୍ବିତ ହେଉଥିବାରୁ ବିଭାଗୀୟ ଅବ‌ହେଳା ଆଜି ଆଉ ଜଣେ ଶ୍ରମିକଙ୍କ ଜୀବନ ନେଇଛି। ସତ୍ୟନଗରରେ ୧୧ କେଭି ପୁନରୁଦ୍ଧାର କାମ ଚାଲିଥିବା ବେଳେ ଖୁଣ୍ଟରେ ଚଢ଼ି କାମ କରୁଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଅଞ୍ଚଳର ମଟ୍‌କା ମୁର୍ମୁ। ଆଜି ଅପରାହ୍‌ଣ ପ୍ରାୟ ୫ଟା ବେଳେ ଏହି ଅଘଟଣ ଘଟିଛି। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଆଜି ସେଣ୍ଟ୍ରାଲ ସ୍କୁଲ କଲୋନିରେ ପୁନରୁଦ୍ଧାରେ କାମ ଚାଲିଥିଲା। ଏକ ୧୦୦ କେଭି ଟ୍ରାନ୍‌ସଫର୍ମରକୁ ବିଜୁଳି ସଂଯୋଗ ଆସିବାର ଥିଲା। କଂଟ୍ରୋଲ ରୁମ୍‌ରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଛି ବୋଲି ଖବର ଆସିବା‌ ପରେ ଏହି ଶ୍ରମିକ ଖୁଣ୍ଟରେ ଚଢ଼ିଥି‌ଲେ। ତାରରେ ହାତ ଦେଉ ଦେଉ ନିଆଁ ଜଳିଥିଲା। ତାଙ୍କ ବାମ ହାତ ଜଳି ଯାଇଥିବା ବେଳେ ସେ ଚିତ୍କାର କରି ପ୍ରାୟ ୨୦ ଫୁଟ୍‌ ଉଚ୍ଚାରୁ ଖସି ପଡ଼ିଥିଲେ। ତାଙ୍କ ମୁଣ୍ଡ ଫାଟିବା ସହ ଗୋଡ଼ରେ ଆଘାତ ଲାଗିଥିଲା। ଏହି ଘଟଣାସ୍ଥଳ ସହିଦନଗର ସେକ୍ସନ ଓ ସତ୍ୟନଗର କଂଟ୍ରୋଲ ରୁମ୍‌ ଅଧୀନରେ ରହିଛି। ସତ୍ୟନଗର କ‌ଂଟ୍ରୋଲ୍‌ ରୁମ୍‌ରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଥିବା ଖବର ଆସିଥିଲା। କଂଟ୍ରୋଲ ରୁମ୍‌ର ଜଣେ ଲାଇନ୍‌ମ୍ୟାନ୍‌ ଏହି ସଂଯୋଗ ବିଚ୍ଛିନ୍ନ ହୋଇଥିବା ଖବର ଦେଇଥିଲେ। ତେବେ ଏପରି ଅବହେଳା ନେଇ କନିଷ୍ଠ ଯନ୍ତ୍ରୀ ମୁହଁ ଖୋଲି ନଥିବା ବେଳେ ଭୁବନେଶ୍ବର ସିଟି ଡିଷ୍ଟ୍ରିବ୍ୟୁସନ୍‌ ଡିଭିଜନ୍‌-୧ ନିର୍ବାହୀ ଯନ୍ତ୍ରୀ ଉପେନ୍ଦ୍ରଭଞ୍ଜ ଖାଡ଼ଙ୍ଗା ମଧ୍ୟ ଘଟଣା ସମ୍ବନ୍ଧରେ କିଛି କହିବା ପାଇଁ ମନା କରିଦେଇଛନ୍ତି। ବିଜୁଳି ସଂଯୋଗ ବିଚ୍ଛିନ୍ନ ନ କରି କାହିଁକି ଖୁଣ୍ଟରେ ଶ୍ରମିକଙ୍କୁ ଚଢ଼ାଇ ଦିଆଗଲା, କିଏ ଏଥିପାଇଁ ଦାୟୀ ସେ ନେଇ ଅଧିକାରୀମାନେ କିଛି କହିବା ପାଇଁ ଚାହିନାହାନ୍ତି। ଖାରବେଳ ନଗର ଥାନା ଆଇଆଇସି ବିଶ୍ବରଞ୍ଜନ ସେନାପତି ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଶ୍ରମିକଙ୍କୁ ଠିକାଦାର ଆଖଣ୍ଡଳମଣି ଜରିଆରେ ଅଣା ଯାଇଥିଲା। ଦେଢ଼ଗୁଣା ମଜୁରି ଲୋଭରେ ଏହି ଅଣକୁଶଳୀ ଶ୍ରମିକମାନଙ୍କୁ କାମରେ ଲଗା ଯାଇଥିଲା। ଏହି ଶ୍ରମିକଙ୍କ ବୀମା ହୋଇଛି କି ନାହିଁ ତାହାର ତଦନ୍ତ କରାଯାଉଛି ବୋଲି ଶ୍ରୀ ସେନାପତି କହିଛନ୍ତି। ଏଥିରେ ବିଚ୍ୟୁତି ହୋଇଥିଲେ ଠିକାଦାର ମଧ୍ୟ ତଦନ୍ତ ପରିସରଭୁକ୍ତ ହେବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ସତ୍ୟନଗର ଡିଭିଜନ୍‌ ଜେଇ ଓ ବିସିଡିଡି-୧ର ନିର୍ବାହୀ ଯନ୍ତ୍ରୀଙ୍କୁ ଥାନାକୁ ଡକାଯାଇଛି।

ସେହିଭଳି ଲିଙ୍ଗିପୁର ଅଞ୍ଚଳ ହୋଟେଲ ରୟାଲ ଚାଲେଞ୍ଜ ନିକଟରେ କାମ ଚାଲିଥିବା ବେଳେ ଖୁଣ୍ଟରୁ ପଡ଼ି ୪ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନେ ହେଉଛନ୍ତି ବିହାରର ଗୋଲୁ ଯାଦବ, ସାମନ୍ତରାପୁରର ସଂଗ୍ରାମ ମହାପାଟ, ପୁରୀ ଗଡ଼ଭିଙ୍ଗୁରାର ଗୟା ପାତ୍ର, ଅନୁଗୁଳ କିଶୋର ନଗର ବ୍ଲକ ଜିରାଙ୍ଗର ଦୁଷ୍ମନ୍ତ ପ୍ରଧାନ। ଏମାନେ ଖୁଣ୍ଟରେ ଚଢ଼ି କାମ କରୁଥିବା ବେଳେ ଖୁଣ୍ଟ ଟଳି ପଡ଼ିଥିଲା। ଏମାନେ ଖୁଣ୍ଟ ତଳେ ରହିଯାଇଥିଲେ। ଅନ୍ୟ ଶ୍ରମିକ ଓ କର୍ମଚାରୀଙ୍କ ସହାୟତାରେ ସେମାନଙ୍କୁ ଖୁଣ୍ଟ ତଳୁ ଉଦ୍ଧାର କରାଯାଇଥିଲା। ଧଉଳି ଥାନା ପିସିଆର ଭ୍ୟାନ୍‌ ଜରିଆରେ ସେମାନଙ୍କୁ କ୍ୟାପିଟାଲ ହସ୍‌ପିଟାଲ ଅଣାଯାଇଥିଲା। ଠିକାଦାରଙ୍କ ଜରିଆରେ ଅଣାଯାଇଥିବା ଏହି ଶ୍ରମିକଙ୍କୁ ମଧ୍ୟ କୌଣସି ବୀମା ଯୋଜନାରେ ସାମିଲ କରାଯାଇ ନାହିଁ। ଏ ନେଇ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ କିଛି କହିବା ପାଇଁ ଚାହିଁ ନାହାନ୍ତି। ଧଉଳି ଥାନା ଆଇଆଇସି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର